Latest Odisha News

କାହିଁକି ତୁର୍କୀ ଗସ୍ତରେ ଯାଇଥିଲେ ପାକ ପ୍ରଧାନମନ୍ତ୍ରୀ ? କ୍ଷତିଗ୍ରସ୍ତଙ୍କ ସହାୟତା ଛାଡି ସରିଫଙ୍କୁ କାହିଁକି ସ୍ୱାଗତ କଲେ ଏର୍ଦୋଗନ?

ଇସଲାମବାଦ: ଭୂକମ୍ପ ଝଟକା ପରେ ତୁର୍କୀର ସ୍ଥିତି ବିପର୍ଯ୍ୟସ୍ତ । ମୃତ୍ୟୁର ତାଣ୍ଡବ ସାରା ଦେଶକୁ ଭୟଭୀତ କରି ରଖିଛି । ଦେଶରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲାଣି । ଦେଶ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟରେ ଲାଗିଥିବାବେଳେ  ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଗୁରୁବାର ତୁର୍କୀ ଗସ୍ତରେ ଯାଇଥିଲେ ।

ପାକ ପ୍ରଧାନମନ୍ତ୍ରୀ ସରିଫ ତୁର୍କୀ ରାଷ୍ଟ୍ରପତି ରେଚେପ ତୈୟପ ଏର୍ଦୋଗନଙ୍କ ସହ ସକ୍ଷାତ କରିଛନ୍ତି । ଭୂକମ୍ପରେ ହୋଇଥିବା କ୍ଷୟକ୍ଷତି ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ପାକିସ୍ତାନ ତରଫରୁ ସମବେଦନା ଜଣାଇଛନ୍ତି । ତେବେ ଏପରି ସ୍ଥିତିରେ ପାକ ପ୍ରଧାନମନ୍ତ୍ରୀ କାହିଁକି ତୁର୍କୀ ଯାଇଥିଲେ ? ଭୂକମ୍ପ ପରେ ଶାହବାଜଙ୍କ ଗସ୍ତକୁ ପ୍ରଥମେ ବାତିଲ କରିଥିଲା ତୁର୍କୀ  । ହେଲେ ବାତିଲ ହେବାର କିଛି ଦିନ ପରେ ସରିଫ ୨ ଦିନିଆ ତୁର୍କୀ ଯାଇଥିଲେ । ଯାହା ବି ହେଉ, ପାକ ପିଏମଙ୍କ ସ୍ୱାଗତ ପଛରେ ତୁର୍କୀର ବି ଏକ ପୁରୁଣା ଲୋଭ ଛପି ରହିଛି ଯେଉଁଥି ପାଇଁ ଭୂକମ୍ପ ପ୍ରପୀଡିତ ଲୋକଙ୍କ ସହାୟ୍ରତା ଛାଡି ସରିଫଙ୍କୁ ସ୍ୱାଗତ କଲେ ଏର୍ଦୋଗନ ।

ଏର୍ଦୋଗନଙ୍କୁ ସାକ୍ଷାତ କରିବା ପରେ ଶାହବାଜ ଶରିଫ କହିଛନ୍ତି,  ତୁର୍କୀର ଏପରି ସ୍ଥିତିରେ ଆମେ ତାଙ୍କୁ ଦୃଢ ସମର୍ଥନର ଆଶ୍ୱାସନା ଦେଇଛୁ । ମୋର ଭରସା ରହିଛି, ଏର୍ଦୋଗନଙ୍କ ନେତୃତ୍ୱରେ ତୁର୍କୀ ଏହି ବିପଦରୁ ମୁକୁଳି ପାରିବ ।

ଏକ ସପ୍ତାହ ତଳେ ପାକ ପ୍ରଧାନମନ୍ତ୍ରୀଙ୍କ ତୁର୍କୀ ଗସ୍ତ କାର୍ଯ୍ୟକ୍ରମ ଥିଲା । ହେଲେ ଏହି ସମୟରେ ଭୂକମ୍ପ ପ୍ରଳୟ ରଚିଥିଲା । ଏହାକୁ ଦେଖି ଶରିଫଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଥିଲା । ଭୂକମ୍ପ ଜନିତ ଉଦ୍ଧାର କାମରେ ବ୍ୟସ୍ତ ଥିବା ଦର୍ଶାଇ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା  । ଭୂମିକମ୍ପର ୨ ଦିନ ପରେ ଅର୍ଥାତ ୮ ତାରିଖ ଶରିଫ, ବୈଦେଶିକ ବ୍ୟାପାର ମନ୍ତ୍ରୀ ବିଲାବଲ ଭୁଟ୍ଟୋ ଏବଂ ଅନ୍ୟ ଅଧିକାରୀଙ୍କର  ତୁର୍କୀ ଗସ୍ତ କାର୍ଯ୍ୟକ୍ରମ ଥିଲା ।

