Latest Odisha News

BREAKING NEWS

କେଉଁଠୁ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ? ଲୋକସଭା ନା ବିଧାନସଭା ପ୍ରାର୍ଥୀ ହେବେ ?

ଭୁବନେଶ୍ୱର: ୨୦୨୪ ନିର୍ବାଚନ ଯେତିକି ପାଖଉଛି, ଚର୍ଚ୍ଚା ସେତିକି ବଢ଼ିବାରେ ଲାଗିଛି । ରାଜ୍ୟରେ ଆଗୁଆ ନିର୍ବାଚନକୁ ନେଇ ଚର୍ଚ୍ଚା ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସେ ଏଥର ନିର୍ବଚାନ ଲଢ଼ିବେ । ଦୈନିକ ଇଂରାଜୀ ସମ୍ବାଦପତ୍ର ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସକୁ ସାକ୍ଷାତକାର ଦେଇ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ।

ତେବେ ଧର୍ମେନ୍ଦ୍ର ଲୋକସଭା ନା ବିଧାନସଭା ପ୍ରାର୍ଥୀ ହେବେ ସେନେଇ କିଛି କହି ନାହାଁନ୍ତି । ଯଦି ଧର୍ମେନ୍ଦ୍ର ଲୋକସଭା ପ୍ରାର୍ଥୀ ହୁଅନ୍ତି ତ କେଉଁଠୁ ହେବେ ? ରାଜନୈତିକ ସମୀକ୍ଷକଙ୍କ ଆକଳନ ଅନୁସାରେ, ଧର୍ମେନ୍ଦ୍ର ଲୋକସଭା ନିର୍ବାଚନ ଲଢ଼ିଲେ ଢେଙ୍କାନାଳ ଆସନରୁ ପାର୍ଥୀ ହୋଇ ପାରନ୍ତି । ଆଉ ଯଦି ସେ ଲୋକସଭା ନିର୍ବାଚନ ଲଢ଼ନ୍ତି ତ ତାହାଲେ ତାଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ବିଚାରକୁ ନିଆ ଯାଇ ନପାରେ ।

ସେହିଭଳି ଧର୍ମେନ୍ଦ୍ର ବିଧାନସଭା ନିର୍ବାଚନ ଲଢ଼ିଲେ ପରଜଙ୍ଗ, ତାଳଚେର କିମ୍ବା ପାଲଲହଡ଼ା ଆସନରୁ ପ୍ରାର୍ଥୀ ହୋଇ ପାରନ୍ତି । ୨୦୦୦ ମସିହାରେ ଧର୍ମେନ୍ଦ୍ର ପ୍ରଧାନ ପାଲଲହଡ଼ା ଆସନରୁ ବିଜେପି ଟିକେଟରେ ଲଢ଼ି କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ୯ ହଜାର ୮୭୯ ଖଣ୍ଡ ଭୋଟ୍ ବ୍ୟବଧ୍ୟାନରେ ବିଜୟୀ ହୋଇଥିଲେ ।

୨୦୦୪ ମସିହାରେ ଦେବଗଡ଼ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଧର୍ମେନ୍ଦ୍ର । ୨୦୦୯ ନିର୍ବାଚନରେ ପାଲଲହଡ଼ା ବିଧାନସଭା ଆସନରୁ ବିଜେପି ଟିକେଟରେ ଧର୍ମେନ୍ଦ୍ର ଲଢ଼ିଥିବା ବେଳେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ । ୨୦୧୨ରେ ବିହାରରୁ ରାଜ୍ୟସଭା ଯାଇଥିବା ଧର୍ମେନ୍ଦ୍ର ୨୦୧୮ରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ଏବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଅଛନ୍ତି ।

ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ଥିବା ବିଜେପି ୨୦୨୪ରେ ସରକାର ଗଠନ ଉପରେ ଜୋର୍ ଦେଇ ରଣନୀତି ପ୍ରସ୍ତୁତ କରୁଛି । ହେଲେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ? ଦଳ କାହାକୁ ପ୍ରୋଜେକ୍ଟ କରୁନି । ତେବେ ନବୀନଙ୍କ ବିକଳ୍ପ ଭାବେ ଓଡ଼ିଶା ବିଜେପିରେ ବହୁ ନେତା ଥିବା ପୂର୍ବରୁ କହିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଯଦି ଧର୍ମେନ୍ଦ୍ର ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୁଅନ୍ତି ତ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ? ତାକୁ ନେଇ ନାନା ଚର୍ଚ୍ଚା ହେଉଛି । ଏପରିକି ଧର୍ମେନ୍ଦ୍ର ୨୦୨୪ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱୀତା କରିପାରନ୍ତି ।

Leave A Reply

Your email address will not be published.