Latest Odisha News

BREAKING NEWS

ନୂତନ ରୂପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟ୍‌ ଲୋକାର୍ପିତ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ୱେବ୍‌ସାଇଟ୍‌ ନୂତନ ରୂପରେ ଲୋକାର୍ପିତ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମଳନୀ କକ୍ଷରେ ନୂତନ ରୂପ ପାଇଥିବା ଏହି ୱେବ୍‌ସାଇଟ୍‌କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମାଉସ୍‌ ସ୍ୱିଚ୍‌ ଟିପି କମ୍ପୁଟରରେ ଲୋକାର୍ପଣ କରିଛନ୍ତି। ceoodisha.nic.in ଓଡ଼ିଶା ଲିଙ୍କରେ ଏହି ୱେବ୍‌ସାଇଟ୍‌ଟି ଉପଲବ୍ଧ ହେଉଛି । ନୂତନ ରୂପରେ ଏହି ୱେବ୍‌ସାଇଟ୍‌ ‘ମୁକ୍ତ, ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ’ ଲକ୍ଷ୍ୟରେ ଆଉ ଏକ ମାଇଲଖୁଣ୍ଟ ହେବା ସହ ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଜନସାଧାରଣଙ୍କଠାରେ ପହଞ୍ଚାଇବାରେ ବିଶେଷ ସହାୟକ ହେବ ବୋଲି ଲୋକାର୍ପଣ ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ମତ ରଖିଥିଲେ ।

ନୂତନ ରୂପାୟନ ପରେ ସିଇଓ ଓଡ଼ିଶା ୱେବ୍‌ସାଇଟ୍‌ ଏକ ଜନାଭିମୁଖୀ ରୂପରେ ଉପଲବ୍ଧ ହୋଇଛି। ଏହାର ପ୍ରାରମ୍ଭିକ ପୃଷ୍ଠାରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା, ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ସଂପର୍କିତ ତଥ୍ୟ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବାର୍ତ୍ତା ରହିଛି । ଫେସ୍‌ବୁକ୍‌, ଏକ୍ସ, ୟୁଟୁ୍ୟବ୍‌, ଇନ୍‌ଷ୍ଟାଗ୍ରାମ୍‌ ଆଦି ଭଳି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମାଜିକ ଗଣମାଧ୍ୟମ ପୃଷ୍ଠାର ଲିଙ୍କ୍‌ ମଧ୍ୟ ଏଠାରେ ରହିଛି । ଏହି ମୁଖ୍ୟ ପୃଷ୍ଠାରେ ନିର୍ବାଚନ ସଂପର୍କିତ ହେଲପ୍‌ଲାଇନ୍‌-୧୯୫୦ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମୋବାଇଲ୍‌ ଆପ୍‌ ଓ ପୋର୍ଟାଲର ମଧ୍ୟ ଲିଙ୍କ୍‌ ରହିଛି । ମୁଖ୍ୟ ପୃଷ୍ଠାରେ ଥିବା ଇଲେକ୍‌ସନ୍‌ ମାଇକ୍ରୋସାଇଟ୍‌ରେ କ୍ଲିକ୍‌ କରି ଭାରତ ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌କୁ ବ୍ୟବହାରକାରୀ ଯାଇପାରିବେ।

ୱେବ୍‌ସାଇଟ୍‌ରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସଂପର୍କିତ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ଏହା ସହ ଭୋଟରମାନଙ୍କ ସଂପର୍କିତ ସମସ୍ତ ତଥ୍ୟ ଯେପରି ଭୋଟର ତାଲିକା, ଅନ୍‌ଲାଇନ୍‌ ଆବେଦନ, ଭୋଟର ତାଲିକାରେ ନାମ ଖୋଜିବା, ବୁଥ୍‌ ତାଲିକା, ଲୋକସଭା ଓ ବିଧାନସଭା କ୍ଷେତ୍ର ମ୍ୟାପ୍‌ ଆଦି ଦିଆଯାଇଛି । ଅନ୍ୟ ବଟନ୍‌ଗୁଡ଼ିକରେ ଆଦର୍ଶ ଆଚରଣ ବିଧି, ଇଭିଏମ୍‌-ଭିଭିପାଟ୍‌, ପୂର୍ବ ନିର୍ବାଚନଗୁଡ଼ିକର ଫଳାଫଳ, ମତଦାନ ହାର, ରାଜନୈତିକ ଦଳ, ପ୍ରାର୍ଥୀଙ୍କ ବିଭିନ୍ନ ଫର୍ମ, ଗାଇଡ଼୍‌ଲାଇନ୍‌ ଆଦି ବିଷୟରେ ସବିଶେଷ ତଥ୍ୟ ଦିଆଯାଇଛି । ଭାରତ ନିର୍ବାଚନ କମିଶନ ନିର୍ବାଚନ ସଂପର୍କିତ ସମସ୍ତ ତଥ୍ୟ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଇବା ନିର୍ବାଚନ ସୁପରିଚାଳନାର ଏକ ପ୍ରମୁଖ ଦିଗ ବୋଲି ଧଳ କହିଛନ୍ତି ।

ସେହି କ୍ରମରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ୍‌ସାଇଟ୍‌ର ଏହି ନୂତନ ରୂପାୟନ ଏକ ମାଇଲ୍‌ଖୁଣ୍ଟ । ଏଠାରେ ସମସ୍ତ ତଥ୍ୟ ଉଚିତ ସମୟରେ ଉପଲବ୍ଧ ରହିବ । ଏହା ରାଜ୍ୟରେ ମତଦାନ ପ୍ରକ୍ରିୟାକୁ ସୁଦୂରପ୍ରସାରୀ କରିପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ମତପ୍ରକାଶ କରିଥିଲେ । ଲୋକାର୍ପଣ କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ମହାନ୍ତି ଓ ଅନ୍ୟ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.