Latest Odisha News

BREAKING NEWS

କାହିଁକି ସହଯୋଗୀ ଚାହୁଁଛନ୍ତି ବାଚସ୍ପତି ପଦ ?

ଭୁବନେଶ୍ବର : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ୭୨ଜଣ ମନ୍ତ୍ରୀ ବି ଶପଥ ଗ୍ରହଣ କରିଛନ୍ତି। ବିଜେପି ଏଥର ବହୁମତଠାରୁ ଦୂରରେ ରହିଥିବା ବେଳେ ମେଣ୍ଟ ସହଯୋଗୀଙ୍କ ସାହାରାରେ ସରକାର ଗଠନ କରିଛି । ପ୍ରମୁଖ ସହଯୋଗୀ ଦଳ ଟିଡିପି ଓ ଜେଡିୟୁକୁ ଦୁଇଟି ଲେଖାଏଁ ମନ୍ତ୍ରୀପଦ ମିଳିଛି । ଗୋଟିଏ କ୍ୟାବିନେଟ୍ ଓ ଗୋଟିଏ ରାଷ୍ଟ୍ରପାହ୍ୟା ମନ୍ତ୍ରୀପଦ ମିଳିଛି । ହେଲେ ଲୋକସଭାରେ କିଏ ହେବେ ବାଚସ୍ପତି? ସେନେଇ ଏବେବି ସସପେନ୍ସ ଲାଗିରହିଛି । କୁହାଯାଉଛି, ଉଭୟ ଟିଡିପି ଓ ଜେଡିୟୁ ବାଚସ୍ପତି ପଦ ଉପରେ ନଜର ରଖିଛନ୍ତି । ତେବେ ବିଜେପି ଏହି ଗୁରୁତ୍ବପୂର୍ଣ୍ଣ ପଦ ନିଜ ପାଖରେ ହିଁ ରଖିବାକୁ ଚାହୁଁଛି ।

କେମିତି ନିର୍ବାଚିତ ହୁଅନ୍ତି ବାଚସ୍ପତି ?
ନୂଆ ଲୋକସଭାର ପ୍ରଥମ ବୈଠକ ପୂର୍ବରୁ ହିଁ ବାଚସ୍ପତି ପଦ ଖାଲି ହୋଇଯାଏ । ବରିଷ୍ଠତା ଭିତ୍ତିରେ ରାଷ୍ଟ୍ରପତିଙ୍କ ଦ୍ବାରା ନିଯୁକ୍ତ ପ୍ରୋଟେମ୍ ସ୍ପିକର ନବନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାନ୍ତି। ଏହାପରେ ଲୋକସଭାରେ ବହୁମତ ଭିତ୍ତିରେ ବାଚସ୍ପତି ନିର୍ବାଚିତ ହୁଅନ୍ତି। ଗତ ଦୁଇଟି ଟର୍ମରେ ବିଜେପିର ବହୁମତ ରହିଥିବାରୁ ଦଳରୁ ହିଁ ବାଚସ୍ପତି ରହିଥିଲେ । ପ୍ରଥମ ଟର୍ମରେ ସୁମିତ୍ରା ମହାଜନ ଓ ଦ୍ବିତୀୟରେ ଓମ୍ ବିର୍ଲା ବାଚସ୍ପତି ଥିଲେ । ହେଲେ ଏଥର ମେଣ୍ଟ ସହଯୋଗୀ ବି ବାଚସ୍ପତି ପଦ ଉପରେ ନଜର ରଖିଥିବା କୁହାଯାଉଛି ।

କାହିଁକି ବାଚସ୍ପତି ପଦ ଗୁରୁତ୍ବପୂର୍ଣ୍ଣ ?
ଲୋକସଭାର ଅଧ୍ୟକ୍ଷ ହୋଇଥାନ୍ତି ବାଚସ୍ପତି। ଗୃହ କାର୍ଯ୍ୟ ସଂଚାଳନ ସହ ନିର୍ଦ୍ଧାରିତ ନିୟମ ଅନୁସାରେ ବ୍ୟବସ୍ଥା ସୁଚାରୁ ରୂପେ ରଖିବା ଦାୟିତ୍ବ ରହିଥାଏ। ବାଚସ୍ପତି ଗୋଟିଏ ଦଳରୁ ନିର୍ବାଚିତ ହୋଇ ସାଂସଦ ହୋଇଥିଲେ ମଧ୍ୟ ଗୃହରେ ତାଙ୍କର ଭୂମିକା ନିରପେକ୍ଷ ରହିଥାଏ । ବୈଠକର ଏଜେଣ୍ଡା, କେଉଁ ବିଲ୍ ଉପରେ କେବେ ହେବ ଭୋଟିଂ, କିଏ ଭୋଟ୍ କରିବେ ଏଭଳି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଶେଷ ନିଷ୍ପତ୍ତି ନିଅନ୍ତି ବାଚସ୍ପତି । ବିରୋଧୀ ଦଳ ନେତାଙ୍କୁ ମାନ୍ୟତା ବି ଦିଅନ୍ତି ବାଚସ୍ପତି ।

