Latest Odisha News

BREAKING NEWS

ତାଲିବାନକୁ କ୍ଷମା କରିଦେବ ଆମେରିକା !

ନୂଆଦିଲ୍ଲୀ: ତାଲିବାନକୁ ନେଇ ବଦଳୁଛି କି ଆମେରିକାର ଆଭିମୁଖ୍ୟ? 2021ରେ ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ମଧ୍ୟରେ ଆମେରିକା ସେଠାରୁ ନିଜ ସେନା ହଟାଇଥିଲା। ସେତେବେଳେ ତାଲିବାନକୁ ଦେଶର ସରକାର ଭାବେ କୌଣସି ଦେଶ ମାନ୍ୟତା ଦେଇନଥିଲେ। ହେଲେ ଏବେ ତାଲିବାନ ପାଇଁ ନରମିଛି ଆମେରିକା। ତାଲିବାନର 3ଜଣ ନେତାଙ୍କ ଉପରୁ ପୁରସ୍କାର ରାଶି ହଟାଇଛି। ଦୁଇ ବର୍ଷ ଧରି କାବୁଲ ଜେଲରେ ଥିବା ଆମେରିକୀୟ କଏଦୀ ଜର୍ଜ ଗ୍ଲେଜମ୍ୟାନ ମୁକ୍ତ ହେବା ପରେ ଏଭଳି ପଦକ୍ଷେପ ନେଇଛି ଆମେରିକା। ଏପରିକି ଆମେରିକା ଆଫଗାନ ସେଣ୍ଟ୍ରାଲ ରିଜର୍ଭର ପ୍ରାୟ ସାଢେ 3 ବିଲିୟନ ଡଲାର ଉପରୁ କଟକଣା ହଟାଇଛି। ଏବେ ଏହାକୁ ଉପଯୋଗ କରିପାରିବେ ଆଫଗାନ ସରକାର।

କାହିଁକି ଖରାପ ହୋଇଥିଲା ସଂପର୍କ?

9/11 ଆକ୍ରମଣ ପରେ ପାକିସ୍ତାନଠାରୁ ଆରମ୍ଭ କରି ଆଫଗାନିସ୍ତାନ ପର୍ଯ୍ୟନ୍ତ ଆମେରିକା ଟାର୍ଗେଟରେ ରହିଲା ଆତଙ୍କୀଙ୍କ ଠିକଣା। ଆକ୍ରମଣ ପଛରେ ଅଲକାଏଦା ରହିଥିଲା। ତେଣୁ ଆମେରିକା ସରକାର ଓସାମା ବିନ ଲାଦେନର ଆତ୍ମସମର୍ପଣ ଚାହୁଁଥିଲା। ଆଉ ସେଥିପାଇଁ ଆଫଗାନିସ୍ତାନରେ ଆମେରିକା ସେନା ମୁତୟନ କରାଗଲା। ସେତେବେଳେ ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନକୁ ହଟାଇ ଆମେରିକା ସହଯୋଗରେ ନୂଆ ସରକାର ଆସିଲେ। ହେଲେ ପୁଣି ଦେଶରେ କ୍ଷମତାକୁ ଆସିଲା ତାଲିବାନ। ଏଥର ବି ତାଲିବାନର ଚରମପନ୍ଥୀ ମନବୃତ୍ତି ଦେଖିବାକୁ ମିଳିଥିଲା। ତେଣୁ ଆଫଗାନିସ୍ତାନ ମାଟିରେ ଯେଭଳି ପୁଣି ଆତଙ୍କବାଦର ବିସ୍ତାର ନହୁଏ, ସେଥିପାଇଁ ଦେଶ ଉପରେ ଅନେକ କଟକଣା ଲଗାଇଥିଲା ଆମେରିକା। ହେଲେ ଏବେ ମନୋଭାବରେ ପରିବର୍ତ୍ତନ ଦେଖିବାକୁ ମିଳୁଛି।

