Latest Odisha News

BREAKING NEWS

ଓଡିଶାରେ ସିଏମ୍ ସସପେନ୍ସ

ଭୁବନେଶ୍ବର : ଓଡିଶାରେ କିଏ ହେବେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ? ଦିନ ଗଡ଼ିବା ସହ ବଢୁଛି ସସପେନ୍ସ। ରାଜ୍ୟରେ ବିଜେପିକୁ ବହୁମତ ମିଳିବା ପରଠୁ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ଚର୍ଚ୍ଚା ଚାଲିଛି। ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ବିଭିନ୍ନ ରାଜ୍ୟରେ ସିଏମ୍ ପଦ ନେଇ ସରପ୍ରାଇଜ୍ ଦେଇଛି ବିଜେପି। ତେଣୁ ଓଡିଶାରେ ଅଭିଜ୍ଞ ନା ନବାଗତ କିଏ ହେବେ ମୁଖ୍ୟମନ୍ତ୍ରୀ ? ମହିଳା କିମ୍ବା ଆଦିବାସୀ ଚେହେରାଙ୍କୁ ସିଏମ୍ ସିଂହାସନରେ ବସାଇବ କି ବିଜେପି ? ଅନେକ ନାଁ ଚର୍ଚ୍ଚାରେ ରହିଥିଲେ ବି ସିଏମ୍ ରେସରେ ସବୁଠୁ ଆଗରେ ରହିଛନ୍ତି ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ।

ରେସରେ ଆଗରେ ସୁରେଶ ପୂଜାରୀ
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରୁ ନିର୍ବାଚିତ ବିଧାୟକ ସୁରେଶ ପୂଜାରୀ ହେବେ କି ନୂଆ ମୁଖ୍ୟମନ୍ତ୍ରୀ । ସୁରେଶଙ୍କୁ ଦିଲ୍ଲୀ ଡାକରା ପରେ ତାଙ୍କ ନାଁ ନେଇ ଚର୍ଚ୍ଚା ବଢିଛି । ଦୁଇ କେନ୍ଦ୍ରୀୟ ନେତା ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଚୟନ ଦାୟିତ୍ବ ଦିଆଯାଇଛି। ମଙ୍ଗଳବାର ଉଭୟ ବିଧାୟକ ଦଳ ବୈଠକରେ ଯୋଗଦେବେ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇପାରେ। ସୁରେଶ ପୂଜାରୀ ରାଜ୍ୟ ବିଜେପିର ପୁରୁଣା ନେତା । ପୂର୍ବରୁ ସେ ରାଜ୍ୟ ବିଜେପି ସଭାପତି ରହିଥିଲେ । ୨୦୧୯ରେ ବରଗଡ଼ ଲୋକସଭାରୁ ସାଂସଦ ହୋଇଥିଲେ । ପଶ୍ଚିମବଙ୍ଗ ସହ ବିଭିନ୍ନ ରାଜ୍ୟର ପ୍ରଭାରୀ ବି ରହିଛନ୍ତି । ତେଣୁ ସୁରେଶ ପୂଜାରୀଙ୍କୁ ମୁଖ୍ୟମନ୍ତ୍ରୀ କରି ପଶ୍ଚିମ ଓଡିଶା କାର୍ଡ ଖେଳିପାରେ ବିଜେପି। ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନାଁ ବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ରହିଛି। ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ନେଇ ନିର୍ବାଚନ ପୂର୍ବରୁ ଆଲୋଚନା ଚାଲିଥିବା ବେଳେ ମେଣ୍ଟ ନକରିବାକୁ ଜିଦ୍ ଧରିଥିଲେ ମନମୋହନ । ଆଉ ରାଜ୍ୟରେ ବିଜେପିକୁ ଆଶାତୀତ ସଫଳତା ମିଳିଛି। ରାଜ୍ୟରେ ବିଜେପିର ଐତିହାସିକ ବିଜୟ ଶ୍ରେୟ କେଉଁଠି ନା କେଉଁଠି ମନମୋହନ ସାମଲଙ୍କୁ ଯାଉଛି। ଚାନ୍ଦବାଲିରୁ ସେ ନିର୍ବାଚନ ହାରି ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ହେଲେ ମନମୋହନଙ୍କୁ ଉପନିର୍ବାଚନ ଲଢିବାକୁ ପଡିବ। ସିଏଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କ ନାଁ ବି ରହିଛି ସିଏମ ରେସରେ।

