ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଯାତ୍ରା କରୁଥିବା ଗାଡ଼ି ମାଲିକ ଏବଂ ଚାଳକଙ୍କ ପାଇଁ ଏକ ବଡ଼ ଖବର। ଓଭରଲୋଡିଂ ସମସ୍ୟାକୁ ରୋକିବା ପାଇଁ କେନ୍ଦ୍ର ସରକାର ଏବେ ଆଣିଛନ୍ତି କଡ଼ା ନିୟମ। ୧୫ ଏପ୍ରିଲରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ଜରିମାନା ବ୍ୟବସ୍ଥା। ଆସନ୍ତୁ ଜାଣିବା କ’ଣ ରହିଛି ଏହି ନୂଆ ଗାଇଡଲାଇନ୍।
ଜାତୀୟ ରାଜପଥଗୁଡ଼ିକର ସୁରକ୍ଷା ଏବଂ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୧୫ ଏପ୍ରିଲ ୨୦୨୬ରୁ ଓଭରଲୋଡ୍ ବାହନଗୁଡ଼ିକ ଉପରେ ଭାରି ଜରିମାନା ଆଦାୟ କରାଯିବ। ଏହି ନିୟମ ଅନୁଯାୟୀ, ଅତିରିକ୍ତ ଓଜନର ଶତକଡ଼ା ଆଧାରରେ ଶୁଳ୍କ ଧାର୍ଯ୍ୟ କରାଯାଇଛି।
କେତେ ଲାଗିବ ଜରିମାନା ?
ଯଦି ଗାଡ଼ିରେ ନିର୍ଦ୍ଧାରିତ ଓଜନଠାରୁ ୧୦% ଅଧିକ ମାଲ୍ ଥାଏ, ତେବେ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ।
ଓଜନ ଧାର୍ଯ୍ୟ ସୀମାଠାରୁ ୧୦ରୁ ୪୦ ପ୍ରତିଶତ ଅଧିକ ହେଲେ, ବେସ୍ ଟୋଲ୍ ରେଟ୍ର ଦୁଇ ଗୁଣା ଜରିମାନା ଦେବାକୁ ହେବ।
ଯଦି ଓଭରଲୋଡିଂ ୪୦ ପ୍ରତିଶତରୁ ଅଧିକ ହୁଏ, ତେବେ ବେସ୍ ଟୋଲ୍ ରେଟ୍ର ୪ ଗୁଣା ଜରିମାନା ଆଦାୟ କରାଯିବ।
ଟେକ୍ନୋଲୋଜି ଦ୍ଵାରା ରହିବ ନଜର:
ଟୋଲ୍ ପ୍ଲାଜାଗୁଡ଼ିକରେ ଲାଗିଥିବା Weigh-in-Motion ସିଷ୍ଟମ ଜରିଆରେ ଗାଡ଼ି ଚାଲୁଥିବା ସମୟରେ ହିଁ ଏହାର ଓଜନ ମପାଯିବ। ଯେଉଁ ଟୋଲ୍ ପ୍ଲାଜାରେ ଏହି ସୁବିଧା ନାହିଁ, ସେଠାରେ ଓଭରଲୋଡ୍ ଶୁଳ୍କ ନିଆଯିବ ନାହିଁ। ଏହି ସମସ୍ତ ପେମେଣ୍ଟ କେବଳ FASTag ମାଧ୍ୟମରେ କରାଯିବ ଏବଂ ନିୟମ ଭାଙ୍ଗୁଥିବା ଗାଡ଼ିର ସୂଚନା ସିଧାସଳଖ ‘ବାହନ’ ପୋର୍ଟାଲରେ ଅପଲୋଡ୍ କରାଯିବ।
ସଡ଼କର ମାନ ବଜାୟ ରଖିବା ସହ ଜନସାଧାରଣଙ୍କ ସୁରକ୍ଷା ପାଇଁ ସରକାରଙ୍କ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଗାଡ଼ିରେ ଓଜନ ଲଦିବା ପୂର୍ବରୁ ଏହି ନୂଆ ନିୟମ ପ୍ରତି ସତର୍କ ରୁହନ୍ତୁ।