Latest Odisha News

BREAKING NEWS

ସୀମା ବିବାଦ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ତୁଟୁନି ସୀମା ବିବାଦ । କେତେବେଳେ କୋରାପୁଟ ତ ଆଉ କେବେ ଗଜପତି ଜିଲ୍ଲାରେ ଧସେଇ ପଶୁଛି ଆନ୍ଧ୍ର । ଯାହାର ଶାନ୍ତିପୂର୍ଣ୍ଣ ସମାଧାନ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁରୋଧ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପରାମର୍ଶ ଦେଇଛନ୍ତି ।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଏବଂ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣାରେ ଦେଖା ଦେଇଥିବା ସୀମା ବିବାଦର ସମାଧାନ ପାଇଁ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି । ଚିଠିରେ ଧର୍ମେନ୍ଦ୍ର ଲେଖିଛନ୍ତି, ସୀମା ବିବାଦର ସମାଧାନ ପାଇଁ ଏକ ସର୍ବଦଳୀୟ ବୈଠକ ଡକାଯାଉ । ବୈଠକରେ ସୀମା ବିବାଦ ପାଇଁ ଗଠନ କରାଯାଇଥିବା ଆନ୍ତଃରାଜ୍ୟ କମିଟିର ଅଗ୍ରଗତି କାର୍ଯ୍ୟ ଉପରେ ସମୀକ୍ଷା କରାଯାଉ । ଏହାସହ ସୀମାବର୍ତ୍ତୀ ଗାଁ ଗୁଡ଼ିକରେ ନିଆଯାଇଥିବା ବିକାଶମୂଳକ କାର୍ଯ୍ୟ ଗୁଡ଼ିକର ତଥ୍ୟ ବୈଠକରେ ଉପସ୍ଥାପନ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଶାନ୍ତିପୂର୍ଣ୍ଣ ଭାବରେ ଦୁଇ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା କରି ସୀମା ବିବାଦର ସମାଧାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀଙ୍କୁ ୨୦୨୦ ଓ ୨୦୨୧ରେ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ । ବିଗତ ବର୍ଷ ମାନଙ୍କରେ ଏହି ସୀମା ବିବାଦର ସମାଧାନ ପାଇଁ ତାଙ୍କ ଦ୍ୱାରା ଉଦ୍ୟମ କରାଯିବା ସତ୍ତ୍ୱେ ଏଥିରେ କୌଣସି ପରିବର୍ତ୍ତନ ହୋଇ ନଥିବା ଭଳି ମନେ ହେଉଛି ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି, ବିଗତ କିଛି ଦିନ ମାନଙ୍କରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ସୀମାବର୍ତ୍ତୀ ଗ୍ରାମରେ ପ୍ରଶାସନିକ ହସ୍ତକ୍ଷେପ କରିବାର ଖବର ସାମ୍ନାକୁ ଆସୁଛି । ଆନ୍ଧ୍ର ସରକାରଙ୍କ ଦ୍ୱାରା ଏହି ବେଆଇନ ଓ ଦୁର୍ଭାଗ୍ୟପୂର୍ଣ୍ଣ ହସ୍ତକ୍ଷେପ କେବଳ କୋଟିଆରେ ସୀମିତ ହୋଇ ରହିନାହିଁ ବରଂ ଦକ୍ଷିଣ ଓଡ଼ିଶାରେ ଅନେକ ଗ୍ରାମକୁ ବ୍ୟାପିବାରେ ଲାଗିଛି । ନାମ ପରିବର୍ତ୍ତନ କରାଯାଇ ଆନ୍ଧ୍ର ସରକାରଙ୍କ ଦ୍ୱାରା ନୂତନ ଭାବେ ଗଠିତ ହୋଇଥିବା ପାର୍ବତିପୂରମ ମାନ୍ୟମ ଜିଲ୍ଲାରେ ଏହିଭଳି ୨୧ଟି ଗ୍ରାମକୁ ଅନ୍ତର୍ଭୃକ୍ତ କରାଯାଇଛି, ଯାହାର ସଦର ମହକୂମା କୋଟିଆର ଅନେକ ଗ୍ରାମରୁ ୪୦ କିମି ଦୂରରେ ରହିଛି । ଆନ୍ଧ୍ର ସରକାର ସକ୍ରିୟ ଭାବେ ଏହି ସବୁ ଗ୍ରାମରେ ବିଭିନ୍ନ ଯୋଜନା ଓ ଉନ୍ନୟନ କାର୍ଯ୍ୟକୁ କାର୍ଯ୍ୟକାରୀ କରିବା ସହ ଅଞ୍ଚଳର ଅଧିବାସୀଙ୍କୁ ଆନ୍ଧ୍ରର ଅଂଶ ହେବା ପାଇଁ ପ୍ରଲୋଭନ ଦେଖାଉଛନ୍ତି ।

