Latest Odisha News

BREAKING NEWS

Pakistan Controls PoK: ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ପତାକା ବି ଅଲଗା, ହେଲେ କାହିଁକି ଚାଲେ PoKରେ ପାକିସ୍ତାନର ଶାସନ?

ନୂଆଦିଲ୍ଲୀ: ଭାରତର ପିଓକେ, ଚାଲିଛି ପାକିସ୍ତାନର ହାକିମାତି!

ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ପତାକା ବି ଅଲଗା

କାହିଁକି ଚାଲେ ପାକିସ୍ତାନର ଶାସନ?

ଅଶାନ୍ତ ପାକ୍ ଅଧିକୃତ କାଶ୍ମୀର(PoK) । ଅର୍ଥନୈତିକ, ରାଜନୈତିକ ଏବଂ ବିଭିନ୍ନ ବିଫଳ ବ୍ୟବସ୍ଥାକୁ ନେଇ ଲୋକେ ରାସ୍ତାକୁ ଓହ୍ଲାଇଥିବା ବେଳେ ତାଙ୍କ ଉପରେ ଦାଉ ସାଧୁଛି ପାକିସ୍ତାନ ସେନା । ଫଳରେ ପାକ୍ ଅଧିକୃତ କାଶ୍ମୀର (PoK), ଯାହାକୁ ପାକିସ୍ତାନ “ଆଜାଦ ଜମ୍ମୁ ଓ କାଶ୍ମୀର” (Azad Jammu and Kashmir – AJK) ବୋଲି କହିଥାଏ, ବର୍ତ୍ତମାନ ରାଜନୈତିକ ଅସ୍ଥିରତା ଓ ଜନଅସନ୍ତୋଷ ମଧ୍ୟରେ ରହିଛି। ମୁଦ୍ରାସ୍ଫୀତି, ବେରୋଜଗାରୀ ଏବଂ ପାକିସ୍ତାନର ହସ୍ତକ୍ଷେପ ବିରୋଧରେ ଜଏଣ୍ଟ ଆୱାମୀ ଆକ୍ସନ୍ କମିଟି (JAAC)ର ନେତୃତ୍ୱରେ ବ୍ୟାପକ ଆନ୍ଦୋଳନ ଚାଲିଛି। ଏଭଳି ପରିସ୍ଥିତିରେ ପୁଣି ଥରେ ପ୍ରଶ୍ନ ଉଠିଛି, ଯେଉଁ ଅଞ୍ଚଳର ନିଜସ୍ୱ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଧାନସଭା, ସୁପ୍ରିମକୋର୍ଟ, ସମ୍ବିଧାନ ଓ ପତାକା ରହିଛି, ସେଠାରେ ପାକିସ୍ତାନ କିପରି ପ୍ରକୃତ ଶାସନ ଚଳାଉଛି?

୧୯୪୭ରେ ଭାରତ ବିଭାଜନ ପରେ ପାକିସ୍ତାନ ସମର୍ଥିତ କବାଇଲୀ ଆକ୍ରମଣକାରୀମାନେ ଜମ୍ମୁ-କାଶ୍ମୀରର କିଛି ଅଂଶ ଦଖଲ କରିଥିଲେ। ଭାରତ ଏହାକୁ ପାକ୍ ଅଧିକୃତ କାଶ୍ମୀର (PoK) ବୋଲି କହୁଥିବା ବେଳେ ପାକିସ୍ତାନ ଏହାକୁ “ଆଜାଦ କାଶ୍ମୀର” ନାମ ଦେଇଛି। କାଶ୍ମୀର ବିବାଦକୁ ଆନ୍ତର୍ଜାତିକ ସ୍ତରରେ ଜୀବନ୍ତ ରଖିବା ପାଇଁ ପାକିସ୍ତାନ PoKକୁ ନିଜ ଦେଶର ସାଧାରଣ ପ୍ରଦେଶ ଭାବେ ଘୋଷଣା କରିନାହିଁ। ଫଳରେ PoKର ନିଜସ୍ୱ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଧାନସଭା, ଉଚ୍ଚ ନ୍ୟାୟାଳୟ, ସୁପ୍ରିମକୋର୍ଟ, ଅଲଗା ପତାକା ଓ ୧୯୭୪ର ” ଅନ୍ତରୀଣ ସମ୍ବିଧାନ ଆଇନ (Interim Constitution Act)” ରହିଛି। ଏଠାରେ ସ୍ଥାନୀୟ ସରକାର ମଧ୍ୟ ଗଠିତ ହୁଏ। କିନ୍ତୁ ବାସ୍ତବରେ ଏହାର ଅଧିକାଂଶ କ୍ଷମତା ଇସଲାମାବାଦ ହାତରେ ରହିଛି।

