ନୂଆଦିଲ୍ଲୀ: ନୀତିଶଙ୍କୁ ନେଇ ପୁଣି ବିହାର ରାଜନୀତି ସରଗରମ । ଲାଲୁଙ୍କ ଅଫର ତ ତେଜସ୍ବୀଙ୍କ ବିରୋଧ । ଆରଜେଡିରେ ନୀତିଶଙ୍କୁ ନେଇ ଘମାସାନ । ପୁଣି ନିର୍ବାଚନ ପୂର୍ବରୁ ପଲଟି ମାରିବେ କି ନୀତିଶ ? ବିହାର ନିର୍ବାଚନ ଯେତେ ପାଖଉଛି, ନୀତିଶଙ୍କୁ ନେଇ ଚର୍ଚ୍ଚା ସେତେ ବଢିବାରେ ଲାଗିଛି । କିଛି ଦିନ ତଳେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ ନୀତିଶଙ୍କୁ ଇଣ୍ଡିଆ ମେଣ୍ଟକୁ ଆସିବାକୁ ଅଫର ଦେଇଥିଲେ । ତେବେ ନୀତିଶଙ୍କୁ ନେଇ ଲାଲୁ ଓ ତେଜସ୍ବୀଙ୍କ ସ୍ବର ଭିନ୍ନ ରହିଥିଲା। ଲାଲୁଙ୍କ ଅଫର ସତ୍ବେ ତେଜସ୍ବୀ ନୀତିଶଙ୍କୁ କ୍ଷମତାରୁ ବେଦଖଲ କରିବାକୁ ଦମ୍ଭ ଦେଖାଇଛନ୍ତି । ସେପଟେ କଂଗ୍ରେସ ନୀତିଶଙ୍କୁ ନେଇ ସଫ୍ଟକର୍ଣ୍ଣର ଦେଖାଇଛି । ତେବେ ସାଥୀ ବଦଳାଇବାରେ ରେକର୍ଡ କରିଥିବା ନୀତିଶ ଏଥର ପୁଣି ଏନଡିଏକୁ ଦେବେ କି ଝଟକା?
କେବେ ବିଜେପି କେବେ ଆରଜେଡି
୨୦୨୦ନିର୍ବାଚନରେ ୭୫ସିଟ୍ ଜିତି ଆରଜେଡି ସବୁଠୁ ବଡ ଦଳ ପାଲଟିଥିଲା ତ ବିଜେପି ଜିତିଥିଲା ୭୪ସିଟ୍ । ତେବେ ଜେଡିୟୁ ସହ ମିଶି ସରକାର ଗଠନ କରିବା ସହ ବିଜେପି ନୀତିଶଙ୍କୁ ସିଏମ୍ ପଦରେ ବସାଇଥିଲା । ୨୦୧୫ ନିର୍ବାଚନରେ ନୀତିଶ ଆରଜେଡି ସହ ଥିଲେ । ମହାଗଠବନ୍ଧନ ନିର୍ବାଚନ ଜିତିଥିଲା । ତେବେ ୨୦୧୭ରେ ଜେଡିୟୁ ମହାଗଠବନ୍ଧନରୁ ବାହାରି ବିଜେପି ସହ ମିଶି ସରକାର ଗଢିଥିଲା । ଏସବୁରୁ ଗୋଟିଏ କଥା ସ୍ପଷ୍ଟ, ବିହାରରେ ଯାହା ସହ ନୀତିଶ କୁମାର ତାର ହିଁ ସରକାର । ଆଉ ସେଥିପାଇଁ କମ୍ ସିଟ୍ ଜିତିଥିଲେ ବି ନୀତିଶ ହିଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏପର୍ଯ୍ୟନ୍ତ ୯ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତିଶ କେତେବେଳେ ବିଜେପି ତ କେତେବେଳେ ଆରଜେଡିକୁ ନିଜ ସାରଥୀ କରିଛନ୍ତି।
ଆରଜେଡି କେବେ ନରମ କେବେ ଗରମ
ନୀତିଶଙ୍କୁ ନେଇ ଆରଜେଡିର ଆଭିମୁଖ୍ୟ କେବେ ନରମ ତ କେବେ ଗରମ ଦେଖିବାକୁ ମିଳୁଛି । ଚଳିତ ବର୍ଷ ହେବାକୁ ଯାଉଥିବା ନିର୍ବାଚନ ପୂର୍ବରୁ ନୀତିଶଙ୍କୁ ମହାଗଠବନ୍ଧନକୁ ଆଣିବାକୁ ଚାହୁଁଛି ଆରଜେଡି । ତେବେ ବିହାର ଜନତାଙ୍କ ଆଗରେ ନିଜକୁ ଦୁର୍ବଳ ବି ଦେଖାଇବାକୁ ଚାହୁଁନି । କାରଣ ଯଦି ନୀତିଶ ମହାଗଠବନ୍ଧନକୁ ନଆସନ୍ତି ତେବେ ତାଙ୍କୁ ସିଧା ଟାର୍ଗେଟ୍ କରିବ ଆରଜେଡି । ନୀତିଶ କୁମାର ବି ବିହାର ରାଜନୀତିର ସବୁଠୁ ବଡ ଖେଳାଳି । ସେଥିପାଇଁ ଲାଲୁଙ୍କ ଅଫର ଶୁଣିବା ପରେ ବି ନିରବରେ ହସି ଅନେକ ସସପେନ୍ସ ଛାଡି ଯାଇଛନ୍ତି । ରାଜ୍ୟପାଳଙ୍କ ଶପଥ ଗ୍ରହଣ ସମାରୋହ ଅବସରରେ ବି ନୀତିଶଙ୍କ ପ୍ରତି ତେଜସ୍ବୀଙ୍କ ନରମ ଅନ୍ଦାଜ ଦେଖିବାକୁ ମିଳିଥିଲା । ହେଲେ ବାହାରକୁ ବାହାରି କଡା ବୟାନ ଦେଲେ ତେଜସ୍ବୀ।
ଏନଡିଏ ଛାଡିଲେ ନୀତିଶଙ୍କ କ୍ଷତି !
