ନୂଆଦିଲ୍ଲୀ: ଚାକିରିଆଙ୍କ ପାଇଁ ବଡ଼ ଖବର । ଆପଣଙ୍କ PF ଜମା ଉପରେ ସୁଧ ହାର ବଢ଼ିବ ନା କମିବ, ତାହା ଖୁବଶୀଘ୍ର ସ୍ପଷ୍ଟ ହେବାକୁ ଯାଉଛି । ଆସନ୍ତା ମାର୍ଚ୍ଚ ୨ ତାରିଖରୁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଚଳିତ ଆର୍ଥିକ ବର୍ଷ ପାଇଁ ସୁଧ ହାର କେତେ ରହିବ, ସେନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯିବ। କର୍ମଚାରୀଙ୍କ ଅବସରକାଳୀନ ପାଣ୍ଠି ବା EPF ଉପରେ ସୁଧ ହାରକୁ ନେଇ ସସପେନ୍ସ ଜାରି ରହିଛି । ଆସନ୍ତା ମାର୍ଚ୍ଚ ୨ ତାରିଖରୁ EPFO ର ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଟ୍ରଷ୍ଟିଜ୍ ବା CBT ର ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସୁଧ ହାର ଘୋଷଣା କରାଯିବାର ସମ୍ଭାବନା ରହିଛି। CBT ର ନିଷ୍ପତ୍ତି ପରେ ଏହାକୁ ଅର୍ଥ ମନ୍ତ୍ରଣାଳୟ ପାଖକୁ ଅନୁମୋଦନ ପାଇଁ ପଠାଯିବ। ଅର୍ଥ ମନ୍ତ୍ରଣାଳୟର ସ୍ୱୀକୃତି ପରେ ହିଁ ନୂତନ ସୁଧ ହାର ଲାଗୁ ହେବ।
ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ସରକାର PF ସୁଧ ହାରକୁ ୮.୨୫ ପ୍ରତିଶତ ରଖିଥିଲେ। ଯଦି ଆମେ ଇତିହାସ ଉପରେ ନଜର ପକାଇବା, ତେବେ ୧୯୮୯-୯୦ ରୁ ୧୯୯୯-୨୦୦୦ ପର୍ଯ୍ୟନ୍ତ PF ଉପରେ ସବୁଠାରୁ ଅଧିକ ୧୨ ପ୍ରତିଶତ ସୁଧ ମିଳୁଥିଲା। କିନ୍ତୁ ୨୦୦୧ ପରଠାରୁ ଏଥିରେ କ୍ରମାଗତ ଭାବେ ହ୍ରାସ ଘଟିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ଚାରି ଦଶନ୍ଧିର ସବୁଠାରୁ ସର୍ବନିମ୍ନ ସ୍ତର ୮.୧ ପ୍ରତିଶତକୁ ଖସି ଆସିଥିଲା।
ବର୍ତ୍ତମାନ ପିଏଫ୍ ଗ୍ରାହକଙ୍କ ନଜର ମାର୍ଚ୍ଚ ୨ ତାରିଖର ବୈଠକ ଉପରେ ରହିଛି। ଦରଦାମ ବୃଦ୍ଧି ସମୟରେ ସରକାର ସୁଧ ହାର ବଢ଼ାଇ ଉପହାର ଦେଉଛନ୍ତି ନା ଏହା ପୂର୍ବଭଳି ସ୍ଥିର ରହୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।