ପ୍ରତିରକ୍ଷା, ବୈଦେଶିକ ନୀତି, ମୁଦ୍ରା, ଦୂରସଂଚାର, ପ୍ରମୁଖ ଆର୍ଥିକ ନିଷ୍ପତ୍ତି ଏବଂ ବଡ଼ ବିକାଶ ପ୍ରକଳ୍ପ ଉପରେ ପାକିସ୍ତାନ କେନ୍ଦ୍ର ସରକାରର ସିଧାସଳଖ ନିୟନ୍ତ୍ରଣ ରହିଛି। ୨୦୧୮ରେ ଲାଗୁ ହୋଇଥିବା ” ଆଜାଦ ଜମ୍ମୁ ଓ କାଶ୍ମୀର ଶାସନ ଢାଞ୍ଚା (AJK Governance Framework)” ପରେ ଇସ୍ଲାମାବାଦର କ୍ଷମତା ଆହୁରି ବଢ଼ିଥିଲା। ଏହା ମାଧ୍ୟମରେ ବଜେଟ୍, ପ୍ରଶାସନ, ବିକାଶ ଯୋଜନା ଓ ଅନେକ ନୀତିଗତ ପ୍ରସଙ୍ଗରେ ପାକିସ୍ତାନର ଭୂମିକା ଅଧିକ ମଜବୁତ ହୋଇଥିଲା।

ଏହାପୂର୍ବରୁ ଆଜାଦ ଜମ୍ମୁ ଓ କାଶ୍ମୀର କାଉନସିଲ୍ ମାଧ୍ୟମରେ ପ୍ରଶାସନିକ ନିଷ୍ପତ୍ତି ନିଆଯାଉଥିଲା, ଯାହାର ଅଧ୍ୟକ୍ଷ ଥିଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ। ପରେ ଏହାର ଅଧିକାଂଶ କ୍ଷମତା ସିଧାସଳଖ ପାକିସ୍ତାନ ସରକାରଙ୍କ ପାଖକୁ ଚାଲିଯାଇଥିଲା। ଏହାବ୍ୟତୀତ PoKର ଅଲଗା ପତାକା ଥିଲେ ମଧ୍ୟ ସରକାରୀ କାର୍ଯ୍ୟାଳୟରେ ଏହା ସହ ପାକିସ୍ତାନର ଜାତୀୟ ପତାକା ଉତ୍ତୋଳନ କରାଯାଏ। ବୈଦେଶିକ ସମ୍ପର୍କ, ସୁରକ୍ଷା ଏବଂ ଆନ୍ତର୍ଜାତିକ ମଞ୍ଚରେ PoKର ପ୍ରତିନିଧିତ୍ୱ ମଧ୍ୟ ପାକିସ୍ତାନ ହିଁ କରେ।

ଏହି କାରଣରୁ PoKରେ ଦୀର୍ଘଦିନ ଧରି ସ୍ୱାୟତ୍ତତା, ସ୍ଥାନୀୟ ଲୋକଙ୍କ ଅଧିକାର ଓ ପାକିସ୍ତାନର ହସ୍ତକ୍ଷେପ ବିରୋଧରେ ଅସନ୍ତୋଷ ବଢ଼ିଚାଲିଛି। JAAC ସମେତ ବିଭିନ୍ନ ସଂଗଠନ ଦାବି କରୁଛନ୍ତି ଯେ, PoKର ଭବିଷ୍ୟତ ସମ୍ପର୍କିତ ନିଷ୍ପତ୍ତି ନେବାର ଅଧିକାର ସ୍ଥାନୀୟ ଜନତାଙ୍କୁ ଦିଆଯାଉ। ଏପଟେ ଭାରତ ସବୁବେଳେ ସ୍ପଷ୍ଟ କରିଛି ଯେ, ପିଓକେ ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ । ତଥାପି ଏହି ପ୍ରସଙ୍ଗକୁ ନେଇ ପାକିସ୍ତାନ ଉପରେ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ବିଭିନ୍ନ ସମୟରେ ପ୍ରଶ୍ନ ଉଠିଆସୁଛି।

Leave A Reply

Your email address will not be published.