Latest Odisha News

BREAKING NEWS

ଅରୁଣ ହେବେ ଉତ୍ତରାଧିକାରୀ !

ଭୁବନେଶ୍ବର: ନବୀନଙ୍କ ଉତ୍ତରାଧିକାରୀ ହେବେ କି ପୁତୁରା ଅରୁଣ ପଟ୍ଟନାୟକ? ଅରୁଣ ଓଡିଶା ଆସିଥିବା ଚର୍ଚ୍ଚା ହେଉଛି। ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ଅରୁଣ ଓଡିଶା ଆସିଥିବା ଚର୍ଚ୍ଚାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୈତିକ ମାହୋଲ । ଶୁକ୍ରବାର ଅରୁଣ ପଟ୍ଟନାୟକ ଓଡିଶା ଆସିବା ନେଇ ଚର୍ଚ୍ଚା ହେଉଛି । ଶନିବାର ନବୀନ ନିବାସରେ ପ୍ରସନ୍ନ ଆଚାର୍ଯ୍ୟ, ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ପ୍ରତାପ ଦେବ, ପ୍ରତାପ ଜେନାଙ୍କ ପରି ବରିଷ୍ଠ ବିଜେଡି ନେତା ଏକାଠି ହୋଇଥିଲେ । ତେବେ ବିଜେଡିର ସବୁଠୁ ଖରାପ ସମୟରେ ଅରୁଣ ପଟ୍ଟନାୟକଙ୍କୁ ଉତ୍ତରାଧିକାରୀ ଘୋଷଣା କରିବେ କି ନବୀନ ?

ନବୀନଙ୍କ ପରେ ଅରୁଣ !

ପ୍ରବାଦ ପୁରୁଷ ବିଜୁବାବୁଙ୍କ ନାଁରେ ଗଠିତ ବିଜୁ ଜନତା ଦଳକୁ ୨୪ବର୍ଷରୁ ଅଧିକ ସମୟ ଧରି ଭଲ ପାଇବା ଅଜାଡିଛନ୍ତି ଓଡିଶାବାସୀ। ତେବେ ନବୀନଙ୍କ କ୍ଷମତା ପାଣ୍ଡିଆନ ହାଇଜାକ୍ କରିବା ନେଇ ସାଧାରଣରେ ଏକ ଧାରଣା ସୃଷ୍ଟି ହେବା ପରେ ବିଜେଡିରୁ ବିମୁଖ ହୋଇଛନ୍ତି ଜନତା । ନିର୍ବାଚନରେ ବିଜେଡିକୁ ବିପର୍ଯ୍ୟୟର ସାମନା କରିବାକୁ ପଡିଛି । ତେଣୁ ପୁଣି ବିଜେଡିକୁ ଟ୍ରାକକୁ ଆଣିବାକୁ ନେତୃତ୍ବ ନେବେ କି ବିଜୁବାବୁଙ୍କ ନାତି ଅରୁଣ ପଟ୍ଟନାୟକ? ଉଚ୍ଚଶିକ୍ଷିତ ଅରୁଣ ନବୀନଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ। ଓଡିଶାରେ ରହିନଥିଲେ ବି ବିଜୁ ପରିବାର କନେକ୍ସନ୍ ତାଙ୍କୁ ଓଡିଶାବାସୀଙ୍କ ସହ ଯୋଡ଼ିପାରେ । କୁହାଯାଉଛି, ବିଜେଡିର ସଂକଟ ସମୟରେ ଅରୁଣଙ୍କୁ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ନବୀନ ।

