Latest Odisha News

BREAKING NEWS

ପୁଣି ନୂଆ ବିବାଦ ଘରରେ ରାହୁଲ ! କ୍ଷମା ନମାଗିଲେ, FIR ଧମକ ଦେଲେ ବୀର ସାବରକରଙ୍କ ନାତି

ନୂଆଦିଲ୍ଲୀ : ସତେ ଯେମିତି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଡ଼ିଛି ରାହୁ ଦଶା ! ପ୍ରଥମେ ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସଂସଦର ସଦସ୍ୟତା ହରାଇବାକୁ ପଡିଥିବାବେଳେ ଏବେ ପୁଣି ଏକ ନୂଆ ବିବାଦ ଭିତରକୁ ଟାଣି ହୋଇ ଯାଇଛନ୍ତି ରାହୁଲ। ଏଥର ବୀର ଦାମୋଦର ସାବରକରଙ୍କ ନାତି ରଣଜିତ୍ ସାବରକର, ରାହୁଲଙ୍କୁ ଚେତାଇବା ସହ ସେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ନମାଗିଲେ ଏଫ୍ଆଇଆର୍ ଦାଖଲ କରିବେ ବୋଲି ଧମକ ଦେଇଛନ୍ତି। ବୀର ଦାମୋଦର ସାବରକରଙ୍କ ନାତି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରଣଜିତ୍‌ ସାବରକର କହିଛନ୍ତି, ରାହୁଲ ଗାନ୍ଧୀ ପ୍ରମାଣ ଦେବା ଉଚିତ୍ ଯେ ବୀର ଦାମୋଦର ସାବରକର ବ୍ରିଟିଶମାନଙ୍କୁ କ୍ଷମା ମାଗିଛନ୍ତି। ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଜନୀତିରେ ସାବରକରଙ୍କ ନାମ କିପରି ବଦନାମ ହେଉଛି ତାହା ଦେଖିବା ଅତ୍ୟନ୍ତ ଦୁଃଖଦାୟକ। ସ୍ୱାର୍ଥ ପାଇଁ ବୀର ସାବରକରଙ୍କ ନାମ ବ୍ୟବହାର ନକରିବାକୁ ରଣଜିତ୍ ଅପିଲ୍ କରିଛନ୍ତି। ଏଥିସହ ବୀର ସାବରକରଙ୍କ ନାତି କହିଛନ୍ତି, ରାଜନୀତିରେ ନିଜକୁ ପ୍ରତିଷ୍ଠିତ କରିବାକୁ ଦେଶପ୍ରେମୀଙ୍କ ନାମ ବ୍ୟବହାର କରିବା ଭୁଲ ଏବଂ ରାହୁଲଙ୍କ ଭଳି ଯିଏ ବି ଏପରି କରୁଛି, ସେଭଳି ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।

ଏଠାରେ କହି ରଖିବାକୁ ଚାହିଁବୁ, ଗତ ମାର୍ଚ୍ଚ ୨୫ରେ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ମୁଁ ସାବରକର ନୁହେଁ ଯେ କ୍ଷମା ମାଗିବି। ଏଥିସହ ରାହୁଲ କହିଥିଲେ, ସୁରଟରେ ମାନହାନୀ ମାମଲାରେ ସେ ସରକାରଙ୍କୁ କ୍ଷମା ମାଗି ନାହାଁନ୍ତି କାରଣ ତାଙ୍କ ନାମ ଗାନ୍ଧୀ, ସାବରକର ନୁହେଁ ଏବଂ ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ।

Leave A Reply

Your email address will not be published.