ନୂଆଦିଲ୍ଲୀ: ଏକନାଥ ସିନ୍ଦେଙ୍କ ପରି ନୀତିଶଙ୍କ ହାତରୁ ବି ଯିବ କି ମୁଖ୍ୟମନ୍ତ୍ରୀ ପଦ? ବିହାର ଏନଡିଏରେ ବି ଲାଗୁ ହେବ କି ମହାରାଷ୍ଟ୍ର ଫର୍ମୁଲା? ବିଜେପି ଅଧିକ ସିଟ୍ ଜିତିଲେ ହଟିବେ କି ନୀତିଶ କୁମାର? ଅମିତ ଶାହାଙ୍କ ବୟାନକୁ ନେଇ ବିହାର ରାଜନୀତିରେ ବଢିଲା ଦ୍ବନ୍ଦ୍ବ । ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ବିହାର ଫର୍ମୁଲା ଚାଲିଥିଲା । ଯେମିତି ବିହାରରେ ବିଜେପିର ଅଧିକ ସିଟ୍ ଥାଇ ବି ନୀତିଶ ମୁଖ୍ୟମନ୍ତ୍ରୀ ସେହିଭଳି ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ରହିଥିଲେ ଏକନାଥ ସିନ୍ଦେ । ତେବେ ନିର୍ବାଚନ ପରେ ବଦଳିଛି କ୍ଷମତା ସମୀକରଣ । ବିଜେପି ଅଧିକ ସିଟ୍ ଜିତିବା ସହ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଦେବେନ୍ଦ୍ର ଫଡନାବିସ । ମୁଖ୍ୟମନ୍ତ୍ରୀ ଥିବା ସିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦକୁ ଡିମୋସନ୍ ପାଇଛନ୍ତି । ଆସନ୍ତା ବର୍ଷ ବିହାର ନିର୍ବାଚନ ଥିବା ବେଳେ ମହାରାଷ୍ଟ୍ରରୁ ନୀତିଶଙ୍କୁ ବଡ ସନ୍ଦେଶ ଦେଇଛି କି ବିଜେପି?
ମହାରାଷ୍ଟ୍ରରୁ ନୀତିଶଙ୍କୁ ସନ୍ଦେଶ !
ବିହାରରେ ବିଜେପି ମହାରାଷ୍ଟ୍ର ମଡେଲ ଆପଣାଇବ କି ? ନିକଟରେ ଗଣମାଧ୍ୟମକୁ ଅମିତ ଶାହାଙ୍କ ବୟାନ ପରେ ସରଗରମ ହୋଇଛି ବିହାର ରାଜନୀତି । ମହାରାଷ୍ଟ୍ରରେ ପୁଣି ମୁଖ୍ୟମନ୍ତ୍ରୀ ନହେବା ନେଇ ଏକନାଥ ସିନ୍ଦେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହୋଇଥିଲା । ତେବେ ବିଜେପି ଅଢେଇ ବର୍ଷ ପର୍ଯ୍ୟନ୍ତ ସିନ୍ଦେଙ୍କ ସହ ଦୃଢ ଭାବେ ଠିଆ ହୋଇଛି । ପ୍ରଚାର ବେଳେ ହିଁ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା । ବିଜେପି ଅଧିକ ସିଟ୍ ଜିତିଛି । ତେଣୁ ସିନ୍ଦେଙ୍କ ସହ କୌଣସି ଧୋକା ହୋଇନଥିବା ଶାହା କହିଛନ୍ତି । ତେବେ ମହାରାଷ୍ଟ୍ରରୁ ନୀତିଶଙ୍କୁ ସିଧା ସନ୍ଦେଶ ଦେଉଛି କି ବିଜେପି? ଶାହା ସିଧାସଳଖ ଉତ୍ତର ଦେଇନଥିଲେ ବି ବିହାରରେ ନୀତିଶଙ୍କ ନେତୃତ୍ବରେ ଏନଡିଏ ନିର୍ବାଚନ ଲଢିବ କି ନାହିଁ ସ୍ପଷ୍ଟ ହୋଇନଥିବା ଜଣାପଡିଛି ।
ବଦଳୁଛି କି ବିଜେପି ମୁଡ୍ ?
