ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଆଜି ଦିଲ୍ଲୀରେ ଏମସିଡି ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ରାଜ୍ୟ ନିର୍ବାଚନ କମିଶନ ଆଜି ସନ୍ଧ୍ୟାରେ ତାରିଖ ଘୋଷଣା କରିପାରନ୍ତି। ଏହା ଦିଲ୍ଲୀର ସ୍ଥାନୀୟ ନିର୍ବାଚନ ହେଲେ ମଧ୍ୟ ଉଭୟ ଆପ୍ ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। କାରଣ ଦିଲ୍ଲୀରେ ଆପ୍ ସରକାର ଗଢିଥିଲେ ମଧ୍ୟ ପୌର ପାଳିକା ଉପରେ ବିଜେପିର ପ୍ରଭାବ ରହିଛି। ସେହିପରି ଆପ୍ ସରକାର ଗଢିଥିଲେ ମଧ୍ଯ ବିଜେପି ପୌରପାଳିକାରେ ନିଜର ଦବଦବା ରଖିଥିବାରୁ ସମାନ ପତିଆରାକୁ କିଭଳି ବଜାଇ ରଖିବ ସେ ନେଇ ପ୍ରୟାସ କରିବ ବିଜେପି।
ଗୁଜରାଟ ସହିତ ସମ୍ଭାବ୍ୟ ଦିଲ୍ଲୀ ପୌରପାଳିକା ନିର୍ବାଚନ ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। କାରଣ କେଜ୍ରିଓ୍ୱାଲ ଗୋଟିଏ ପଟେ ଗୁଜରାଟରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିକୁ ଚ୍ୟାଲେଞ୍ଜ କରୁଛନ୍ତି। ଅନ୍ୟ ପଟେ ଦିଲ୍ଲୀରେ ଏମସିଡି ଉପରେ କବଜା କରିବାକୁ ପ୍ରୟାସ କରୁଛନ୍ତି। ଗୁଜରାଟ ବିଜେପିର ଗଡ ଭାବେ ପରିଚିତ। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଜ ରାଜ୍ୟ ହେଉଛି ଗୁଜରାଟ। ଅନ୍ୟପଟେ ଏହି ରାଜ୍ୟରେ ବିଜେପି ଦୀର୍ଘ ବର୍ଷ ହେବ ସରକାରରେ ରହି ଆସୁଛି।
ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ କେଜ୍ରିୱାଲ ଗତ କିଛି ମାସ ମଧ୍ୟରେ ବିଜେପି ଗଡରେ ଯେଉଁଭଳି ପରିଶ୍ରମ କରିଛନ୍ତି, ଦଳ ଭଲ ଫଳାଫଳ କରିବ ଆଶା କରୁଛି। କେଜ୍ରିୱାଲଙ୍କ ସମାବେଶ ତଥା ରୋଡ ସୋ’ରେ ଭିଡ଼କୁ ଦେଖିଲେ କଂଗ୍ରେସଠୁ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ଦଳ। କୁହାଯାଉଛି ଯେ ଯଦି ଆପ୍ ନିଜ ଉଦ୍ଦେଶ୍ୟରେ ସଫଳ ହୁଏ, ତେବେ ଜାତୀୟ ସ୍ତରରେ ଦଳର ପ୍ରଭାବ ଆହୁରି ମଜବୁତ ହେବ।
ତେବେ ଦିଲ୍ଲୀରେ ଏମସିଡି ନିର୍ବାଚନ ମଧ୍ୟ ଆପ୍ ପାଇଁ ଗୁରୁତ୍ୱପୂର୍ଣ୍ଣ। ଗତ ତିନିଟି ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ଆପ୍ ଭଲ ପ୍ରଦର୍ଶନ କରି ସରକାର ଗଢିଛି। କିନ୍ତୁ ଲୋକସଭା ନିର୍ବାଚନ ଏବଂ ପୌର ନିର୍ବାଚନରେ ନିରାଶା ହେବାକୁ ପଡିଛି ଦିଲ୍ଲୀର ଏହି ରାଜନୈତିକ ଦଳକୁ।
ଏଭଳି ପରିସ୍ଥିତିରେ ଗୁଜରାଟ ଏବଂ ଦିଲ୍ଲୀରେ ଏକାସାଙ୍ଗରେ ଯଦି ନିର୍ବାଚନ ହେବ ତାହେଲେ କେଜ୍ରିୱାଲଙ୍କୁ ପ୍ରଚାର କରିବାରେ ଅସୁବିଧା ସୃଷ୍ଟି ହୋଇପାରେ। ତେବେ ଉଭୟ ନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ ଆପ୍ ରୋଡମ୍ୟାପ ପ୍ରସ୍ତୁତ କରିଥିବା ସୂଚନା ରହିଛି।
ଅନ୍ୟପଟେ ବିଜେପି ସାମ୍ନାରେ ମଧ୍ୟରେ ଚ୍ଯାଲେଞ୍ଜ ରହଛି। ହିମାଚଳପ୍ରଦେଶରେ ଲଗାତର ଦ୍ବିତୀୟ ଥର ସରକାର ଗଢି ଦଳ ୩୭ ବର୍ଷର ରେକର୍ଡ ଭାଙ୍ଗି କ୍ଷମତାକୁ ଫେରିବାକୁ ପ୍ରୟାସ କରିବ। ସେପଟେ ଗୁଜରାଟରେ ୨୭ ବର୍ଷର ନିରନ୍ତର ଶାସନ ଜାରି ରଖିବାକୁ ଲକ୍ଷ୍ୟ ରଖିଛି ଦଳ। ଏଥି ସହିତ ଦୀର୍ଘ ଦିନ ଧରି ଦିଲ୍ଲୀ ଏମସିଡିକୁ ନିଜ ଦଖଲକୁ ନେଇଥିବା ବିଜେପି ‘ଆଣ୍ଟି-ଇନକମ୍ବୁନ୍ସି ହାଓ୍ୱା’ ସହ ମୁକାବିଲା କରିବାକୁ ଯାଉଛି। ଏହି ତିନି ସ୍ଥାନରେ ବିଜେପି କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିକୁ ମୁକାବିଲା କରିବାକୁ ଯାଉଛି।
Comments are closed.