ହେବେ କି ଦୁଇ ଉପମୁଖ୍ୟମନ୍ତ୍ରୀ?
ମଧ୍ୟପ୍ରଦେଶ, ଛତିଶଗଡ଼ ଫର୍ମୂଲାରେ ରାଜ୍ୟରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି। ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ପାଟଣାଗଡରୁ ନିର୍ବାଚିତ କେଭି ସିଂହଦେଓ, ମୋହନ ମାଝୀ, ରବି ନାୟକଙ୍କ ସହ ସୁରମା ପାଢୀଙ୍କ ନାଁ ଚର୍ଚ୍ଚାରେ ରହିଛି। ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀ ହେଲେ ପଶ୍ଚିମ ଓଡିଶାରୁ କୌଣସି ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିନପାରେ । କେଭି ସିଂହଦେଓ ରାଜ୍ୟ ବିଜେପିର ଟାଣୁଆ ନେତା ରହିଥିବା ବେଳେ ସୁରମା ପାଢୀ ଅନ୍ୟତମ ମହିଳା ଚେହେରା ।

ସିଏମ ରେସରୁ ଧର୍ମେନ୍ଦ୍ର ଆଉଟ୍
ରାଜ୍ୟରେ ବିଜେପି ନିର୍ବାଚନ ଜିତିବା ପରଠୁ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲା। ଅଭିଜ୍ଞତା ଓ ଦକ୍ଷତା ଦୃଷ୍ଟିରୁ ଧର୍ମେନ୍ଦ୍ର ସିଏମ୍ ହୋଇପାରନ୍ତି ବୋଲି କୁହାଯାଉଥିଲା। ତେବେ ରବିବାର ମୋଦିଙ୍କ କ୍ୟାବିନେଟରେ ଶପଥ ନେଇଛନ୍ତି ଧର୍ମେନ୍ଦ୍ର । ଏଥିସହ ଧର୍ମେନ୍ଦ୍ରଙ୍କ ନାଁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଲାଗିଛି। ଧର୍ମେନ୍ଦ୍ରଙ୍କୁ କେନ୍ଦ୍ରରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଗତ ଦୁଇଟି ଟର୍ମରେ ପେଟ୍ରୋଲିୟମ ଓ ଶିକ୍ଷା ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ ଧର୍ମେନ୍ଦ୍ର । ଏଥର ବି ତାଙ୍କୁ ବଡ ବିଭାଗ ମିଳିପାରେ ।

କେମିତି ହେବ ବିଜେପି ମନ୍ତ୍ରିମଣ୍ଡଳ?
ଓଡିଶାରେ ବିଜେପି ସରକାରରେ ୧୨ରୁ ୧୪ଜଣ କ୍ୟାବିନେଟ୍ ମନ୍ତ୍ରୀ ରହିପାରନ୍ତି । ରାଜ୍ୟର ସବୁ ଅଞ୍ଚଳକୁ ଫୋକସ କରିବା ସହ ମହିଳା, ଅନୁସୂଚିତ ଜାତି ଓ ଜନଜାତି ଏବଂ ଯୁବକଙ୍କ ସମନ୍ବୟରେ ମନ୍ତ୍ରିମଣ୍ଡଳ ଗଠନ କରିପାରେ ବିଜେପି। ଅଭିଜ୍ଞ ନେତାଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ଦେବା ସହ କିଛି ନୂଆ ଚେହେରାଙ୍କୁ ବି ସୁଯୋଗ ମିଳିପାରେ। ଆସନ୍ତା ୧୨ତାରିଖରେ ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବ ହେବ ।

Leave A Reply

Your email address will not be published.