Latest Odisha News

ଏଇଥି ପାଇଁ ହୋଇପାରୁନି ବିଭାଗ ବଣ୍ଟନ

ଭୁବନେଶ୍ବର: ବିଜେପି ସରକାର ଦୁଇ ଦିନ ହେଲା ଶପଥ ନେଇ ସାରିଲେଣି। ହେଲେ ଏପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ହୋଇପାରିନି ବିଭାଗ ବଣ୍ଟନ । ସାଧାରଣତଃ ଶପଥ ନେବାର କିଛି ଘଣ୍ଟା ମଧ୍ୟରେ ବିଭାଗ ବଣ୍ଟନ କରାଯାଏ। ହେଲେ ଶପଥ ଗ୍ରହଣ ପରେ ବିଜେପି ସରକାର ଆକ୍ସନ୍ ମୋଡରେ ରହିଥିଲେ ବି ଏଯାଏଁ କିଏ କେଉଁ ବିଭାଗ ଦାୟିତ୍ବରେ ରହିବେ, ସେନେଇ ନିଷ୍ପତ୍ତି ହୋଇପାରୁନି । ପ୍ରଥମ କ୍ୟାବିନେଟ୍ ବୈଠକ ବସି ବିଭିନ୍ନ ନିଷ୍ପତ୍ତିରେ ମୋହର ବାଜିଥିଲେ ବି ବିଭାଗ ବଣ୍ଟନ ହୋଇନି। ପ୍ରଶ୍ନ ଉଠୁଛି କାହିଁକି ବିଭାଗ ବଣ୍ଟନରେ ଏତେ ବିଳମ୍ବ ?

କାହିଁକି ଛିଡୁନି ବିଭାଗ ଗଣିତ?

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କ୍ୟାବିନେଟରେ ଅଧିକାଂଶ ମନ୍ତ୍ରୀ ନୂଆ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଛାଡିଦେଲେ ବାକି କେହି ପୂର୍ବରୁ ମନ୍ତ୍ରୀ ପଦ ସମ୍ଭାଳି ନାହାନ୍ତି । ତେଣୁ କେଉଁ ବିଭାଗରେ କାହାର ଦକ୍ଷତା ରହିଛି ? କେଉଁ ବିଭାଗ କିଏ ଭଲ ଭାବେ ସମ୍ଭାଳି ପାରିବେ ? ସେକଥା ଜାଣିବାକୁ ସମୟ ଲାଗୁଛି। କ୍ୟାବିନେଟରେ ଅନେକ ନବାଗତ ବି ରହିଛନ୍ତି, ତେଣୁ ସେମାନଙ୍କୁ ବିଭାଗ ଦେବା ପୂର୍ବରୁ ଦଳ ଭିତରେ ତର୍ଜମା କରାଯାଉଛି।

ଦଳ ଭିତରେ ଅନେକ କ୍ୟାମ୍ପ !

ପୂର୍ବ ବିଜେଡି ସରକାରରେ ସୁପ୍ରିମୋ ନବୀନ ପଟ୍ଟନାୟକ ହିଁ ସର୍ବେସର୍ବା ଥିଲେ। ହେଲେ ରାଜ୍ୟ ବିଜେପିରେ ଅନେକ ଗ୍ରୁପ୍ ରହିଥିବା ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି। ତେଣୁ କିଛି ଗୁରୁତ୍ବପୂର୍ଣ୍ଣ ବିଭାଗ ପାଇଁ ପ୍ରଭାବଶାଳୀ ଗ୍ରୁପ୍ ଲବି କରୁଥିବା କୁହାଯାଉଛି। ମନ୍ତ୍ରୀ ପଦ ତାଲିକାକୁ ନେଇ ବି କିଛି ପ୍ରଭାବଶାଳୀ ନେତା ହସ୍ତକ୍ଷେପ କରିଥିବା ଚର୍ଚ୍ଚା ହୋଇଥିଲା। ଏବେ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପରେ ବି ବିଭାଗ ନେଇ ଲବି ହେଉଥିବା କୁହାଯାଉଛି।

