ନୂଆପଡା: ନୂଆପଡା ଦେଖିବ ବଡ ଲଢେଇ । ବସନ୍ତଙ୍କ ବିଦାୟ, ଶରତଙ୍କ ଏଣ୍ଟ୍ରି । ଭେଟେରାନ୍ ବନାମ ଯୁବ ଚେହେରା । ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସକୁ ଦେବେ କି ବିଜୟ ଉପହାର? ବସନ୍ତ ପଣ୍ଡାଙ୍କ ଗଡ ଦଖଲ କରିବେ କି ପୁଅ ଅଭିନନ୍ଦନ? ବିଜେଡିର ଭେଟେରାନ ରାଜେନ୍ଦ୍ର ଢୋଲକିଆ ପୁଣି କରିବେ କି ଶଙ୍ଖନାଦ? ନା ଖେଳ ବିଗାଡିବେ ଘାସିରାମ ମାଝୀ?
ନୂଆପଡା ବିଧାନସଭାରେ ଏଥର ଦେଖିବାକୁ ମିଳିବ କଡା ଟକ୍କର । ବିଜେଡିରୁ ଭେଟେରାନ୍ ରାଜେନ୍ଦ୍ର ଢୋଲକିଆ ପ୍ରାର୍ଥୀ ହୋଇଛନ୍ତି ତ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନଙ୍କୁ ଟିକେଟ୍ ଦେଇଛି ବିଜେପି । ୨୦୧୯ରେ ନୂଆପଡାରୁ ବିଜୟୀ ହୋଇଥିଲେ ରାଜେନ୍ଦ୍ର । ୨୦୦୪ରେ ସେ ସ୍ୱାଧୀନ ଭାବେ ଜିତିଥିଲେ । ବିଜେଡିରେ ଯୋଗ ଦେବା ପରେ ୨୦୦୯ ଓ ୨୦୧୯ରେ ବିଧାୟକ ନିର୍ବାଚିତ ହୋଇଛନ୍ତି । ତିନିଥରର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ନୂଆପଡାରେ ଦବଦବା ରହିଛି । ଏଥର ବିଜୟର ଚଉକା ଲଗାଇବାକୁ ଜୋରଦାର ଉଦ୍ୟମ କରୁଛନ୍ତି ।
ରାଜେନ୍ଦ୍ରଙ୍କ ପାରମ୍ପରିକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି ବିଜେପିର ବସନ୍ତ ପଣ୍ଡା । ୨୦୦୯ରେ ବସନ୍ତ ରାଜେନ୍ଦ୍ରଙ୍କଠାରୁ ପରାଜିତ ହୋଇଥିଲେ । ତେବେ ୨୦୧୪ରେ ରାଜେନ୍ଦ୍ରଙ୍କୁ ହରାଇଥିଲେ । ହେଲେ ଏଥର ମଇଦାନରେ ବସନ୍ତଙ୍କ ପୁଅ ଅଭିନନ୍ଦନ ପଣ୍ଡା । ରାଜେନ୍ଦ୍ରଙ୍କ ବିପକ୍ଷରେ ଯୁବ ଚେହେରା ଓହ୍ଲାଇଛି ବିଜେପି । ବାପା ବସନ୍ତଙ୍କ ଲୋକସଂପର୍କ ଓ ସଂଗଠନକୁ ନେଇ ରାଜେନ୍ଦ୍ରଙ୍କ ବିଜୟ ରଥ ରୋକିବାକୁ ଉଦ୍ୟମ କରୁଛନ୍ତି ଅଭିନନ୍ଦନ ।
ନୂଆପଡା ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ ନୂଆପଡା ପାଇଁ ପୁରୁଣା ଚେହେରା । ୧୯୯୧ ଓ ୧୯୯୬ରେ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେତେବେଳେ ବଲାଙ୍ଗୀର ଲୋକସଭା ଅଧୀନରେ ନୂଆପଡା ରହିଥିଲା । ହେଲେ ଏବେ ବଦଳିଛି ନୂଆପଡା ସମୀକରଣ । ଗତ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ଦ୍ୱିତୀୟରେ ରହିଥିଲେ ଘାସିରାମ ମାଝୀ । ଏଥର ବି ପ୍ରାର୍ଥୀ ହେବାକୁ ଲବି କରିଥିଲେ ଘାସିରାମ । ହେଲେ ବିନା ସଂଗଠନରେ ନିଜେ ପିସିସି ସଭାପତି ନୂଆପଡାରୁ ପ୍ରାର୍ଥୀ ହେବାକୁ ମନ ବଳାଇବାରୁ କଟିଥିଲା ଘାସିରାମଙ୍କ ଟିକେଟ୍ । ତେବେ ଘାସିରାମଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ସମର୍ଥନ ଦେବାକୁ ଜିଲ୍ଲା ଆଦିବାସୀ ସଂଘ ନିଷ୍ପତ୍ତି ନେଇଛି ।
ଘାସିରାମ ସ୍ୱାଧୀନ ପ୍ରାର୍ଥୀ ହେଲେ ବି ସବୁ ଦଳ ପାଇଁ ଚ୍ୟାଲେଞ୍ଜ ହୋଇପାରନ୍ତି । ସେ ପୂର୍ବରୁ ଜନତା ଦଳ ଟିକେଟରେ ବିଧାୟକ ହୋଇଛନ୍ତି । ପରେ ବିଏସପି ଓ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଛନ୍ତି ଓ ସଂଗଠନ ବି ରଖିଛନ୍ତି । ତେଣୁ ନୂଆପଡାରେ ଏଥର ଚାରି ତରଫା ଲଢେଇ ଦେଖିବାକୁ ମିଳିବ । ରାଜେନ୍ଦ୍ର ଢୋଲକିଆ ଲଗାଇବେ କି ବିଜୟର ଚଉକା? ବସନ୍ତଙ୍କ କିଲ୍ଲା ଦଖଲ କରିବେ କି ପୁଅ ଅଭିନନ୍ଦନ? ନୂଆପଡା ଜିତି ବିଜୟର ନୂଆ କାହାଣୀ ଲେଖିବେ କି ଶରତ ପଟ୍ଟନାୟକ? ନା ବାଜିମାତ୍ କରିବେ ଘାସିରାମ ମାଝୀ?
Comments are closed.