ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତାକାଲି (ନଭେମ୍ବର ୧୮) ରୁ ଆରମ୍ଭ ହେବାକୁ ଯାଉଛି। ଅଧିବେଶନ ସୁରୁଖୁରୁରେ ଚଳାଇବାକୁ ବାଚସ୍ପତି ସବୁ ଦଳର ସହଯୋଗ ଲୋଡିବେ । ବିଧାନସଭାରେ ୧୧ଟାରେ ବସିବ ବୈଠକ। ସନ୍ଧ୍ୟା ୬ଟାରେ ବିଧାନସଭା ୫୪ ନଂ ହଲରେ ଶାସକ ବିଜେପି ବିଧାୟକ ଦଳ ବୈଠକ ବସିବ। ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୧୮ ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ।
ମୋଟ ୪୪ ଦିନର ଅଧିବେଶନରେ ୩୩ଟି କାର୍ଯ୍ୟଦିବସ ରହିଛି। ନଭେମ୍ବର ୧୮ରେ ପ୍ରଥମ ଦିନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବ୍ୟୟବରାଦ ଚିଠା ଆଗତ କରାଯିବ। ନଭେମ୍ବର ୨୫ରୁ ୨୭ ମଧ୍ୟରେ ଅତିରିକ୍ତ ବ୍ୟୟବରାଦର ଖର୍ଚ୍ଚ ଦାବି ଉପରେ ଆଲୋଚନା ଓ ବିତର୍କ ହେବ। ନଭେମ୍ବର ୩୦ରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟବରାଦ ସମ୍ପର୍କିତ ବିନିଯୋଗ ବିଲ୍ ଗୃହରେ ଉପସ୍ଥାପିତ ହେବ ।
ଅନ୍ୟପଟେ ଆଜି ବିରୋଧୀ-ଶାସକ ରଣନୀତି ମଧ୍ୟ ପ୍ରସ୍ତୁତ କରିବେ। ଶଙ୍ଖ ଭବନରେ ସନ୍ଧ୍ୟା ୫ଟାରେ ବିଜେଡି ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରିବେ। ଶୀତ ଅଧିବେଶନ ବେଶ ସରଗରମ ରହିପାରେ। ବନ୍ୟା ମୁକାବିଲାରେ ରାଜ୍ୟ ସରକାରଙ୍କ ବିଫଳତା, କୋଟିଆ, ମହାନଦୀ ଏବଂ ଆଇନଶୃଙ୍ଖଳା ଭଳି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ ।
