ବିମଳା ଶଂକର ଦାଶ
” ନା ତା’ର ମଦନା । ଆପଣଙ୍କ ଗାଁ ର କୁଆଡେ ..ନେହୁରା ହୋଇ କହୁଛି ବାବୁଙ୍କୁ ଯେମିତି ହେଉ ଦେଖା କରି କି ହିଁ ଯିବ , ଯେତେ ମନା କଲେ ବି ଜମାରୁ ଶୁଣୁନି ..”
–ଦରବାନ ଆସି କହିଲା ।
ଇଂଜିନିୟର୍ ଆଲୋକ ବିରକ୍ତି ହୋଇ କହିଲେ ..”କହି ଦିଅ ବାବୁ ଘରେ ନାହାନ୍ତି , ପରେ ଆସି ଦେଖା କରିବ ।”
ଦରବାନ ପ୍ରତ୍ଯୁତ୍ତର ଦେଇ କହିଲା– ସେମିତି ହିଁ କହିଲି ସାର୍ , ହେଲେ ଝରକା ଫାଙ୍କରୁ ଆପଣଙ୍କୁ ଦେଖିନେଇ ଏକା ଜିଦ୍ କରୁଛି ଆପଣଙ୍କୁ ଦେଖା ନ କରି ମୋଟେ ଯିବନି ।
ରାଗରେ ଥମ ଥମ ହୋଇଗଲେ ଇଂ. ଆଲୋକ ।
ଗାଁ ରେ ବାପାଙ୍କ ପାଖରେ ନୌକରୀ କରୁଥିଲା । ପିଲାଦିନେ କାନ୍ଧରେ ବସାଇ ଗାଁ ଟା ସାରା ବୁଲାଉଥିଲା । ଏଇଥିପାଇଁ ଦିନେ ଦୟା ଦେଖାଇ କିଛି ଟଙ୍କା ସାହାଯ୍ୟ କରିଦେଇଥିଲେ ବୋଲି ପୁଣି ଆସିଛି ସାହାଯ୍ୟ ମାଗିବାକୁ । ଏପରି ଲୋକଙ୍କୁ ସାହାଯ୍ୟ କଲେ ଅଭ୍ଯାସରେ ପଡିଯିବେ । ବାରମ୍ବାର କୌଣସି ନା କୌଣସି ବାହାନା କରି ନ ହେଲେ ଭାବନାତ୍ମକ ଧମକ ଦେଇ ଟଙ୍କା ମାଗିବେ । ମଦନା ସଂପର୍କରେ ଏମିତି ସବୁ ଭାବିବାକୁ ଲାଗିଲେ ଇଂ ଆଲୋକ ।
ବାହାର ପଟରୁ ବୁଢାଟିର ବିକଳ ସ୍ବରରେ ଡାକ ଶୁଭୁଥାଏ – ବାବୁ ! ବାବୁ !
ରାଗିକି ଆଲୋକ ବାହାରକୁ ଆସି ବୁଢା ଉଦ୍ଦେଶ୍ୟରେ କହିଲେ –“ମଦନା ! ଦେଖୁଛି ତୋର ବେଶି ମୁହଁ ବଢିଗଲାଣି । ବାର ବାର ଏମିତି ମୋ ଅଫିସ କୁ ଆସି ଟଙ୍କା ମାଗିବାର ତୋ’ର ଅଭ୍ଯାସ ପାଲଟିଗଲାଣି । ଏଣିକି ମୋ ଠାରୁ କିଛି ଆଉ ପାଇବାର ଆଶା ରଖନା ”
ମଦନା କିନ୍ତୁ ଶାନ୍ତ ହୋଇ କହିଲା —
“ନା ବାବୁ ଏଥର ମୁଁ କିଛି ମାଗିବାକୁ ଆସିନି । ଆଉ କିଛି ମାଗିବାକୁ ବି ପଡିବନି ଏଥର ..
କିଛି ମାସ ତଳେ ତମେ ଦେଇଥିବା ଟଙ୍କାରେ ମୋ ବନ୍ଧା ପଡିଥିବା ପୈତୃକ ଜମି ଖଣ୍ଡିକ ମୁକୁଳାଇ ସେଥିରେ ଫଳ, ପନି ପରିବା ଚାଷ କଲି । ଆଉ ସେଥିରୁ ବେଶି ଲାଭ ପାଇଲି । ପ୍ରଥମ ଉପାର୍ଜନ ଠାକୁରଙ୍କୁ ସମର୍ପିବି ବୋଲି ଭାବୁଥିଲି । ହେଲେ ଆପଣ ତ ମୋ ପାଇଁ କେଉଁ ଠାକୁର ଠୁ କମ୍ ନୁହନ୍ତି ..ମୋର ଏଇ ଉପହାର ଗ୍ରହଣ କରନ୍ତୁ ବାବୁ..
ଏତିକି କହି ସଦ୍ଯ ତୋଳା କିଛି ପରିବା ସାଙ୍ଗରେ ବଗିଚାରୁ ପ୍ରଥମ ଉପାର୍ଜନଟଙ୍କା ଗଣ୍ଡାଏ ବାବୁଙ୍କ ହାତରେ ଧରେଇ ଦେଇ ଫେରି ଯାଉଥିଲେ ମଦନା ଏକ ଲୟରେ ।
ଲଜ୍ଜିତ ହୋଇ ଆଲୋକ ବାବୁ ପଛରୁ ଡାକ ଛାଡୁଥିଲେ- “ମଦନା….ମଦନା …”
ସେପଟରୁ ମଦନା କହୁଥାଏ– ଏଥର ଏତିକି ହିଁ ସମ୍ଭବ ହୋଇ ପାରିଲା ବାବୁ । ଏହା ଆପଣଙ୍କ ପ୍ରତି ମୋର କୃତଜ୍ଞତା ଭାବି ପାରନ୍ତି । ସବୁ ହିସାବ ମୁଁ ରଖିଛି ବାବୁ, ଆରଥର ଆସିଲାବେଳେ ଆପଣ ଦେଇଥିବା ସବୁତକ ଟଙ୍କା ଶୁଝି ଦେଇ ଯିବି !!!
ଅପମାନ ବୋଧରେ ଆଲୋକବାବୁଙ୍କ ପାଟି ଖନି ମାରି ଯାଉଥାଏ …
▪️▪️▪️▪️▪️
ଗୋଡିଆବଂଧ(ପଦ୍ମପୁର) ,ଜିଲ୍ଲା-ରାୟଗଡା
ମୋ-୭୯୭୮୧୭୧୪୩୭