ଭୁବନେଶ୍ୱର: କଣ ଆପଣଙ୍କୁ ବାରମ୍ବାର ମିଠା ଖାଇବାକୁ ଇଚ୍ଛା ହେଉଛି। ହୋଇଯାଆନ୍ତୁ ସାବଧାନ ! ଏହା କେବଳ ଏକ ସାଧାରଣ ଅଭ୍ୟାସ ନୁହେଁ, ବରଂ ଆପଣଙ୍କ ଶରୀର ଭିତରେ ଲୁଚି ରହିଥିବା କୌଣସି ବଡ଼ ସମସ୍ୟାର ସଙ୍କେତ ହୋଇପାରେ।
ଯଦି ଆପଣ ଅହରହ ମିଠା ଖାଇବାକୁ ତୀବ୍ର ଇଚ୍ଛା କରୁଛନ୍ତି, ତେବେ ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ। ଆୟୁର୍ବେଦ ଏବଂ ଆଧୁନିକ ଚିକିତ୍ସା ବିଜ୍ଞାନ ଅନୁସାରେ, ଏହା ଶରୀରର ଆଭ୍ୟନ୍ତରୀଣ ଅସନ୍ତୁଳନ ବା ହରମୋନାଲ ଅସନ୍ତୁଳନ ଯୋଗୁଁ ହୋଇଥାଏ।
ଯେତେବେଳେ ଆମେ ଅଧିକ ଥକ୍କା ଅନୁଭବ କରୁ କିମ୍ବା ମାନସିକ ଚାପ ବା ଟେନସନ୍ରେ ଥାଉ, ସେତେବେଳେ ଆମ ମସ୍ତିଷ୍କ ତୁରନ୍ତ ଶକ୍ତି ପାଇଁ ମିଠା ଖାଇବାକୁ ସଙ୍କେତ ଦେଇଥାଏ। ମିଠା ଖାଇବା ଦ୍ୱାରା ଅଳ୍ପ ସମୟ ପାଇଁ ଖୁସି ଲାଗିଥାଏ, କିନ୍ତୁ ଏହା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।
ବିଶେଷଜ୍ଞଙ୍କ ମତରେ, ଶରୀରରେ ଯେତେବେଳେ ‘ବାତ’ ଏବଂ ‘ପିତ୍ତ’ ଦୋଷର ଅସନ୍ତୁଳନ ଦେଖାଦିଏ, ସେତେବେଳେ ମିଠା ପ୍ରତି ଆକର୍ଷଣ ଅସ୍ବାଭାବିକ ଭାବେ ବଢ଼ିଯାଏ। ଏହା ଛଡ଼ା ଶରୀରରେ ମ୍ୟାଗ୍ନେସିୟମ୍ ଭଳି ପୋଷକ ତତ୍ତ୍ୱର ଅଭାବ ମଧ୍ୟ ଏହାର ଅନ୍ୟ ଏକ କାରଣ ହୋଇପାରେ।
ଯେଉଁମାନଙ୍କର ରକ୍ତଚାପ କମ୍ ରହେ କିମ୍ବା ଶରୀରରେ ଏନର୍ଜି କମ୍ ଥାଏ, ସେମାନଙ୍କୁ ମିଠା ଖାଇବାକୁ ଅଧିକ ଇଚ୍ଛା ହୁଏ। ମିଠା ତୁରନ୍ତ ରକ୍ତରେ ଶର୍କରା ସ୍ତର ବଢ଼ାଇଥାଏ, ଯାହା କିଛି ସମୟ ପାଇଁ ଆରାମ ଦେଇଥାଏ କିନ୍ତୁ ଦୀର୍ଘକାଳୀନ ଭାବେ ଶରୀରକୁ ଦୁର୍ବଳ କରିଦିଏ।
ଯଦି ଆପଣ ମିଠା ଖାଇବା ଅଭ୍ୟାସ ଛାଡ଼ିବାକୁ ଚାହୁଁଛନ୍ତି, ତେବେ ଚିନି ବଦଳରେ ପ୍ରାକୃତିକ ମିଠା ଆପଣାନ୍ତୁ । ବିଶେଷ କରି ଖଜୁରୀ ଓ କିସମିସ୍ ଖାଆନ୍ତୁ ଯାହା କ୍ରେଭିଙ୍ଗ୍ କମାଇବା ସହ ପୋଷକ ତତ୍ତ୍ୱ ଦେଇଥାଏ। ସେହିପରି ଚିନି ଅପେକ୍ଷା ଗୁଡ଼ ସ୍ୱାସ୍ଥ୍ୟ ପାଇଁ ଭଲ। ଏଥିସହ ତାଜା ଫଳ ଶରୀରକୁ ପ୍ରାକୃତିକ ଶର୍କରା ଯୋଗାଇଥାଏ।