ପାଣ୍ଡିଆନ୍ ହେଲେ ବୁମେରାଂ

୨୦୧୪ ପରଠୁ ବିଜେଡିରେ ପାଣ୍ଡିଆନଙ୍କ ଦବଦବା ବଢିଥିଲା । ୨୦୧୯ରେ ଟିକେଟ୍ ବଣ୍ଟନରେ ବି ତାଙ୍କର ବଡ ଭୂମିକା ରହିଥିଲା। ଚାକିରିରେ ଥାଇ ବି ସେ ବିଜେଡି ଦଳୀୟ ବ୍ୟାପାରରେ ମୁଣ୍ଡ ଖେଳାଉଥିଲେ । ଚାକିରି ଛାଡି ସିଧାସଳଖ ବିଜେଡିର ନମ୍ବର ଟୁ ସାଜିଲେ। ତେବେ ବିଜେଡିରେ ପାଣ୍ଡିଆନଙ୍କ ଅତ୍ୟଧିକ ପ୍ରବେଶକୁ ପସନ୍ଦ କଲେନି ଓଡିଶାବାସୀ। ପାଣ୍ଡିଆନ ଏକ୍ସପେରିମେଣ୍ଟ ଫେଲ୍ ମାରିଲା। ପାଣ୍ଡିଆନ ବିରୋଧୀ ସ୍ବର ଏବେ ବିଜେଡି ଭିତରୁ ବି ଶୁଭିଲାଣି। ଦଳର ବରିଷ୍ଠ ନେତା ମୁହଁ ଖୋଲୁନଥିଲେ ବି ଯୁବ ବିଜେଡି ନେତା ଖୋଲାଖୋଲି ଅସନ୍ତୋଷ ଝାଡୁଛନ୍ତି । ନିର୍ବାଚନ ଫଳାଫଳ ପରଠୁ ନବୀନଙ୍କ ସହ ବି ନଜର ଆସୁନାହାନ୍ତି ପାଣ୍ଡିଆନ। ନବୀନ ଦଳୀୟ ନେତାଙ୍କ ସହ ନିଜେ ଭେଟୁଛନ୍ତି, ଆଲୋଚନା ବି କରୁଛନ୍ତି । ପାଣ୍ଡିଆନ ବିରୋଧୀ ସ୍ବର ଦବାଇବାକୁ ଏହା ରଣନୀତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ପଛରୁ ଗୋଟି ଚଳାଇବେ ପାଣ୍ଡିଆନ !

ପ୍ରଚାରରୁ ସଭା ସବୁଠି ସାମନାକୁ ଆସିଲେ ପାଣ୍ଡିଆନ, ଖସିଲା ବିଜେଡିର ଲୋକପ୍ରିୟତା । ତେଣୁ ପାଣ୍ଡିଆନ ଏଥର ପରଦା ପଛରୁ ବିଜେଡି ପାଇଁ ଗୋଟି ଚଳାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଓଡିଶାରେ ଯେ ପାଣ୍ଡିଆନଙ୍କ ଗ୍ରହଣୀୟତା ଆଦୌ ନାହିଁ, ସେକଥା ନିର୍ବାଚନ ଫଳାଫଳରୁ ହିଁ ସ୍ପଷ୍ଟ ହୋଇଛି । ତେଣୁ ବିଜୁ ପରିବାରରୁ ଜଣଙ୍କୁ ଦଳର ଉତ୍ତରାଧିକାରୀ ରଖି ପଛରେ ରଣନୀତି ପ୍ରସ୍ତୁତ କରିପାରନ୍ତି ପାଣ୍ଡିଆନ। ନବୀନଙ୍କ ଅସୁସ୍ଥତାକୁ ନେଇ ଗତ ନିର୍ବାଚନରେ ବିଜେପି ନେତା ବାରମ୍ବାର ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ତେଣୁ ନିଜ ଜାଗାରେ ପରିବାରରୁ ହିଁ ଅନ୍ୟ କାହାକୁ ସାମନାକୁ ଆଣିପାରନ୍ତି ନବୀନ ।

ବିପର୍ଯ୍ୟୟ ପରେ ବ୍ଲୁପ୍ରିଣ୍ଟ

ନିର୍ବାଚନରେ ବିଜେଡି ବିପର୍ଯ୍ୟୟ ପରେ ଭବିଷ୍ୟତ ବ୍ଲୁପ୍ରିଣ୍ଟ ଦେଖି ଚାହିଁ ପ୍ରସ୍ତୁତ କରୁଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳ ବିରୋଧରେ ଥିବା ଜନ ଅସନ୍ତୋଷ କମାଇବା ସହ ବିଜେଡିର ପୂର୍ବ ଲୋକପ୍ରିୟତା ଫେରାଇ ଆଣିବା ନବୀନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ । ଗତ କିଛି ବର୍ଷ ହେଲା ନବୀନ ଓ ପାଣ୍ଡିଆନ ହିଁ ମଞ୍ଚରେ ରହିବା ସହ ବାକି ନେତା ଛବିରେ ହିଁ ନଥିଲେ । ତେଣୁ ଦଳ ଭିତରୁ କୌଣସି ନେତାଙ୍କୁ ଉତ୍ତରାଧିକାରୀ କଲେ ତାଙ୍କ ଗ୍ରହଣୀୟତା ନେଇ ବି ପ୍ରଶ୍ନ ଉଠିପାରେ । ତେବେ ବିଜୁବାବୁଙ୍କ ପରିବାରରୁ କେହି ନେତୃତ୍ବ ନେଲେ ଦଳରେ ସମସ୍ତେ ଏହାକୁ ସହଜରେ ଗ୍ରହଣ କରିପାରନ୍ତି । ତେଣୁ ଅରୁଣ ପଟ୍ଟନାୟକଙ୍କୁ ଉତ୍ତରାଧିକାରୀ କରିବା ଚର୍ଚ୍ଚା ଜୋରଦାର ହେଉଛି ।

Leave A Reply

Your email address will not be published.