୨୦୨୦ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶଙ୍କ ନେତୃତ୍ବରେ ନିର୍ବାଚନ ଲଢିବା ନେଇ କହୁଥିଲା ବିଜେପି । ନିର୍ବାଚନରେ ଜେଡିୟୁ ତିନି ନମ୍ବର ଦଳ ହୋଇଥିଲେ ବି ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା। ସେତେବେଳେ ବି ବିହାର ରାଜ୍ୟ ବିଜେପି ନେତା ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରିବା ସପକ୍ଷରେ ନଥିଲେ । ହେଲେ କେନ୍ଦ୍ରୀୟ ନେତୃତ୍ବ ନୀତିଶଙ୍କୁ ସିଏମ ପଦ ଦେଇଥିଲେ । ହେଲେ ୨୦୨୫ ନିର୍ବାଚନ ନୀତିଶଙ୍କ ନେତୃତ୍ବରେ ଲଢିବା ନେଇ ଶାହାଙ୍କ ମାପଚୁପ ବୟାନକୁ ନେଇ ଚର୍ଚ୍ଚା ବଢିଛି । ତେବେ ବିହାର ଏନଡିଏର ସହଯୋଗୀ ଦଳ ନେତା ଚିରାଗ ପାଶଓ୍ବାନ ଓ ଉପେନ୍ଦ୍ର କୁଶଓ୍ବାହ ନୀତିଶଙ୍କ ସପକ୍ଷରେ ବୟାନ ଦେଇଛନ୍ତି ।
ରାଜନୀତି ପିଚରେ ସିନ୍ଦେଙ୍କଠୁ ଆଗରେ ନୀତିଶ
ମହାରାଷ୍ଟ୍ର ମଡେଲ୍ ବିହାରରେ ଲାଗୁ ନେଇ ଚର୍ଚ୍ଚା ହେଉଛି ସତ, ହେଲେ ରାଜନୈତିକ ଅଭିଜ୍ଞତାରେ ସିନ୍ଦେଙ୍କଠାରୁ ଅନେକ ଆଗରେ ନୀତିଶ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ଏକନାଥ ସିନ୍ଦେ ଜଣେ ରାଜ୍ୟସ୍ତରର ନେତା ଥିଲେ । ଯେବେକି ନୀତିଶ ଗୋଟେ ସମୟରେ ପ୍ରଧାନମନ୍ତ୍ରୀ ପଦର ଦାବେଦାର ବି ରହିଥିଲେ । ଏନଡିଏକୁ ଆସିବା ପୂର୍ବରୁ ନୀତିଶଙ୍କ ଉଦ୍ୟମ ଯୋଗୁଁ ହିଁ ଇଣ୍ଡିଆ ମେଣ୍ଟ ଗଠନ ହୋଇଥିଲା । ନୀତିଶ ଇଣ୍ଡିଆ ମେଣ୍ଟ ଛାଡିବା ପରଠୁ ବିରୋଧୀ ଦିଗହରା ହେବା ସହ ମେଣ୍ଟରେ ନେତୃତ୍ବ ସଂକଟ ଦେଖାଦେଇଛି । ନିକଟରେ ହୋଇଥିବା ଉପନିର୍ବାଚନରୁ ସ୍ପଷ୍ଟ ହୋଇଛି ନୀତିଶଙ୍କ ଲୋକପ୍ରିୟତା ପୂର୍ବ ଭଳି ରହିଛି ।
ବିହାରରେ ମଜବୁତ ବିରୋଧୀ
ମହାରାଷ୍ଟ୍ରରେ ଶାସକ ମହାୟୁତି ଆଗରେ ଦୁର୍ବଳ ବିରୋଧୀ ମହାବିକାଶ ଅଘାଡି । କେବଳ କ୍ଷମତା ପାଇଁ ଶିବସେନା ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇଥିଲା, ଏକଥା ଜନତା ବି ଜାଣିଛନ୍ତି । ତେବେ ବିହାରରେ ସମୀକରଣ ଭିନ୍ନ । ସେଠାରେ ଏନଡିଏ ବିପକ୍ଷରେ ଆରଜେଡି ପରି ମଜବୁତ ବିରୋଧୀ ଦଳ ରହିଛି । କାରଣ ରାଜ୍ୟରେ ଆରଜେଡି ଓ ବିଜେପି ପାଖରେ ପାଖାପାଖି ସମାନ ସଂଖ୍ୟାର ବିଧାୟକ ରହିଛନ୍ତି । ଜେଡିୟୁ ସହ ମିଶିବା ପରେ ବି ଏନଡିଏ ପାଖରେ ବହୁମତଠାରୁ ମାତ୍ର ୬ବିଧାୟକ ଅଧିକ ରହିଛନ୍ତି । ୫ବର୍ଷ ଧରି ଆରଜେଡି ବିଧାୟକ ଦଳବଦଳ କରିନାହାନ୍ତି । ତେଣୁ ବିହାରରେ ଆରଜେଡି ଭଳି ବିରୋଧୀ ଦଳର ସାମନା କରିବାକୁ ନୀତିଶଙ୍କ ନେତୃତ୍ବକୁ ପୁଣି ବାଛିପାରେ ବିଜେପି ।
ବିହାରରେ ନୀତିଶ କୁମାରଙ୍କ ତୁଳନାରେ ବିଜେପିରେ ସେଭଳି ନେତା ନାହାନ୍ତି । କେବଳ ଭୋଟବ୍ୟାଙ୍କ ନୁହେଁ ବଡ ଚେହେରାର ବି ଅଭାବ ରହିଛି । ଯେବେକି ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାବିସଙ୍କ ଲୋକପ୍ରିୟତା ଓ ସାଂଗଠନିକ ଦକ୍ଷତା ସବୁବେଳେ ଚର୍ଚ୍ଚାରେ ରହିଛି । ଅମିତ ଶାହାଙ୍କ ବୟାନ ପରେ ବିହାରରେ ମହାରାଷ୍ଟ୍ର ମଡେଲ୍ ଲାଗୁ ନେଇ ଚର୍ଚ୍ଚା ବଢିଛି ସତ ହେଲେ ଦୁଇ ରାଜ୍ୟର ରାଜନୈତିକ ସ୍ଥିତି ଓ ନେତୃତ୍ବ ମଧ୍ୟରେ ଆକାଶ ପାତାଳ ତଫାତ ରହିଛି ।
Comments are closed.