ଏଭଳି ସମୟରେ ଓଡ଼ିଶା ସରକାର ମଧ୍ୟ ସରଜମିନ ସ୍ତରରେ କ୍ରୀୟାଶିଳ ହେବାର ଆବଶ୍ୟକତା ରହିଛି । ଫଳସ୍ୱରୂପ ସରକାର ଏବଂ ପ୍ରଶାସନ ଏହି ସୀମାବର୍ତ୍ତୀ ଗ୍ରାମବାସୀଙ୍କ ନିକଟତର ହୋଇପାରିବ । ଜିଲ୍ଲା ମୁଖ୍ୟାଳୟ ବହୁ ଦୂରରେ ଥିବାରୁ ଲୋକମାନେ ଆନ୍ଧ୍ରପ୍ରଦେଶ ପ୍ରଶାସନ ପାଖରେ ହାଜର ହୋଇପାରନ୍ତି । ପଡ଼ୋଶୀ ରାଜ୍ୟ ଗୁଡ଼ିକ ମଧ୍ୟ ଏହିଭଳି ଭାବରେ ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ନାଗରିକଙ୍କୁ ଓଡ଼ିଶା ଠାରୁ ଦୂରେଇ ନେବା ପାଇଁ ସମାନ ଉପାୟ ଅବଲମ୍ବନ କରିପାରନ୍ତି । ଫଳସ୍ୱରୂପ ମାତୃଭୂମି ସହ ଥିବା ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ତୁଟିଯିବାର ଆଶଙ୍କା ତିଆରି ହେଉଛି । ଆନ୍ଧ୍ର ସରକାର ଯୋଜନାବଦ୍ଧ ଭାବରେ ସୀମାବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ରାସନ କାର୍ଡ, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରି ଗ୍ରାମବାସୀଙ୍କୁ ନିଜ ଆଡକୁ ଟାଣିବା ପାଇଁ ଚେଷ୍ଟା କରୁଛନ୍ତି ।

ଏହି ସବୁ ବିଷୟକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜନସାଧାରଣ ଓ ସଂଗଠନକୁ ବିଶ୍ୱାସର ସହ ନିଆଯାଉ । ବିକାଶ ସହ ଜଡ଼ିତ ପ୍ରସଙ୍ଗର ସମାଧାନ କରାଯାଉ । ଆନ୍ଧ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ସୁବିଧା ଦ୍ୱାରା ଲୋକମାନେ କିପରି ପ୍ରଲୋଭିତ ନ ହେବେ, ସେ ଦିଗ ପ୍ରତି ଧ୍ୟାନ ଦିଆଯାଉ । ସୀମା ବିବାଦ ଅଞ୍ଚଳ ଗୁଡ଼ିକରେ ଓଡ଼ିଶା ସରକାରଙ୍କ ଦ୍ୱାରା ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ ।

ପ୍ରଶାସନିକ ମୁହାଁମୁହିଁ ଓ ବିବାଦ ଦ୍ୱାରା ଉକ୍ତ ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସହ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ଏପରି ପରିସ୍ଥିତି ଉପୁଜିଲେ ଉଭୟ ରାଜ୍ୟର ସାମାଜିକ ଓ ରାଜନୈତିକ ଉଦ୍ଦେଶ୍ୟର ବିରୋଧ ହେବ, ଯାହା ବ୍ୟବସ୍ଥା ବିରୋଧୀ ମତକୁ ପ୍ରଶୟ ଦେବ । ଅପରପକ୍ଷରେ ଦଳ ମତ ନିର୍ବିଶେଷରେ ସବୁ ରାଜନୈତିକ ଦଳ ସୀମାବର୍ତ୍ତୀ ଗାଁ ଗୁଡ଼ିକରେ ବସବାସ କରୁଥିବା ଓଡ଼ିଆ ଲୋକଙ୍କ ସ୍ୱାର୍ଥ ରକ୍ଷା ସହ ସେମାନଙ୍କ ଉନ୍ନତି ପାଇଁ ମତପ୍ରକାଶ କରିଛନ୍ତି । ତେଣୁ ଦୁଇ ରାଜ୍ୟର ଲୋକକଲ୍ୟାଣକୁ ଦୃଷ୍ଟିରେ ରଖି ସୀମା ବିବାଦର ସମାଧାନ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.