Latest Odisha News

BREAKING NEWS

ବିଧାନସଭା ଶୀତକାଳୀନ ଅଧିବେଶନ ଆଜିଠୁଁ ଆରମ୍ଭ, ଶାସକ-ବିରୋଧୀ ମୁହାଁମୁହିଁ ହେବାକୁ ପ୍ରସ୍ତୁତ

ଭୁବନେଶ୍ୱର: ଆଜିଠୁଁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଆସନ୍ତା ଡ଼ିସେମ୍ବର ୧୫ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଶୀତ କାଳୀନ ଅଧିବେଶନରେ ଶାସକ ବିଜେଡ଼ି ଏବଂ ବିପକ୍ଷ ଦଳ କଂଗ୍ରେସ ଓ ବିଜେପି ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହେବାର ସମ୍ଭାବନା ରହିଛି ।

ବିରୋଧୀ ଦଳଙ୍କୁ ସମ୍ମୁଖୀନ ହେବାକୁ ଶାସକ ବିଜେଡ଼ି ରଣନୀତି ପ୍ରସ୍ତୁତ କରିଛି ।

ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ସନ୍ଧ୍ୟାରେ ଏହି ଅଧିବେଶନକୁ ଦୃଷ୍ଟିରେ ରଖି ଏକ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବିଜୁ ଜନତା ଦଳ ବିଧାୟକମାନଙ୍କ ଏହି ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନାଦେଇ ଦଳୀୟ ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ତାଙ୍କ ଦଳ ଏହି ଅଧିବେଶସନରେ ରାଜ୍ୟ ପ୍ରତି କେନ୍ଦ୍ରର ଉଦାସୀନତା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ତଥା ତୈଳଦର ବୃଦ୍ଧି ପ୍ରସଙ୍ଗ ଗୁଡ଼ିକୁ ଉପସ୍ଥାପନ କରିବ ।

“ଏହି ଅଧିବେଶନରେ ବିରୋଧୀ ଦଳ ଉଠାଇବାକୁ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ରହିଛୁ,”ବୋଲି କହିଛନ୍ତି ନବୀନ ।

ସେହିପରି କଂଗ୍ରେସ ବିଧାୟକ ଦଳ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସ ଦଳର ମୁଖପାତ୍ର ଅଂଶୁମାନ ମହାନ୍ତି କହିଛନ୍ତି, ଦଳ ଏହି ଅଧିବେଶନରେ କୃଷକମାନଙ୍କ ଦାବି ପ୍ରସଙ୍ଗ ଉଠାଇବା ସହିତ ବେରୋଜଗାରୀ, ଆମ ଗାଁ ଆମ ବିକାଶ ଯୋଜନା ତଥା ବିଜୁ ଯୁବ ବାହିନୀ ପ୍ରସଙ୍ଗ ଗୁଡ଼ିକୁ ଗୁରୁତ୍ୱ ଦେବ । ଏହାଛଡ଼ା, ତିତଲି ବାତ୍ୟା ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଅପାରଗତା ପରି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଦଳ ଉଠାଇବ ।

ତେବେ ଭାରତୀୟ ଜନତା ପାର୍ଟି ଅଧିବେଶନର ଅବ୍ୟବହିତ ପୂର୍ବରୁ ହିଁ ବିଧାୟକ ଦଳ ବୈଠକରେ ଏହି ଅଧିବେଶନ ଲାଗି ପ୍ରସ୍ତୁତି ଆଲୋଚନା କରିବ ବୋଲି ପାର୍ଟି ସୂତ୍ରରୁ ସୂଚନା ମିଳିଛି ।

ଓଡ଼ିଶା ବିଧାନସଭାର ଏହି ଶୀତକାଳୀନ ଅଧିବେଶନ ନଭେମ୍ବର ୧୬ରୁ ଡ଼ିସେମ୍ବର ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ସହ ଏଥିରେ ୨୩ଟି କାର୍ଯ୍ୟଦିବସ ରହିବ । ସମସ୍ତ ରବିବାର ସହିତ ଆଉ ଅଧିକ ୨ଟି ଛୁଟି ଦିନ ଏଥିରେ ଅନ୍ତଭୃକ୍ତ ହୋଇଛି । ନଭେମ୍ବର ୨୧ ତାରିଖ (ମହମ୍ମଦଙ୍କ ଜନ୍ମଦିନ) ଏବଂ ନଭେମ୍ବର ୨୩ (ରାସ ପୂର୍ଣ୍ଣିମା) ପରି ଦୁଇଟି ଛୁଟି ଦିନ ଏହି ଅଧିବେଶନ ମଧ୍ୟରେ ପଡୁଛି ।

ରାଜ୍ୟ ସରକାର ବିଧାନସଭାର ଏହି ଅଧିବେଶନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରିବାର ସମ୍ଭାବନା ରହିଛି, ଅବଶ୍ୟ ପୂର୍ବରୁ ଏହି ବିଲ ଗୁଡ଼ିକ ରାଜ୍ୟ କାବିନେଟ୍ ବୈଠକରେ ମଞ୍ଜୁର ହୋଇସାରିଛି ।

ଓଡ଼ିଶା ବିଧାନସଭାର ଏହି ଶୀତକାଳୀନ ଅଧିବେଶନ ପରିପ୍ରେକ୍ଷୀରେ ନିରାପତ୍ତା ନେଇ ପୋଲିସ ମହାନିର୍ଦ୍ଦେଶକ (ଡ଼ିଜିପି) ଡ଼ା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ଏଥିଲାଗି ନିଆଯିବାକୁ ଥିବା ସୁରକ୍ଷା ତଥା ନିରାପତ୍ତା ନେଇ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା ।

ଗଣମାଧ୍ୟମକୁ ସୂଚନାଦେଇ ଡ଼ିଜିପି ଡ଼ା. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ବିଧାନସଭା ଚାରିପଟେ ୩୦ ପ୍ଲାଟୁନ୍ ପୋଲିସ ମୁତୟନ ହେବାର ବ୍ୟବସ୍ଥା ହୋଇଛି । ଏହି ନିରାପତ୍ତା ବ୍ୟବସ୍ଥାକୁ ତଦାରଖ କରିବାକୁ ପ୍ରାୟ ୧୦୦ ଜଣ ଦକ୍ଷ ପୋଲିସ ଅଧିକାରୀ ନ୍ୟସ୍ତ ହୋଇଛନ୍ତି । ଏହାଛଡ଼ା ଏହି ଅଧିବେଶନ ଚାଲିଥିବା ବେଳେ କ୍ୱିକ୍ ଆକ୍ସନ ଫୋର୍ସ (କ୍ୟୁଏଟି) ଏବଂ ଆତଙ୍କବାଦୀ ନିରୋଧ ସ୍କ୍ୱାଡ୍ ମଧ୍ୟ ମୁତୟନ ହେବାର ସମସ୍ତ ବ୍ୟବସ୍ଥା ହୋଇଛି ।

Leave A Reply

Your email address will not be published.