Latest Odisha News

BREAKING NEWS

କାହିଁକି ଓଡିଶା ଆସିଲେ ଓ୍ବାଇ ବି ଖୁରାନିଆ?

ଭୁବନେଶ୍ବର: ଓଡିଶା ଫେରିବେ ୧୯୯୦ ବ୍ୟାଚର ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆ । ଖୁରାନିଆଙ୍କୁ ଓଡିଶା କ୍ୟାଡରକୁ ତତ୍କାଳ ପ୍ରଭାବରେ ଫେରାଇ ଆଣିବା ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟ ନିଯୁକ୍ତି କମିଟି ଅନୁମୋଦନ କରିଛି । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଖୁରାନିଆଙ୍କ କେନ୍ଦ୍ରୀୟ ଡେପୁଟେସନ ଆଗୁଆ ଶେଷ କରି ଓଡିଶା ଫେରାଇ ଦିଆଯାଇଥିବାରୁ ସେ ରାଜ୍ୟର ପରବର୍ତ୍ତୀ ଡିଜିପି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏବେ ୧୯୯୦ ବ୍ୟାଚର ଆଇପିଏସ୍ ଅରୁଣ ଷଡ଼ଙ୍ଗୀ ଅସ୍ଥାୟୀ ଭାବେ ପୋଲିସ ଡିଜି ଦାୟିତ୍ବରେ ରହିଛନ୍ତି । ତେବେ ଜାତୀୟ ଗଣମାଧ୍ୟମରେ ଖୁରାନିଆଙ୍କୁ ନେଇ ହେଉଛି ଭିନ୍ନ ଚର୍ଚ୍ଚା।

ପଦୋନ୍ନତି ନା ପଦରୁ ହଟିଲେ ?

କେନ୍ଦ୍ରୀୟ ଡେପୁଟେସନରୁ ତତ୍କାଳ ପ୍ରଭାବରେ ମୂଳ କ୍ୟାଡର ଓଡିଶାକୁ କାହିଁକି ଫେରୁଛନ୍ତି ଓ୍ବାଇ ବି ଖୁରାନିଆ ? ସେ ରାଜ୍ୟର ପୋଲିସ ଡିଜି ହେବା ନେଇ ଚର୍ଚ୍ଚା ଭିତରେ ତାଙ୍କୁ ବିଏସଏଫ ସ୍ପେଶାଲ ଡିଜି ପଦରୁ ହଟାଯାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଜାମ୍ମୁ କାଶ୍ମୀରରେ ଗତ ବର୍ଷେ ମଧ୍ୟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ବୃଦ୍ଧି ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ବିଏସଏଫ ଡିଜି ନୀତିନ ଅଗ୍ରଓ୍ବାଲଙ୍କୁ ତାଙ୍କ ମୂଳ କ୍ୟାଡର କେରଳ ପଠାଯାଇଥିବା ବେଳେ ସ୍ପେଶାଲ ଡିଜି ଖୁରାନିଆଙ୍କୁ ଓଡିଶା ପଠାଯାଇଛି । ଆତଙ୍କବାଦୀ ଅନୁପ୍ରବେଶକୁ ନେଇ କେନ୍ଦ୍ର ସରକାରଙ୍କର ବଡ ଆକ୍ସନ୍ ଭାବେ ଜାତୀୟ ଗଣମାଧ୍ୟମ ଏହାକୁ ଦେଖାଉଛନ୍ତି ।

ଜାମ୍ମୁରେ ବଢିଛି ଆତଙ୍କୀ ଗତିବିଧି

ଚଳିତବର୍ଷ ଜାମ୍ମୁରେ ଆତଙ୍କବାଦୀ ଅନୁପ୍ରବେଶ ବଢିଛି । ଜୁଲାଇ ୨୧ ମଧ୍ୟରେ ୧୪ଜଣ ସାଧାରଣ ଲୋକ ଓ ୧୪ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି । ୨୪ଟି ଆତଙ୍କବାଦୀ ନିରୋଧୀ ଅପରେସନ୍ ସହ ୧୧ଟି ଆତଙ୍କୀ କାର୍ଯ୍ୟକଳାପ ସାମନାକୁ ଆସିଛି । ଗତବର୍ଷ ଜୁନରେ ନୀତିନ ଅଗ୍ରଓ୍ବାଲ ବିଏସଏଫ୍ ମୁଖ୍ୟ ଭାବେ ଦାୟିତ୍ବ ନେଇଥିଲେ । ପାକିସ୍ତାନ ସୀମାରେ ଫୋର୍ସ ଗଠନର ନେତୃତ୍ବ ନେଉଥିଲେ ଓ୍ବାଇବି ଖୁରାନିଆ । ତେବେ ଜାମ୍ମୁ ସହ ପଞ୍ଜାବ ସେକ୍ଟରରେ ଲଗାତର ଆତଙ୍କବାଦୀ ଅନୁପ୍ରବେଶକୁ ପ୍ରଭାବଶାଳୀ ଶୈଳୀରେ କାବୁ କରିନପାରିବା ଯୋଗୁଁ ଏଭଳି ବଡ ଆକ୍ସନ୍ ନିଆଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ପଦରୁ ହଟିଥିଲେ କେମିତି ସମ୍ଭାଳିବେ?

