Latest Odisha News

BREAKING NEWS

ଶେଷ ହେଉଛି ଲାଲ ଚନ୍ଦନ !

ନୂଆଦିଲ୍ଲୀ: ସିନେମା ହଲରୁ ଆରମ୍ଭ କରି ଓଟିଟି ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛି ପୁଷ୍ପା ୨ : ଦ ରୁଲ। ଅଲୁ ଅର୍ଜୁନଙ୍କ ଏହି ଫିଲ୍ମ ସମସ୍ତଙ୍କୁ ପଛରେ ପକାଇଛି। ଏହି ଫିଲ୍ମ ଭାରତରେ ୧ ହଜାର କୋଟିରୁ ଅଧିକ ଟଙ୍କା ରୋଜଗାର କରି ସାରିଛି। ଏହି ଫିଲ୍ମ ଲାଲ ଚନ୍ଦନ ତସ୍କରି ଆଧାରିତ ହୋଇଥିବା ବେଳେ, କିପରି ଗ୍ଲୋବାଲ ମାର୍କେଟରେ ଏହାକୁ ବିକ୍ରି କରାଯାଉଛି ତାହା ପ୍ରଦର୍ଶିତ ହୋଇଛି। ଦେଶରେ କ’ଣ ଏମିତି କିଛି ଜଙ୍ଗଲ ରହିଛି, ଯେଉଁଠି ଲାଲ ଚନ୍ଦନ ଗଛ ଦେଖାଯାଇଥାଏ ? ଗ୍ଲୋବାଲ ମାର୍କେଟରେ କେତେ ରହିଥାଏ ଏହାର ଚାହିଦା ?

ଆନ୍ଧ୍ର ପ୍ରଦେଶର ଶେଷାଚଳମ ଜଙ୍ଗଲରେ ସବୁଠାରୁ ଉତ୍କୃଷ୍ଟ ଧରଣର ଲାଲ ଚନ୍ଦନ ମିଳୁଥିବା ପୁଷ୍ପା ୨ ରେ ପ୍ରଦର୍ଶିତ ହୋଇଛି। କଡପା ଓ ତିରୁପତି ଜିଲ୍ଲାରେ ଏହି ଜଙ୍ଗଲ ବହୁଳ ମାତ୍ରାରେ ଥିବା ବେଳେ ବଢୁଛି ତସ୍କରି। ଏଠାରେ ମିଳୁଥିବା ଲାଲ ଚନ୍ଦନ ଚୀନ, ଜାପାନ, ରୁଷ ଭଳି ଦେଶକୁ ରପ୍ତାନି କରାଯାଉଛି। ସେଠାରେ ଏହି କାଠରୁ ବାଦ୍ୟ ଜନ୍ତ୍ର, ଔଷଧ ଓ ଫର୍ଣିଚର ତିଆରିରେ ବ୍ୟବହାର କରାଯାଇଥାଏ। ତେବେ ଲାଲ ଚନ୍ଦନ କାଠର କିଲୋ ପ୍ରତି ମୂଲ୍ୟ ୫୦ ରୁ ୭୦ ହଜାର ହୋଇଥାଏ। କିନ୍ତୁ ଉତ୍କୃଷ୍ଟ ଲାଲ ଚନ୍ଦନର ମୂଲ୍ୟ ଗ୍ଲୋବାଲ ମାର୍କେଟରେ ୧ ଲକ୍ଷରୁ ୨ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ। ଅନ୍ୟପଟେ ଲାଲ ଚନ୍ଦନ ତସ୍କରି ରୋକିବାକୁ ପୋଲିସ ଲାଲ ଚନ୍ଦନ ଗଛ କାଟିବା ଉପରେ ରୋକ ଲଗାଇଛି।

୫ ଲକ୍ଷ ହେକ୍ଟର ଜାଗାରେ ବ୍ୟାପିଛି ପାହାଡୀ ଅଞ୍ଚଳରେ ଥିବା ଶେଷାଚଳମ ଜଙ୍ଗଲ। ଏହି ଜଙ୍ଗଲରେ ଦୁନିଆର ସବୁଠୁ ଭଲ ରକ୍ତ ଚନ୍ଦନ ମିଳିଥାଏ। ସେଠାରେ ଏହାକୁ ଲାଲ ଚନ୍ଦନ ବା ଲାଲ ସୁନା ବୋଲି କୁହାଯାଏ। ଏହା ଏତେ ମୁଲ୍ୟବାନ ଯେ, ଏହି ଗଛଗୁଡିକର ସୁରକ୍ଷା ପାଇଁ ଟାସ୍କ ଫୋର୍ସ ନିଯୋଜିତ କରାଯାଇଛି। ଅନ୍ୟପଟେ ତସ୍କରି ତଥା ଅନ୍ୟ କାରଣରୁ ଲାଲ ଚନ୍ଦନ ଗଛ ସଂଖ୍ୟା ୫୦ ପ୍ରତିଶତ କମିଥିବା ସୂଚନା ମିଳିଛି।

ରିପୋର୍ଟ ମୁତବକ କିଛି ବର୍ଷ ପୂର୍ବରୁ ଲାଲ ଚନ୍ଦନରୁ ପ୍ରାୟ ୧୨ ଶହ ପ୍ରତିଶତ ଲାଭ ହେଉଥିଲା। ପ୍ରଚୁର ଲାଭ କାରଣରୁ ପ୍ରତିବର୍ଷ ୨ ହଜାର ଟନ ଲାଲ ଚନ୍ଦନ କାଠ ଚେନାଇ, ତୁତିକୋରିନ, ମୁମ୍ବାଇ ଓ କୋଲକାତା ପୋର୍ଟ ଜରିଆରେ, ତିବ୍ବତ ଦେଇ ଚୀନ ମାର୍କେଟରେ ପହଞ୍ଚୁଥିଲା। ୨୦୧୫ ରେ ଏହାକୁ ରୋକିବାକୁ ମିସନ ଆରମ୍ଭ କରିଥିଲା ପୋଲିସ। ଏଥିରେ ଅନେକ ତସ୍କର ଏନକଉଣ୍ଟର ହୋଇଥିବା ବେଳେ ,ଗଛ କାଟିବା ସମୟରେ ଧରା ପଡିଲେ ୧୧ ବର୍ଷର ଜେଲ ଦଣ୍ଡ ଘୋଷଣା କରାଯାଇଛି।

ଜଙ୍ଗଲ କାଟ, ତସ୍କରି କାରଣରୁ ଲାଲ ଚନ୍ଦନ ବିଲୁପ୍ତ ହେବାରେ ଲାଗିଛି। ଗୋଟିଏ ଲାଲ ଚନ୍ଦନ ଗଛ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବାକୁ ପ୍ରାୟ ୪୦ ରୁ ୫୦ ବର୍ଷ ସମୟ ଲାଗିଥାଏ। ଏହି କାରଣରୁ ଲାଲ ଚନ୍ଦନ ଇଣ୍ଟରନ୍ୟାସନଳ ଯୁନିଅନ ଫର କଞ୍ଜରଭେଶନ ଅଫ ନେଚର ତାଲିକାରେ ସ୍ଥାନ ପାଇଛି।

ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

Comments are closed.