Latest Odisha News

କେଉଁଠି ଛିଡୁନି ଟିକେଟ୍ ଅଙ୍କ?

ଭୁବନେଶ୍ବର: ଟିକେଟ୍ ଘୋଷଣାରେ ବିଳମ୍ବ, ଦ୍ୱନ୍ଦ୍ୱରେ ଆଶାୟୀ । କାହିଁକି ବାହାରୁନି ପ୍ରାର୍ଥୀ ତାଲିକା? ଟିକେଟd ଅଙ୍କକଷାରେ କେଉଁଠି କେଁ ? ବିଦ୍ରୋହୀ ଭୟରେ ଗଡୁଛି କି ତାରିଖ ପରେ ତାରିଖ? ସବୁଠି ମିଶ୍ରଣ, ଦଳରେ ନୂଆ ସମୀକରଣ । ଟିକେଟ୍ ଚୂଡାନ୍ତ ପାଇଁ ହେଉଛି କି ବାଧା? ସମୟ ଯେତିକି ଗଡୁଛି, ଟିକେଟକୁ ନେଇ ସେତିକି ବଢୁଛି ଦ୍ୱନ୍ଦ୍ୱ । କେଉଁଠି ଖୋଲା ବିଦ୍ରୋହ ତ କେଉଁଛି ଇସ୍ତଫା ପର୍ବ । ଘୋଷଣା ହୋଇଥିବା ଟିକେଟକୁ ନେଇ ସାରା ରାଜ୍ୟରେ ହେଲାଣି ମହାଭାରତ । ବାକି ସିଟକୁ ନେଇ ସତର୍କତାର ସହ ଅଙ୍କ କଷୁଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ । ଅଧିକ ବିବାଦୀୟ ସିଟରେ ପ୍ରାର୍ଥୀ ଘୋଷଣା ହୋଇପାରୁନି । ଦଳବଦଳ ବି ସୃଷ୍ଟି କରିଛି ଜଟିଳ ପରିସ୍ଥିତି । ବିଜେଡିର ଆଉ ଗୋଟିଏ ଲୋକସଭା ଓ ୩୯ଟି ବିଧାନସଭା ସିଟରେ ପ୍ରାର୍ଥୀ ଘୋଷଣା ବାକି ଥିବା ବେଳେ ବିଜେପିର ୩୫ ବିଧାନସଭା ବାକି । କଂଗ୍ରେସ ମାତ୍ର ୪୯ ବିଧାନସଭା ଓ ୮ ଲୋକସଭା ପାଇଁ ପ୍ରାର୍ଥୀ ଦେଇଛି ।

ବିଜେଡିକୁ ଚିନ୍ତା ଏକାଧିକ ଆଶାୟୀ !

ବାଲେଶ୍ୱର ଲୋକସଭା ପାଇଁ ପ୍ରାର୍ଥୀ ନିଷ୍ପତ୍ତି ନେଇପାରୁନି ବିଜେଡି । ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ଟିକେଟ୍ ପ୍ରତିଶ୍ରୁତି ରଖିଲେ, ବାଲେଶ୍ୱର ଲୋକସଭା ପାଇଁ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିପାରେ ଦଳ । ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ବୋହୂ ବର୍ଷାସୋନି ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାଁ ଚର୍ଚ୍ଚା ହେଉଛି । ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ଝୁଲିଛି ବାଲିକୁଦା, ପାରାଦୀପ, କାକଟପୁର ଓ ନିମାପଡା ବିଧାନସଭା ଟିକେଟ୍ । ସେପଟେ ଗଣେଶ୍ୱର ବେହେରା ବିଜେଡିକୁ ଆସିବା ପରେ କେନ୍ଦ୍ରାପଡା କଳି ଦାଣ୍ଡରେ ପଡି ହାଟରେ ଗଡୁଛି । ଯାଜପୁରରେ କୋରେଇ, ବରୀ ଓ ବଡଚଣାରେ ବି ଆଶାୟୀଙ୍କ ଲମ୍ବା ଲାଇନ୍ । ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ମଧ୍ୟ, ଖୋର୍ଦ୍ଧା ଓ ବେଗୁନିଆ ପ୍ରାର୍ଥୀ ଘୋଷଣାକୁ ନେଇ ବି ବିଜେଡିର ମୁଣ୍ଡବିନ୍ଧା ବଢିଛି । ବାଲେଶ୍ୱରରେ ନୀଳଗିରି, ଭୋଗରାଇ ପ୍ରାର୍ଥୀ ଘୋଷଣା ହୋଇନି ତ ମୟୂରଭଞ୍ଜ ସାରସକଣା, କରଞ୍ଜିଆ, ବାଙ୍ଗିରିପୋଷିରେ ଅଟକିଛି । ଆସିକା ଲୋକସଭାର ସାନଖେମୁଣ୍ଡି ବିଧାନସଭା ହେଉ କି ଜୟପୁର, ଲକ୍ଷ୍ମୀପୁର, ଛିଡୁନି ବିଜେଡିର ଟିକେଟ୍ ଗଣିତ ।

ବିଜେପିକୁ ବିଦ୍ରୋହ ଭୟ !

