ଭୁବନେଶ୍ବର: ଆଜି ହେଉଛି ‘ଆର୍ମି ଡେ’। ପ୍ରତିବର୍ଷ ଜାନୁୟାରୀ ୧୫ ତାରିଖକୁ ସେନା ଦିବସ ଭାବେ ପାଳନ କରାଯାଇଥାଏ । ଯୁଦ୍ଧ ହେଉ ଅବା, ଦେଶର ପ୍ରାକୃତିକ ବିପର୍ଯ୍ୟୟର ଉଦ୍ଧାର କାର୍ଯ୍ୟ ହେଉ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଅସହାୟ ଲୋକଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ଆମର ଭାରତୀୟ ସୈନ୍ୟ ସବୁବେଳେ ଦେଶବାସୀଙ୍କ ପାଇଁ ଛିଡାହୋଇଥାନ୍ତି । ଦେଶର ସୀମାରେ ମୁତୟନ ବୀର ଯବାନଙ୍କ ବୀରତ୍ବ, ଶୌର୍ଯ୍ୟ, ପରାକ୍ରମ, ସେବା, ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବାର ଦିନଟିଏ ହେଲା ଜାନୁୟାରୀ ୧୫ । ଭାରତୀୟ ସେନାର ଏକ ପ୍ରମୁଖ ଅଙ୍ଗ ହେଉଛି ସ୍ଥଳ ସେନା । ସେମାନଙ୍କର ବୀରତ୍ବକୁ ନେଇ ଗର୍ବ ଅନୁଭବ କରନ୍ତି ପ୍ରତ୍ୟେକ ଭାରତୀୟ ।
ତେବେ ପ୍ରତି ବର୍ଷ ୧୫ ଜାନୁୟାରୀକୁ ଦେଶ ସେନା ଦିବସ ପାଳନ କରେ । ତେବେ କାହିଁକି ଏହି ଦିନ ପାଳନ କରାଯାଏ ଜାଣିଛନ୍ତି କି? ଆସନ୍ତୁ ଜାଣିବା, ୧୯୪୭ରେ ଦେଶ ସ୍ବାଧୀନତା ହେବା ପରେ ମଧ୍ୟ ୧୯୪୯ ପର୍ଯ୍ୟନ୍ତ ଭାରତ ସେନାରେ ବ୍ରିଟିଶ ସେନା ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ୧୯୪୯ ପର୍ଯ୍ୟନ୍ତ ଭାରତୀୟ ସେନାର ମୁଖ୍ୟଥିଲେ ବ୍ରିଟିଶ ସେନାଧ୍ୟକ୍ଷ । ସ୍ବାଧୀନ ଭାରତର ଶେଷ ବ୍ରିଟିଶ ସେନାଧ୍ୟକ୍ଷ ଥିଲେ କମାଣ୍ଡର ଇନ ଚିଫ ଜେନେରାଲ ଫ୍ରାନ୍ସିସ ବୁଚର । ସେ ଯିବା ପରେ ଲେଫ୍ଟନାଣ୍ଟ ଜେନେରାଲ କେଏମ କରିୟପ୍ପା ଭାରତୀୟ ସେନାର ଦାୟିତ୍ବ ନେଇଥିଲେ । କେଏମ କରିୟପ୍ପା ଭାରତ ପ୍ରଥମ ଫିଲ୍ଡ ମାର୍ଶଲ ଥିଲେ । ସେ ହିଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧର ନେତୃତ୍ୱ ନେଇଥିଲେ। କେ.ଏମ କରିୟପ୍ପା ୧୯୯୩ ରେ ୯୪ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ ।
ଜାନୁଆରୀ ୧୫ ରେ, କେଏମ କରିୟପ୍ପା ଜେନେରାଲ ଫ୍ରାନ୍ସିସ୍ ବୁଚରଙ୍କ ଠାରୁ ଭାରତୀୟ ସେନାର ଦାୟିତ୍ହ ନେଇଥିଲେ। ସେତେବେଳେ ଭାରତୀୟ ସେନାର ସୈନ୍ୟ ସଂଖ୍ୟା ୨ ଲକ୍ଷ ଥିଲା । ଭାରତୀୟ ସେନା ପାଇଁ ଏହା ଏକ ଐତିହାସିକ ଦିନ ଥିଲା । ଏହି ଦିନ ପ୍ରଥମ ଥର ପାଇଁ ଦେଶର ସେନାର ନେତୃତ୍ୱ ଜଣେ ଭାରତୀୟଙ୍କ ହାତକୁ ଆସିଲା। ଏହି କାରଣରୁ ପ୍ରତିବର୍ଷ ଜାନୁଆରୀ ୧୫ ରେ ଭାରତୀୟ ସେନା ଦିବସ ପାଳନ କରାଯାଏ ।