ନୀତିଶ ଏବେ ଏନଡିଏ ଛାଡି ମହାଗଠବନ୍ଧନକୁ ଗଲେ ଲାଭଠୁ ବେଶୀ କ୍ଷତି ସହିପାରନ୍ତି । ଏନଡିଏ ଛାଡିଲେ ନୀତିଶ କୁମାରଙ୍କ ମୁଖ୍ୟମନ୍ତ୍ରୀ ପଦ ଯାଇପାରେ । କାରଣ ମେଣ୍ଟ ଛାଡିଲେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବ ବିଜେପି । ଆରଜେଡି ସହ ମିଶି ସରକାର ଗଠନ କରିବାକୁ ଚାହିଁଲେ ବି ରାଜ୍ୟପାଳ ସୁଯୋଗ ଦେଇନପାରନ୍ତି । କାରଣ ଉପନିର୍ବାଚନ ପରେ ବିହାର ବିଧାନସଭାରେ ୮୦ସିଟ୍ ସହ ବିଜେପି ଏବେ ସବୁଠୁ ବଡ ଦଳ । ନୀତିଶ କୁମାର କେନ୍ଦ୍ର ଏନଡିଏ ସରକାରକୁ ସମର୍ଥନ ପ୍ରତ୍ୟାହାର କଲେ ସରକାର ଭାଙ୍ଗିଯାଇପାରେ । ହେଲେ ବିଜେପି ପାଖରେ ଟିଏମସି ଅପସନ ବି ରହିବ । ଗତ କିଛି ଦିନ ହେଲା ମମତା ବାନାର୍ଜୀଙ୍କୁ ନେଇ ବିଜେପିର ଆଭିମୁଖ୍ୟ ନରମ ରହିଥିବା ବେଳେ ଟିଏମସି ସରକାରକୁ ବାହାରୁ ସମର୍ଥନ ଦେଇପାରେ । କାରଣ ଇଣ୍ଡିଆ ମେଣ୍ଟରେ ମମତା ବିରୋଧର ସ୍ବର ଉଠାଇ ସାରିଛନ୍ତି । ଇଣ୍ଡିଆ ମେଣ୍ଟକୁ ଆସିଲେ ବି ନୀତିଶଙ୍କ ପାଇଁ ମେଣ୍ଟର ନେତା ହେବା ରାସ୍ତା ଏତେ ସହଜ ହେବନି । କାରଣ କଂଗ୍ରେସ ହେଉ କି ଟିଏମସି, ଇଣ୍ଡିଆ ମେଣ୍ଟର ନେତା ହେବା ପାଇଁ ପ୍ରତିଦ୍ବନ୍ଦ୍ବିତା ପ୍ରବଳ । ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ବି ତେଜସ୍ବୀ ଆଶାୟୀ ରହିଛନ୍ତି । ତେଣୁ ନୀତିଶ ଆରଜେଡିକୁ ସମର୍ଥନ କଲେ ବି ମୁଖ୍ୟମନ୍ତ୍ରୀ ପଦ ନିରଙ୍କୁଶ ଭାବେ ପାଇନପାରନ୍ତି । ତେଣୁ ଲାଲୁ ଅଫର ଦେଇଥିଲେ ବି ନୀତିଶଙ୍କ ନିଷ୍ପତ୍ତି ଉପରେ ନଜର ରହିବ । ରାଜନୀତି ମଇଦାନର ପୋଖତ ଖେଳାଳି ନୀତିଶ କୁମାର ସବୁ ରାଜନୈତିକ ସମୀକରଣକୁ ଦେଖି ଏଥର ନିଷ୍ପତ୍ତି ନେବେ । ବିହାରରେ ଏନଡିଏ ନେତୃତ୍ବକୁ ନେଇ ଅମିତ ଶାହାଙ୍କ ବୟାନ ପରେ ପରିବର୍ତ୍ତିତ ଅନ୍ଦାଜରେ ନଜର ଆସୁଛନ୍ତି ନୀତିଶ । ତେବେ ନୀତିଶଙ୍କ ମନରେ କଣ? ସେକଥା ଆଗୁଆ ଆକଳନ କରିବା ସହଜ ନୁହେଁ ।
Comments are closed.