ପ୍ରାର୍ଥୀ ଘୋଷଣାକୁ ନେଇ ବିଜେଡି ଭଳି ବିଜେପି ବି ଅକଳରେ । କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଅଧୀନରେ ଥିବା ରାଜନଗର, କେନ୍ଦ୍ରାପଡା ଓ ସାଲେପୁର ଟିକେଟ୍ ଚୂଡାନ୍ତ ହୋଇପାରୁନି । କେନ୍ଦ୍ରାପଡା ପାଇଁ ଦଳ ବିଜେଡି ତାଲିକାକୁ ଅନେଇଥିବା ଚର୍ଚ୍ଚା ହେଉଛି । ବିଜେଡି ନେତା ବିଜେପିରେ ସାମିଲ ହେବା ପରେ ପ୍ରାର୍ଥୀ ହୋଇପାରନ୍ତି । କଟକ-ବାରବାଟୀରେ ବି ସତର୍କତାର ସହ ଗୋଟି ଚଳାଉଛି ବିଜେପି । ଜଗତସିଂହପୁର ଟିକେଟ୍ ପାଇଁ ଖୋଲାଖୋଲି ଶକ୍ତି ପ୍ରଦର୍ଶନ କଲେଣି ଆଶାୟୀ । ମୟୂରଭଞ୍ଜ ରାଇରଙ୍ଗପୁର ସାରସକଣା, କରଞ୍ଜିଆ, ବାଙ୍ଗିରିପୋଷିରେ ଦଳ ପ୍ରାର୍ଥୀ ଘୋଷଣା କରିନି ତ ଚୂଡାନ୍ତ ହୋଇନି ଭଦ୍ରକର ଭଣ୍ଡାରୀପୋଖରୀ ଓ ବାସୁଦେବପୁର ଟିକେଟ୍ । ବାଲେଶ୍ୱରର ବସ୍ତା, ନୀଳଗିରି ଓ ଭୋଗରାଇରେ ବି ସମାନ ସ୍ଥିତି । କୋରାପୁଟରେ ଜୟପୁର, ଲକ୍ଷ୍ମୀପୁର, ବିଷମକଟକ, ରାୟଗଡା ହେଉ କି ସାନଖେମୁଣ୍ଡି, ମୋହନା ବିଜେପିର ଚିନ୍ତା ବଢାଇଲାଣି ପ୍ରାର୍ଥୀ ନିଷ୍ପତ୍ତି ।

ଅସନ୍ତୁଷ୍ଟଙ୍କୁ ଆମଦାନୀ ଆଶାରେ କଂଗ୍ରେସ !

ବିଜେଡି, ବିଜେପିରେ ଦଳଡିଆଁ ଜୋରସୋରରେ ଚାଲିଥିବା ବେଳେ ଉଭୟ ଦଳରେ ବଢୁଛି ଅସନ୍ତୁଷ୍ଟ ନେତାଙ୍କ ସଂଖ୍ୟା । ଅସନ୍ତୁଷ୍ଟଙ୍କ ଉପରେ କଂଗ୍ରେସ ନଜର ରଖିଥିବା କୁହାଯାଉଛି । ଅନ୍ୟ ଦଳର ଅସନ୍ତୁଷ୍ଟ ନେତାଙ୍କୁ ଦଳୀୟ ଟିକେଟ୍ ଦେବାକୁ ବି ଚିନ୍ତା କରୁଛି କଂଗ୍ରେସ । କଂଗ୍ରେସରୁ ଅଧିକାଂଶ ନେତା ଅନ୍ୟ ଦଳକୁ ଯାଉଥିବା ବେଳେ ଟିକେଟ୍ ଟେନସନ ବଢିଛି । କିଛି ସ୍ଥାନରେ ଯୋଗ୍ୟ ପ୍ରାର୍ଥୀ ଦଳ ଛାଡିବା ପରେ ବିକଳ୍ପ ନେତା ପ୍ରସ୍ତୁତ କରିବାକୁ ସମୟ ଲାଗୁଛି ।

Comments are closed.