କାହିଁକି ନରମ ହେଉଛି ଆମେରିକା?
ଆଫଗାନିସ୍ତାନରେ ଶରଣୀର୍ଥୀ ସଂକଟର ସାମନା କରୁଛନ୍ତି ତାଲିବାନ ସରକାର। ଦେଶରେ ଅର୍ଥନୈତିକ ସଂକଟ ଯୋଗୁଁ ବହୁ ସଂଖ୍ୟାରେ ଲୋକ ଆମେରିକା ତଥା ପଶ୍ଚିମ ଦେଶକୁ ଯାଉଛନ୍ତି। ଏହାପରେ କୁଟନୈତିକ ଆଲୋଚନା ପାଇଁ ବାଟ ଖୋଲୁଛି ଆମେରିକା। ଏହାସହ ଆଫଗାନିସ୍ତାନରେ ପୁଣି ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଆମେରିକା ନଜର ରଖିବାକୁ ଚାହୁଁଛି। ଏହାସହ ତାଲିବାନ ଓ ହକାନି ନେଟଓ୍ବର୍କ ସହାୟତାରେ ଆଇଏସଆଇଏସକୁ କାଉଣ୍ଟର କରିବାକୁ ଚାହୁଁଛି ଆମେରିକା।

ତାଲିବାନ ପ୍ରତି ବଦଳୁଛି ଆଭିମୁଖ୍ୟ

2021 ଅଗଷ୍ଟରେ ଆଫଗାନିସ୍ତାନକୁ ଫେରିଥିଲା ତାଲିବାନ ଶାସନ। ଏହାପରଠୁ ଅନ୍ତର୍ଜାତୀୟସ୍ତରରେ ଏକଘରିକିଆ ହୋଇଥିଲା ଦେଶ। କୌଣସି ଦେଶ ତାଲିବାନକୁ ସରକାର ମାନ୍ୟତା ଦେବାକୁ ପ୍ରସ୍ତୁତ ନଥିଲା। ତେବେ ଧୀରେ ଧୀରେ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିଛି। 2024ରେ ପ୍ରଥମ ଦେଶ ଭାବେ ଚୀନ୍ ତାଲିବାନକୁ ରାଜନୈତିକ ମାନ୍ୟତା ଦେଇଥିଲା। ଏହାପରେ ୟୁଏଇ ବି ଏହି ତାଲିକାରେ ସାମିଲ ହୋଇଥିଲା। ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶ ତାଲିକାରୁ ଆଫଗାନିସ୍ତାନକୁ ହଟାଇବାକୁ ବି ଇସାରା ଦେଇଛି ଋଷ। ଅନେକ ଦେଶ ତାଲିବାନ ସହ ସାକ୍ଷାତକାର ପାଇଁ କାବୁଲ ଯାଇଛନ୍ତି।

କାହିଁକି ତାଲିବାନକୁ ମିଳିନଥିଲା ମାନ୍ୟତା?

ତାଲିବାନ ହେଉଛି ଇସଲାମୀୟ ଚରମପନ୍ଥୀ ଗୋଷ୍ଠୀ। ନବେ ଦଶକରେ ଶିକ୍ଷା ନାଁରେ ବଢିଥିବା ତାଲିବାନ କ୍ଷମତାକୁ ଆସିବା ପରେ ଦେଶରେ ସରିୟା ଆଇନ ଲାଗୁ କରିଥିଲା। ମହିଳାଙ୍କୁ ନେଇ ତାଲିବାନର ଆଭିମୁଖ୍ୟକୁ ସବୁଠି ସମାଲୋଚନା କରାଯାଇଥିଲା। ଆଫଗାନିସ୍ତାନରେ ଏମ୍ବାସି ବନ୍ଦ କରିଥିଲେ ସବୁ ଦେଶ। ତାଲିବାନ ସରକାରକୁ ମାନ୍ୟତା ନମିଳିବାରୁ ଦେଶକୁ ବିଶ୍ବବ୍ୟାଙ୍କ ବା ଆଇଏମଏଫ ପକ୍ଷରୁ ସହାୟତା ମିଳିଲାନାହିଁ। ଦେଶକୁ ସବୁଠୁ ଅଧିକ ଋଣ ଦେଉଥିବା ଆମେରିକା ସହ ଅନ୍ୟ ପଶ୍ଚିମ ଦେଶ ସହାୟତା ବନ୍ଦ କରିଦେଲେ। ତେବେ ଆମେରିକା ତାଲିବାନକୁ ନେଇ ନିଜ ଆଭିମୁଖ୍ୟ ବଦଳାଉଥିବା ବେଳେ କାବୁଲରେ ଆମେରିକା ଦୂତାବାସ ଖୋଲିବା ନିଷ୍ପତି ନେଇପାରେ ବୋଲି କୁହାଯାଉଛି।

Leave A Reply

Your email address will not be published.