Latest Odisha News

BREAKING NEWS

ଚାର୍ଜସିଟ୍‌ ଦାଖଲରେ ପଛୁଆ ପୋଲିସ ! ବିଳମ୍ବିତ ହେଉଛି ଦଣ୍ଡ ବିଧାନ, ଅପରାଧିଙ୍କୁ ମିଳିଯାଉଛି ଜାମିନ

ରାଜ୍ୟରେ ଯେତିକି ଅପରାଧିକ ମାମଲା ରୁଜୁ ହେଉଛି ତାହାର ଅଧା ମାମଲାରେ ବି ଚାର୍ଜସିଟ୍‌ ଦାଖଲ ହୋଇପାରୁ ନାହିଁ । ଯାହାକି ଓଡ଼ିଶା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ସୂଚନାଯୋଗ୍ୟ, ଚାର୍ଜସିଟ୍‌ ହେଉଛି ସିଆରପିସିର ଧାରା ୧୭୩ ଅନୁଯାୟୀ ମାମଲାର ତଦନ୍ତକାରୀ ପୋଲିସ୍ ଅଧିକାରୀଙ୍କ ଦ୍ବାରା ପ୍ରସ୍ତୁତ ଚୂଡାନ୍ତ ରିପୋର୍ଟ । ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ ଗତ ୫ବର୍ଷ ଧରି ଏଭଳି ସ୍ଥିତି ଜାରି ରହିଛି । ଅପରାଧ ମଧ୍ୟରେ ହତ୍ୟା, ଡକାୟତି, ସିନ୍ଧିଚୋରି, ଚୋରି ଓ ଧର୍ଷଣ ଭଳି ସଙ୍ଗୀନ ଅପରାଧ ରହିଛି ।

ଗତବର୍ଷ ରାଜ୍ୟରେ ୨୩,୦୮୦ଟି ମାମଲା ରୁଜୁ ହୋଇଥିବାବେଳେ ପୋଲିସ୍‌ ୧୦,୪୦୧ ଟି ମାମଲାରେ ଚାର୍ଜସିଟ୍‌ ଦାଖଲରେ ସଫଳ ହୋଇଛି । ଯାହାକି ଅଧାରୁ ମଧ୍ୟ କମ । ଯଦି ଅପରାଧ ତଥ୍ୟ( ହତ୍ୟା, ଡକାୟତି, ସିନ୍ଧିଚୋରି, ଚୋରି)କୁ ଦେଖିବା ତାହେଲେ ୨୦୧୮ମସିହାରେ ୧୫,୬୩୨ଟି ମାମଲା ରୁଜୁ ହୋଇଥିବାବେଳେ ମାତ୍ର ୬୫୮୫ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା । ୨୦୧୯ରେ ମାମଲା ରୁଜୁ ଓ ଚାର୍ଜସିଟ୍‌ ହାର ଯଥାକ୍ରମେ ୧୮,୧୫୧ ଓ ୬୭୭୦ ରହିଥିଲା । ୨୦୨୦ରେ ରାଜ୍ୟରେ ୧୭,୫୪୬ଟି ମାମଲା ରୁଜୁ ହୋଇଥିବାବେଳେ ଚାର୍ଜସିଟ୍‌ ସଂଖ୍ୟା ଥିଲା ମାତ୍ର ୭୬୫୪ । ପରେ ୨୦୨୧ରେ ଚାର୍ଜସିଟ୍‌ ଦାଖଲ ସଂଖ୍ୟା ୧୦ହଜାର ଅତିକ୍ରମ କରିଥିଲା । କିନ୍ତୁ ୨୦୨୨ରେ ରାଜ୍ୟରେ ୧୪,୮୯୩ ଟି ଚୋରି ମାମଲା ରୁଜୁ ହୋଇଥିବାବେଳେ ପୋଲିସ୍‌ ୫୮୫୯ଟି ମାମଲାରେ ଚାର୍ଜସିଟ୍‌ ଦାଖଲ କରିଛି ।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ଅପରାଧିକ ମାମଲାରେ ଚାର୍ଜସିଟ୍‌ ହାର କମ୍‌ ରହୁଥିବାରୁ ଅପରାଧିମାନଙ୍କୁ ଦଣ୍ଡ ବିଧାନ ଉପରେ ଏହାର ପ୍ରଭାବ ପଡୁଛି । ରାଜ୍ୟରେ ଏବେ ବି ଦଣ୍ଡବିଧାନ ହାର ୮ ପ୍ରତିଶତ ତଳେ ରହିଛି ଓ ସମୟରେ ଚାର୍ଜସିଟ୍‌ ଦାଖଲ ନହୋପାରିବା ଏହାର ଅନ୍ୟତମ କାରଣ ବୋଲି ଆଇନ୍‌ ବିଶେଷଜ୍ଞମାନେ ମତ ଦେଇଛନ୍ତି । ସେପଟେ ଧାର୍ଯ୍ୟ ସମୟରେ ଚାର୍ଜସିଟ୍‌ ଦାଖଲ ହୋଇପାରୁ ନଥିବାରୁ ବହୁ କ୍ଷେତ୍ରରେ ଅପରାଧିମାନେ ସହଜରେ ଜାମିନ ପାଇ ଯାଉଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଅପରାଧି ଜାମିନରେ ଆସି ପୁଣି ଅପରାଧ ଘଟାଉଥିବା ଦେଖିବାକୁ ମିଳୁଛି ।

ଅନ୍ୟପଟେ, ପୋଲିସ୍‌ ବିଭାଗରେ ମାନବ ସମ୍ବଳର ଅଭାବ ଯୋଗୁଁ ଚାର୍ଜସିଟ୍‌ ଦାଖଲରେ ବିଳମ୍ବ କାରଣ ବୋଲି ଏକାଧିକ ଅବସରପ୍ରାପ୍ତ ପୋଲିସ୍‌ ଅଫିସର ମତ ରଖିଛନ୍ତି । ସେମାନଙ୍କ ମତରେ ଯେଉଁ ହାରରେ ମାମଲା ସଂଖ୍ୟା ବୃଦ୍ଧି ପାଉଛି ତାହାର ତଦନ୍ତ ପାଇଁ ସମାନ ପରିମାଣର ପୋଲିସ୍‌ କର୍ମଚାରୀ ନାହାନ୍ତି । ଫଳରେ ମାମଲାର ତଦନ୍ତ କରି ଚାର୍ଜସିଟ୍‌ ପ୍ରଦାନରେ ବିଳମ୍ବ ହେଉଛି ।

Leave A Reply

Your email address will not be published.