ହାତେ ମାପି ଚାଖଣ୍ଡେ ଚାଲୁଛନ୍ତି ସରକାର

ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ ସରକାର ଗଠନ କରିଥିବାରୁ ଗଣମାଧ୍ୟମ ତଥା ଜନତାଙ୍କ ନଜରରେ ରହିଛି। ରାଜ୍ୟ ସରକାର ତଥା ବିଜେପିର ପ୍ରତିଟି ପଦକ୍ଷେପକୁ ଭଲ କରି ଦେଖୁଛନ୍ତି ଜନତା। ତେଣୁ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ ବି ଦେଖି ଚାହିଁ କରୁଛି ବିଜେପି ସରକାର। ସମାଲୋଚନା ବା ନିଷ୍ପତ୍ତି ବୁମେରାଂ ହେବା ଆଶଙ୍କାରେ ସତର୍କତାର ସହ ନିଷ୍ପତ୍ତି ନେଉଛି। ବହୁମତ ପାଇବା ପରେ ବି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବାରେ ସେଥିପାଇଁ ସମୟ ବି ନେଇଥିଲା ଦଳ ।

ମନ୍ତ୍ରୀପଦ ଗଣିତ ଅସନ୍ତୁଷ୍ଟ ନେତା

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ମୋଟ୍ ୮ଜଣ କ୍ୟାବିନେଟ୍ ଓ ୫ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି । ଏବେବି ମନ୍ତ୍ରିମଣ୍ଡଳରେ ୬ଟି ପଦ ଖାଲି ରହିଛି । ତେବେ ମନ୍ତ୍ରିମଣ୍ଡଳରେ ବରିଷ୍ଠ ନେତାଙ୍କୁ ସ୍ଥାନ ନମିଳିବା ନେଇ ଅସନ୍ତୋଷ ରହିଛି । ସମ୍ବଲପୁର ବିଧାୟକ ତଥା ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କୁ ମନ୍ତ୍ରୀ ପଦ ନମିଳିବା ନେଇ ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ସେହିପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଣ୍ଟାବାଞ୍ଜିରେ ହରାଇଥିବା ଲକ୍ଷ୍ମଣ ବାଗଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାନଯିବାକୁ ନେଇ ତାଙ୍କ ସମର୍ଥକ ଅସନ୍ତୁଷ୍ଟ ଥିବା କୁହାଯାଉଛି । କୋରାପୁଟ ବିଧାୟକ ରଘୁରାମ ମାଛ ହୁଅନ୍ତୁ କି ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ କିମ୍ବା ଅତନୁ ସବ୍ୟସାଚୀଙ୍କୁ ହରାଇଥିବା ଦୁର୍ଗାପ୍ରସନ୍ନ ନାୟକ, ମନ୍ତ୍ରୀପଦ ରେସରେ ଅନେକ ନେତା ଥିଲେ । ମନ୍ତ୍ରିମଣ୍ଡଳରେ ସାମିଲ ନହେବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ଆହୁରି ୬ଟି ପଦ ଖାଲି ରହିଥିବା ବେଳେ ଉପବାଚସ୍ପତି, ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ପଦ ଏପର୍ଯ୍ୟନ୍ତ ପୂରଣ ହୋଇନି। ତେବେ ଅସନ୍ତୁଷ୍ଟଙ୍କୁ ମ୍ୟାନେଜ୍ କରିବା ମୋହନ ସରକାର ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ। କେଉଁ ବିଭାଗ ଦେବେ କେଉଁ ବିଭାଗ ଆଗକୁ ରଖିବେ, ସେନେଇ ତର୍ଜମା ଚାଲିଥିବାରୁ ବି ବିଭାଗ ବଣ୍ଟନରେ ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଛି । ତେବେ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ପାଇଁ କେନ୍ଦ୍ର ବିଜେପି ନେତୃତ୍ବର ଗ୍ରୀନ୍ ସିଗନାଲକୁ ଅପେକ୍ଷା କରାଯାଇଥିବା ସୂଚନା ମିଳିଛି ।

Comments are closed.