କାହିଁକି ମେଣ୍ଟ ସହଯୋଗୀ ଚାହୁଁଛନ୍ତି ବାଚସ୍ପତି ପଦ ?
ରାଜନୀତିର ପୁରୁଣା ଖେଳାଳି ଏନ୍ ଚନ୍ଦ୍ରବାବୁ ନାଇଡୁ ଓ ନୀତିଶ କୁମାର ଲୋକସଭା ବାଚସ୍ପତି ପଦ ଉପରେ ନଜର ରଖିଛନ୍ତି । ପୂର୍ବରୁ ଅନେକ ଥର ସରକାରରେ ରହିଥିବା ଦଳରେ ବିଦ୍ରୋହ ଦେଖା ଦେବା ସହ କେତେକ ସ୍ଥାନରେ ସରକାର ବି ଭାଙ୍ଗିଛି । ଏଭଳି ସ୍ଥିତିରେ ବାଚସ୍ପତିଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ସେହିପରି ବିଦ୍ରୋହ କ୍ଷେତ୍ରରେ ଗୃହର ସଦସ୍ୟଙ୍କ ଅଯୋଗ୍ୟତା ନେଇ ନିଷ୍ପତ୍ତି ବାଚସ୍ପତି ନେଇପାରିବେ। ନୀତିଶ କୁମାର ପୂର୍ବରୁ ବି ବିଜେପି ତାଙ୍କ ଦଳ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ । ତେଣୁ ନୀତିଶ ହୁଅନ୍ତୁ କି ନାଇଡୁ, କୌଣସି ମତେ ନିଜ ଦଳରେ ବିଦ୍ରୋହ ଆଶଙ୍କାରେ ରହିବାକୁ ଚାହୁଁନାହାନ୍ତି । ଆଉ ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ବାଚସ୍ପତି ପଦ ନିଜ ହାତରେ ରଖିବାକୁ ଚାହୁଁଛନ୍ତି।

କାହିଁକି ବିଜେପି ଦେବାକୁ ଚାହୁଁନି ବାଚସ୍ପତି ପଦ?
ଲୋକସଭା ବାଚସ୍ପତିଙ୍କ ପାଖରେ ଅନେକ ସାମ୍ବିଧାନିକ କ୍ଷମତା ରହିଥାଏ । ଆଉ ସେଥିପାଇଁ ମେଣ୍ଟ ସହଯୋଗୀଙ୍କୁ ପଦ ଛାଡିବାକୁ ଚାହୁଁନି ବିଜେପି । ୧୯୯୯ ମସିହାରେ ଅଟଳ ବିହାରୀ ବାଜପେୟୀ ସରକାର ଅନାସ୍ଥା ପ୍ରସ୍ତାବ ହାରିବାରେ ଟିଡିପିର ବାଚସ୍ପତିଙ୍କର ଭୂମିକା ରହିଥିଲା । କଂଗ୍ରେସ ସାଂସଦ ଗିରିଧର ଗମାଙ୍ଗ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପରେ ବି ଭୋଟ୍ ଦେଇ ପାରିବେ କି ନାହିଁ ସେନେଇ ନିଷ୍ପତ୍ତି ବାଚସ୍ପତି ନେବାର ଥିଲା । ସେତେବେଳର ବାଚସ୍ପତି ଜିଏମ୍ ବାଲଯୋଗୀ ବିବେକ ଆଧାରରେ ଭୋଟ୍ ଦେବାକୁ ରୁଲିଂ ଦେଇଥିଲେ । ଫଳରେ ଗମାଙ୍ଗଙ୍କ ଗୋଟିଏ ଭୋଟରେ ବାଜପେୟୀ ସରକାର ଅନାସ୍ଥା ପ୍ରସ୍ତାବ ହାରିଥିଲା । ତେଣୁ ନିଜ ହାତରେ ଗୁରୁତ୍ବପୂର୍ଣ୍ଣ ବାଚସ୍ପତି ପଦ ରଖିବାକୁ ଚାହୁଁଛି ବିଜେପି ।

ବାଚସ୍ପତି ରେସରେ କିଏ?
ବାଚସ୍ପତି ପଦ ପାଇଁ ରେସରେ ସବୁଠୁ ଆଗରେ ରହିଛନ୍ତି ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡି ପୁରନ୍ଦେଶ୍ବରୀ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଡିପିର ପ୍ରତିଷ୍ଠାତା ଏନଟି ରାମାରାଓଙ୍କ ଝିଅ ପୁରନ୍ଦେଶ୍ବରୀଙ୍କୁ ବାଚସ୍ପତି ପଦ ଦେଇପାରେ ବିଜେପି । ସେଥିପାଇଁ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇନଥିବା କୁହାଯାଉଛି। ସେହିପରି ଗତଥରର ବାଚସ୍ପତି ଓମ୍ ବିର୍ଲା ଏଥର ମଧ୍ୟ ବାଚସ୍ପତି ହୋଇପାରନ୍ତି । ତାଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇନି । ଓମ୍ ବିର୍ଲାଙ୍କ ନାଁ ବିଜେପି ରାଷ୍ଟ୍ରୀୟ ସଭାପତି ପଦ ପାଇଁ ବି ଚର୍ଚ୍ଚାରେ ରହିଛି । କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁ ମଧ୍ୟ ବାଚସ୍ପତି ପଦ ପାଇଁ ଚର୍ଚ୍ଚାରେ ରହିଛି। ମୋଦି ଓ ଅମିତ ଶାହାଙ୍କ ସହ ଘନିଷ୍ଠତା ସହ ସଂସଦୀୟ ବ୍ୟାପାରରେ ଭର୍ତ୍ତୃହରିଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ତାଙ୍କୁ ବାଚସ୍ପତି ପଦ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.