Latest Odisha News

BREAKING NEWS

୨୦୧୨ ଟି ୨୦ ବିଶ୍ୱକପ: ବାଜି ମାରିଲା ୱେଷ୍ଟଇଣ୍ଡିଜ

ଟି୨୦ ବିଶ୍ୱକପ କ୍ରିକେଟର ୪ର୍ଥ ସଂସ୍କରଣ ଶ୍ରୀଲଙ୍କାରେ ଆୟୋଜିତ ହୋଇଥିଲା । ଦୀର୍ଘ ବର୍ଷ ପରେ ୱେଷ୍ଟଇଣ୍ଡିଜ ବିଶ୍ୱକପ ଟ୍ରଫି ହାତେଇବାରେ ସଫଳ ହୋଇଥିଲା । ପୂର୍ବ ସଂସ୍କରଣ ପରି ସମାନ ଫର୍ମାଟରେ ଏହାକୁ ଖେଳାଯାଇଥିଲା । ଭାରତ ଗ୍ରୁପ ଏରେ ଇଂଲଣ୍ଡ ଓ ଆଫଗାନିସ୍ତାନ ସହ ରହିଥିଲା । ଭାରତ ପ୍ରଥମ ମ୍ୟାଚରେ ୨୩ ରନରେ ଆଫଗାନିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା । ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ୨୦ ଓଭରରେ ୫ ୱିକେଟ ହରାଇ ୧୫୯ ରନ କରିଥିଲା । ଜବାବରେ ୧୯.୩ ଓଭରରେ ଆଫଗାନିସ୍ତାନ ୧୩୬ ରନ କରି ଅଲଆଉଟ ହୋଇ ଯାଇଥିଲା ।

ଦ୍ୱିତୀୟ ମୁକାବିଲାରେ ଭାରତ ୯୦ ରନରେ ଇଂଲଣ୍ଡକୁ ପରାସ୍ତ କରିଥିଲା । ଗୌତମ ଗମ୍ଭୀର(୪୫), ବିରାଟ କୋହଲି (୪୦) ଓ ରୋହିତ ଶର୍ମାଙ୍କ ୫୫ ରନ ସହାୟତାରେ ଭାରତ ୪ ୱିକେଟ ହରାଇ ୧୭୦ ରନ କରିଥିଲା । ଇଂଲଣ୍ଡ ଭାରତୀୟ ସ୍ପିନରଙ୍କଚ ସାମ୍ନା କରି ନ ପାରି ୮୦ ରନରେ ଅଲଆଉଟ ହୋଇ ଯାଇଥିଲା । କ୍ରେଗ କେଇଜୱେଟର ୩୫ ରନ କରିଥିଲେ । ହରଭଜନ ସିଂ ୪ଟି ଓ ପୀୟୂଷ ଚାୱଲା ୨ଟି ୱିକେଟ ନେଇଥିଲେ ।

ସୁପର ଏଇଟରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ, ଭାରତ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ପ୍ରବେଶ କରିଥିଲେ । ସୁପର ଏଇଟରେ ଭାରତ ତାର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୧୪୦ ରନ କରିଥିଲା । ଶେନ ୱାଟସନଙ୍କ ବିସ୍ଫୋରକ ୭୨ ରନ ସହାୟତାରେ ଅଷ୍ଟ୍ରେଲିଆ ୧୪.୪ ଓଭରରେ ଗୋଟିଏ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା ।

ଦ୍ୱିତୀୟ ମୁକାବିଲାରେ ଭାରତ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୮ ୱିକେଟରେ ହରାଇଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ୧୨୮ ରନ କରି ଅଲଆଉଟ ହୋଇ ଯାଇଥିଲା । ଲକ୍ଷ୍ମୀପତି ବାଲାଜୀ ୩ଟି ୱିକେଟ ନେଇଥିଲେ । ବିରାଟ କୋହଲି ଅପରାଜିତ ୭୮ ରନ ସହାୟତାରେ ଭାରତ ୧୭ ଓଭରରେ ୨ ୱିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ତୃତୀୟ ମ୍ୟାଚରେ ଭାରତ ୧ରନରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା । ରନରେଟ କମ ଯୋଗୁ ଭାରତ ସେମିରେ ପ୍ରବେଶ କରିପାରି ନ ଥିଲା ।

ସେମିଫାଇନାଲରେ ଶ୍ରୀଲଙ୍କା-ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହୋଇଥିଲା । ପ୍ରଥମ ସେମିରେ ଶ୍ରୀଲଙ୍କା ୧୬ ରନରେ ପାକିସ୍ତାନକୁ ହରାଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୩୯ ରନ କରିଥିଲା । ପାକିସ୍ତାନ ୨୦ ଓଭରରେ ୧୨୩ ରନ କରିବାକୁ ସକ୍ଷମ ହୋଇଥିଲା । ଅନ୍ୟ ମ୍ୟାଚରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି କ୍ରିସ ଗେଲଙ୍କ ବିସ୍ଫୋରକ ୭୫ ରନ ସହାୟତାରେ ୪ ୱିକେଟ ବିନିମୟରେ ୨୦୫ ରନ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୧୬.୪ ଓଭରରେ ୧୩୧ ରନ କରି ଅଲଆଉଟ ହୋଇ ଯାଇଥିଲା ।

ଫଇନାଲରେ ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ସାମ୍ନା ସାମ୍ନି ହୋଇଥିଲେ । ଏଥିରେ ମଧ୍ୟ ୱେଷ୍ଟଇଣ୍ଡିଜ ସହଜରେ ବିଜୟ ହାସଲ କରିଥିଲା । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୧୩୭ ରନ କରିଥିଲା । ଜବାବରେ ସୁନୀଲ ନାରିନଙ୍କ ରହସ୍ୟମୟ ସ୍ପିନରେ ଶ୍ରୀଲଙ୍କା ୧୮.୪ ଓଭରରେ ୧୦୧ ରନ କରି ଅଲଆଉଟ ହୋଇ ଯାଇଥିଲା । ସେ ୩ଟି ୱିକେଟ ନେଇଥିଲେ ।

Leave A Reply

Your email address will not be published.