ପ୍ରାୟ ୨ଲକ୍ଷ ୬୫ହଜାର ସେନା ରହିଥିବା ବିଏସଏଫ ପଶ୍ଚିମରେ ପାକିସ୍ତାନ ଓ ପୂର୍ବରେ ବାଂଲାଦେଶ ସହ ଭାରତର ସୀମାରେ ପହରା ଦିଅନ୍ତି । ତେବେ ବିଏସଏଫର ନେତୃତ୍ବ ନେଉଥିବା ଦୁଇ ବରିଷ୍ଠ ଅଧିକାରୀଙ୍କୁ ଏଭଳି ପଦରୁ ହଟାଇବା ଗତ କିଛି ବର୍ଷ ମଧ୍ୟରେ ପ୍ରଥମ ଘଟଣା । କେଉଁଠି ନା କେଉଁଠି ଦୁଇ ଅଧିକାରୀଙ୍କ ପ୍ରଦର୍ଶନ ସେତେଟା ପ୍ରଭାବଶାଳୀ ରହିନଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ପ୍ରଶ୍ନ ଉଠୁଛି, ଜାତୀୟ ଗଣମାଧ୍ୟମର ଏହି ରିପୋର୍ଟର ସତ୍ୟତା କେତେ? ଯଦି ରିପୋର୍ଟ ସତ ତେବେ ଦୁଇ ଅଧିକାରୀଙ୍କ ପରଫର୍ମାନ୍ସକୁ ନେଇ ନିଶ୍ଚୟ ଭାବେ ପ୍ରଶ୍ନ ଉଠିଛି । ତେଣୁ ଏଭଳି ଅଧିକାରୀଙ୍କୁ ଓଡିଶା ପୋଲିସର ସର୍ବୋଚ୍ଚ ପଦ ଦିଆଯାଇପାରିବ କି ?

ଓଡିଶା ଭଳି ରାଜ୍ୟରେ ଆଇନଶୃଙ୍ଖଳା ସାଙ୍ଗକୁ ନକ୍ସଲ ସମସ୍ୟା ବି ବଡ ଚ୍ୟାଲେଞ୍ଜ ରହିଛି । ଗଞ୍ଜେଇ, ବ୍ରାଉନସୁଗାର ଭଳି ନିଶା ଚୋରାଚାଲାଣ, ସାଇବର କ୍ରାଇମ ବି ଦିନକୁ ଦିନ ବଢିବାରେ ଲାଗିଛି । କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ଓ୍ବାଇବି ଖୁରାନିଆ ଓଡିଶାରେ ବିଭିନ୍ନ ଦାୟିତ୍ବରେ ଦକ୍ଷତା ବି ଦେଖାଇଛନ୍ତି । ତେବେ ସେ ଓଡିଶା ଫେରିବାର ଅର୍ଥ ତାଙ୍କୁ ଓଡିଶା ପୋଲିସ ଡିଜି ଭାବେ ଅବସ୍ଥାପିତ କରିବା କି ନୁହେଁ, ସେଥିରେ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ବଡ ପ୍ରଶ୍ନବାଚୀ ଲଗାଇଛି । ତେବେ ରାଜ୍ୟ ସରକାର ଖୁରାନିଆଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିବା କୁହାଯାଉଛି । ୧୯୮୯ ବ୍ୟାଚର ଆଇପିଏସ ଅଧିକାରୀ ଅମୃତ ମୋହନ ପ୍ରସାଦଙ୍କୁ ସିଆରପିଏଫ ଡିଜି ନିଯୁକ୍ତିକୁ ସମାନ ଦୃଶ୍ୟପଟ୍ଟରେ ଦେଖାଯାଉଛି । ଓଡିଶା କ୍ୟାଡରର ଏହି ଆଇପିଏସ ଅଧିକାରୀ ରାଜ୍ୟ ଜେଲ ଡିଜି ଭାବେ ନିୟୋଜିତ ରହିଛନ୍ତି । ଅମୃତ ମୋହନ ପ୍ରସାଦଙ୍କ ନୂଆ ନିଯୁକ୍ତି ତାଙ୍କ ଜୁନିଅର ତଥା ୧୯୯୦ ବ୍ୟାଚର ଆଇପିଏସ୍ ଖୁରାନିଆଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତି ଦିଗରେ ଦେଖାଯାଉଛି ।

Comments are closed.