ନୀଳଗିରି: ନିଲଗିରିରେ ଭାଲୁ ଆତଙ୍କ। ଭୟରେ ସନ୍ଧ୍ୟା ହେଲେ ଲୋକେ ଘର କବାଟ କିଳି ରହୁଛନ୍ତି। ନୀଳଗିରିର ବିଭିନ୍ନ ଅଞ୍ଚଳରେ ଭାଲୁ ଆତଙ୍କ ଦେଖାଦେଇଛି। ସ୍ଵର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରୁ ବିଭିନ୍ନ ଅଂଚଳକୁ ରାତ୍ରରେ ଭାଲୁ ଖାଦ୍ୟ ଅନ୍ୱେଷଣ ପାଇଁ ଯାଇଥାନ୍ତି। ଯେଉଁ ଭାଲୁ ସକାଳ ହେଲେ ଜଙ୍ଗଲକୁ ଫେରି ପାରନ୍ତି ନାହିଁ ସେମାନେ ଆରମ୍ଭ କରନ୍ତି ଉପଦ୍ରବ।
ଏହି ଭାଲୁଙ୍କ ସାମ୍ନାରେ ଯିଏ ପଡେ ସେ ଲହୁଲୁହାଣ ହେବା ନିଶ୍ଚିତ। ମଙ୍ଗଳବାର ଭାଲୁକୁ ନେଇ ନୀଳଗିରି ଉପକଣ୍ଠ ଗାଁରେ ଆତଙ୍କ ଖେଳି ଯାଇଛି।
ଏକ ଭାଲୁ ପେପରମିଲ ନିକଟରେ ମଙ୍ଗଳବାର ଦିନ ବାଟବଣା ହୋଇ ଜଣେ ବ୍ୟକ୍ତିଙ୍କ ଚାଳିଆ ଘରକୁ ପଶି ଯାଇଥିଲା। ନୀଳଗିରି ବନ ବିଭାଗ ଘଟଣା ସ୍ଥଳକୁ ଯାଇ ଭାଲୁଟିର ଗତିବିଧି ଉପରେ ନଜର ରଖିଥିଲେ। ପରେ ଭାଲୁଟି ସନ୍ଧ୍ୟା ପରେ ସେଠାରୁ ଅନ୍ୟତ୍ର ପଳାଇଯାଇଥିବା ସୂଚନା ମିଳିଛି।
ସେହିପରି ଗତକାଲି ରାତି ସାଢ଼େ ୮ ଟା ସମୟରେସ୍ଥାନୀୟ ପଣ୍ଡା ଅଫିସ ଛକ ନିକଟରେ ଏକ ବିରାଟକାୟ ଭାଲୁ ନୀଳଗିରି ମିତ୍ରପୁର ରାସ୍ତା ପାର ହୋଇ ପାଖରେ ଥିବା ବସ୍ତିକୁ ପଶି ଆସିଥିଲା। ଆକ୍ରମଣ ଭୟରେ କିଛି ଗ୍ରାମବାସୀ ହାତରେ ଠେଙ୍ଗାଧରି ଭାଲୁକୁ ଖୋଜିଥିବା ବେଳେ ଆଉ କିଛି ତାଟି କବାଟ କିଳି ଘରେ ରହିଲେ। ମାତ୍ର ଅନ୍ଧାରର ସୁଯୋଗରେ ଭାଲୁଟି କେଉଁ ବୁଦାମୂଳରେ ଲୁଚିରହିଥିବା ବେଳେ ଭାଲୁକୁ ନେଇ ଗାଁରେ ଆତଙ୍କ ଖେଳି ଯାଇଥିବା ଦେଖିବାକୁ ମିଳିଛି।
Comments are closed.