ତେବେ କାହିଁକି ପାକ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଟାଳି ପାରିଲାନି ତୁର୍କୀ ? ପାକିସ୍ତାନ ଏବଂ ତୁର୍କୀ ପୁରୁଣା ବନ୍ଧୁ ଥିଲେ । ଆନ୍ତର୍ଜାତିକ ମଞ୍ଚରେ ପାକିସ୍ତାନ ଯେତେବେଳେ ଭାରତ ବିରୁଦ୍ଧରେ ବିଷ ଉଗାଳୁଥିଲା ତୁର୍କୀ ତାକୁ ସମର୍ଥନ କରିଥିଲା । ପାକିସ୍ତାନରେ ଶୀର୍ଷ କ୍ଷମତାରେ ଇମ୍ରାନ ଖାନ ରୁହନ୍ତୁ ବା ଶରିଫ, ତୁର୍କୀ ସହ ଗଭୀର ସମ୍ପର୍କ ଥାଏ । ତେବେ ଏହି ଦୋସ୍ତି ପଛରେ ରହିଛି ଅଙ୍କାରାର ଏକ ବଡ ଲୋଭ  । ୨୦୨୧ରେ ବିଶେଷଜ୍ଞମାନେ ଚେତବାନୀ ଦେଇଥିଲେ, ପାକିସ୍ତାନ ତୁର୍କୀକୁ ପରମାଣୁ ବୋମା ଏବଂ ମିସାଇଲ ତିଆରି କରିବାର ଟେକନିକ ପ୍ରଦାନ କରିବ । ନାଟୋର ସଦସ୍ୟ ଥିବା ତୁର୍କୀ ପାକିସ୍ତାନ ସହ ମିଶି ପରମାଣୁ ଅସ୍ତ୍ର ହାସଲ କରିବାକୁ ଚାହୁଁଥିଲା ।

ଅନ୍ତରାଷ୍ଟ୍ରୀୟ ରାଜନୈତିକ ବିଶ୍ଳେଷକ ପ୍ରଫେସର ଜନ ନୋମିକୋସ ଏହା ଜାଣିବା ପରେ ୨୦୨୧ରେ ଚେତାବନୀ ଦେଇଥିଲେ ଯେ ତୁର୍କୀ ଏବଂ ପାକିସ୍ତାନର ଦୋସ୍ତୀ ଗ୍ରୀସ ଏବଂ ମିଶର ପାଇଁ ବଡ ବିପଦ ହୋଇପାରେ । ତୁର୍କୀ ପରମାଣୁ ଅସ୍ତ୍ର ସମ୍ପନ୍ନ ଦେଶ ହେବାକୁ ରୋକିବା ପାଇଁ ସେ ଆମେରିକାକୁ ଅନୁରୋଧ ବି କରିଥିଲେ ।

ନ୍ୟୁଜ ଏଜେନ୍ସି ଆଇଏଏନଏସର ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଏବଂ ତୁ୍କୀ ମଧ୍ୟରେ ପରମାଣୁ ଅସ୍ତ୍ର  ଏବଂ ମିସାଇଲ ନିର୍ମାଣକୁ ନେଇ ଗୁପ୍ତ ବୁଝାମଣା ହୋଇଛି । ଏହି ପରମାଣୁ ଅସ୍ତ୍ର ଲୋଭରେ ତୁର୍କୀ ପାକିସ୍ତାନ ପଛରେ ପଡିଛି  ଏବଂ ତା ସହ ଦୋସ୍ତି ବଢାଉଛି । ଏହାଦ୍ୱାର ଆରବରେ ତୁର୍କୀ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛି । ପରମାଣୁ ଅସ୍ତ୍ର ହାସଲ କରିବା ଏର୍ଦୋଗନଙ୍କର ଅନେକ ଦିନର ସ୍ୱପ୍ନ । ସେ ପାକିସ୍ତାନର ସହାୟତା ନେଇ ଏହି ସ୍ୱପ୍ନ ପୂରଣ କରିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ଦେଶର ଆର୍ଥିକ ସ୍ଥିତିକୁ ମଧ୍ୟ ସଙ୍କଟରେ ପକାଇ ଦେଇଛନ୍ତି ।

ତୁର୍କୀରେ ଭୟଙ୍କର ଭୂକମ୍ପ ପରେ ଏବେ ଉଦ୍ଧାର, ଚିକିତ୍ସା ଏବଂ ଥଇଥାନ ପାଇଁ ବିଶ୍ୱର ସହାୟତାକୁ ଅପେକ୍ଷା କରିଛି ତୁର୍କୀ । ଏହି କାମ ସଠିକ ଭାବେ କରିବା ଏବେ ଦେଶ ପାଇଁ ଏକ ଚାଲେଞ୍ଜ । ତୁର୍କୀର ଏପରି ସ୍ଥିତିରେ କାଙ୍ଗାଳ ପାକିସ୍ତାନ ପକ୍ଷରୁ କୌଣସି ପ୍ରକାର ସହାୟତା ଆଶା କରିବା ଭୁଲ । ଏପରି ସ୍ଥିତିରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଲୋକଙ୍କ ଶରୀରରେ ମଲମ ଲଗାଇବା ବଦଳରେ ତୁର୍କୀ ପ୍ରଶାସନ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିବା ଘଟଣାକୁ ସେଠିକାର ଲୋକ ସହଜରେ ଗ୍ରହଣ କରୁଥିବେ ତ ?

Leave A Reply

Your email address will not be published.