ଭୁବନେଶ୍ୱର: କଂଗ୍ରେସରେ ଗୋଟିଏ ପଟେ ସମ୍ଭାବନା ତ ଆଉ ଗୋଟିଏ ପଟେ ନିରାଶା ବଢି ବଢି ଚାଲିଛି। କର୍ଣ୍ଣାଟକ ନିର୍ବାଚନରେ ଦଳ ପାଇଁ ଅନେକ ସମ୍ଭାବନାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ରାହୁଲଙ୍କ ଭବିଷ୍ୟତକୁ ନେଇ କଂଗ୍ରେସ ବେଶ ଆଶାବାଦୀ।
ସେପଟେ ରାଜସ୍ଥାନରେ ଯୁବ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଯୋଗୁ କଂଗ୍ରେସର ଟେନସନ ବଢି ବଢି ଚାଲିଛି। ବିଜେପିର ବସୁନ୍ଧରା ରାଜେଙ୍କ ସରକାର ସମୟରେ ହୋଇଥିବା ଦୁର୍ନୀତି ବିରୋଧରେ ତଦନ୍ତ ପ୍ରସଙ୍ଗକୁ ନେଇ ପାଇଲଟ ଗେହଲଟଙ୍କ ବିରୋଧରେ ପଦଯାତ୍ରା ଓ ଅନଶନ କରି କଂଗ୍ରେସକୁ ଅଡୁଆରେ ପକାଇଛନ୍ତି।
ଏବେ ରାଜ୍ୟର ଅନ୍ୟ ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଖୋଦ ନିଜ କଂଗ୍ରେସ ସରକାରକୁ ଅଡୁଆରେ ପକାଇଛନ୍ତି ପାଇଲଟ। ଜଣେ ଆଦିବାସୀ ଯୁବକଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବିଜେପି ନେତାଙ୍କ ସହ ଧାରଣାରେ ସାମିଲ ହୋଇଛନ୍ତି ପାଇଲଟ।
ଏହି ଆତ୍ମହତ୍ୟାରେ ରାଜସ୍ଥାନର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ସମ୍ପୃକ୍ତିର ଅଭିଯୋଗ ହେବା ସହ ରାଜ୍ୟରେ ଏହା ଏକ ବଡ଼ ରାଜନୈତିକ ପ୍ରସଙ୍ଗ ପାଲଟିଛି। ଯାହାକୁ ନେଇ ଗେହଲଟ ସରକାରର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଥିବା ବେଳେ ସଚିନ ପାଇଲଟଙ୍କ କାର୍ଯ୍ୟ ଏହି ମୁଣ୍ଡ ବିନ୍ଧାକୁ ଆହୁରି ବଢ଼ାଇ ଦେଇଛି।
ଖୁବ ଶୀଘ୍ର ରାଜସ୍ଥାନରେ ନିର୍ବାଚନ ହେବାକୁ ଯାଉଛି। ଟ୍ରେଣ୍ଡ ଅନୁଯାୟୀ ରାଜସ୍ଥାନରେ ପ୍ରତ୍ୟେକ ବ୍ୟବଧାନରେ ସରକାର ପରିବର୍ତ୍ତନ ହୁଏ। କିନ୍ତୁ ଏଥର କଂଗ୍ରେସ ସେଠାରେ କ୍ଷମତାକୁ ଫେରିବାକୁ ବହୁ ଲୋକପ୍ରିୟ ଯୋଜନା ସବୁ କରିଛି।
କିନ୍ତୁ ଏ ସବୁକୁ ପାଇଲଟ ଫିକା ପକାଇ ଦେଉଥିବା କୁହାଯାଉଛି। ଏପରିକି ପାଇଲଟଙ୍କ ଏଭଳି କାର୍ଯ୍ୟକଳାପ ପାଇଁ ତାଙ୍କୁ କର୍ଣ୍ଣାଟକ ନିର୍ବାଚନରେ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିନି।
ଏପରିକି କେନ୍ଦ୍ରୀୟ ନେତୃତ୍ୱ ଏ ସବୁ କଥାରେ ଗେହଲଟଙ୍କୁ ସମର୍ଥନ କରୁଥିବା ଦେଖାଯାଇଛି। ଏଭଳି ସ୍ଥିତିରେ ପାଇଲଟ କଣ କଂଗ୍ରେସ ଛାଡି ବିଜେପିରେ ମିଶିବେ କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।
ଏପରିକି କଂଗ୍ରେସ ସରକାର ଥିବା ପ୍ରମୁଖ ରାଜ୍ୟଗୁଡିକ ମଧ୍ୟରେ ରାଜସ୍ଥାନ ରହିଛି। ପୂର୍ବରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ଯୋଗୁ ମଧ୍ୟପ୍ରଦେଶ କଂଗ୍ରେସ ହାତରୁ ଖସିଥିଲା। ଏବେ ପାଇଲଟଙ୍କ ଲଗାତର ଏଭଳି କାର୍ଯ୍ୟ ଦଳ ପାଇଁ ମହଙ୍ଗା ପଡିବ ବୋଲି କୁହାଯାଉଛି।
Comments are closed.