Latest Odisha News

BREAKING NEWS

ସୋମବାର ସଂସଦକୁ ଫେରିବେ କି ରାହୁଲ ଗାନ୍ଧୀ ?

ନୂଆଦିଲ୍ଲୀ: ସରି ସରି ଆସୁଛି ସଂସଦର ମୌସୁମୀ ଅଧିବେଶନ । ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୧ରେ ସରିବ । ଚଳିତ ଅଧିବେଶନର ଶେଷ ସପ୍ତାହ ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଏଥିସହ ୱାୟନାଡ଼ ସାଂସଦ ଭାବେ ପଦ ହରାଇଥିବା ରାହୁଲ ଗାନ୍ଧୀ ଆସନ୍ତାକାଲି ସଂସଦକୁ ଫେରିବା ସମ୍ଭାବନା ସୃଷ୍ଟି ହୋଇଛି ।

ମୋଦି ସରନେମ୍ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ରାହୁଲ୍ ସୁପ୍ରିମକୋର୍ଟ ଯାଇଥିବା ବେଳେ ସେଠାରେ ଆଶ୍ୱସ୍ତି ମିଳିଛି । ସର୍ବୋଚ୍ଚ ନ୍ୟାୟାଳୟ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ସହ ରାହୁଲ ସାଂସଦ ପଦ ଫେରି ପାଇବା ନେଇ ଆଶା ଉଜ୍ଜିବୀତ ହୋଇଥିଲା ।

ଆସନ୍ତାକାଲି ସଂସଦର ଚଳିତ ଅଧିବେଶନର ଶେଷ ସପ୍ତାହର ଆରମ୍ଭ ହେବାକୁ ଥିବା ବେଳେ ରାହୁଲ ଗାନ୍ଧୀ ସଂସଦ ଫେରିବା ନେଇ ସମସ୍ତ ପ୍ରକ୍ରିୟା ସରିଛି । କେବଳ ଲୋକସଭା ବାଚସ୍ପତି ହସ୍ତାକ୍ଷର କଲେ ରାହୁଲ ସଂସଦ ଅଧିବେଶନରେ ସାମିଲ୍ ହେବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଯଦି ବାଚସ୍ପତି ଏଥିରେ ବିଳମ୍ବ କରନ୍ତି ତାହେଲେ କଂଗ୍ରେସ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛି ।

ଅନ୍ୟପଟେ ସଂସଦର ମୌସୁମୀ ଅଧିବେଶନରେ ୨ଟି ପ୍ରସଙ୍ଗରେ ହଙ୍ଗାମା ଦେଖିବାକୁ ମିଳିଥିବା ବେଳେ ବିରୋଧୀ ଜୋଶରେ ଅଛନ୍ତି । ରାହୁଲଙ୍କ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍ କଂଗ୍ରେସ ସହ ବିରୋଧୀଙ୍କୁ ଆହୁରି ବଳ ଦେଇଛି । ଏଭଳି ସ୍ଥିତିରେ ରାହୁଲ ସଂସଦ ଫେରିବା ପରେ ବିଜେପି ଓ ମୋଦି ସରକାରଙ୍କୁ କେଉଁଭଳି ଆକ୍ରମଣ କରୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଅନ୍ୟପଟେ ଜୁଲାଇ ୨୬ରେ ବିରୋଧୀ କଂଗ୍ରେସ ପକ୍ଷରୁ ସରକାରଙ୍କ ବିରୋଧରେ ଦିଆଯାଇଥିବା ଅନାସ୍ଥା ଉପରେ ସଦନରେ ଏଯାଏ ଆଲୋଚନା ହୋଇ ନାହିଁ । ଅନାସ୍ଥା ଭୋଟିଂ ପୂର୍ବରୁ ସଂସଦକୁ ଯିବା ଲାଗି ରାହୁଲ ଗାନ୍ଧୀଙ୍କୁ ଅନୁମତି ମିଳୁ ବୋଲି କଂଗ୍ରେସ ସହ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ଚାହୁଁଛନ୍ତି ।

Leave A Reply

Your email address will not be published.