Latest Odisha News

ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ବଢିବ ଶୀତ

ଭୁବନେଶ୍ବର: ଚାଲି ଯାଇଛି ବାତ୍ୟା ‘ଦାନା’ । ହେଲେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ରପତ୍ତନଠାରୁ ୫.୮ କିମି ଊର୍ଦ୍ଧ୍ୱରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହି କ୍ରମଶଃ ଦକ୍ଷିଣ-ପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଯାହାର ପ୍ରଭାବରେ ରାଜ୍ୟର ତାପମାତ୍ରାରେ ହ୍ରାସ ହେଉନାହିଁ । ଫଳରେ ରାଜ୍ୟରେ ଶୀତ ଉଭାନ ଥିବାବେଳେ ଏବେବି ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି ।

ତେବେ କେବଳ କୋରାପୁଟ, ଫୁଲବାଣୀ ଓ ଦାରିଙ୍ଗବାଡିରେ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ୍‌ରୁ କମ୍‌ ରହୁଥିବାବେଳେ ରାଜ୍ୟରେ ଅନ୍ୟ ସମସ୍ତ ସ୍ଥାନରେ ଉଚ୍ଚ ତାପମାତ୍ରା ଅନୁଭୂତ ହେଉଛି । ତେବେ ନଭେମ୍ବର ୨ ରୁ ୩ ତାରିଖ ପରେ ରାଜ୍ୟରେ ଶୀତ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ବିଭାଗର ଖବର ମୁତାବକ, ସୋମବାର ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୦ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ୧୮.୫ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି ।

ଅନ୍ୟପଟେ, ଆଜି ରାଜ୍ୟର କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣ ବର୍ଷା ହେବାନେଇ ପୂର୍ବାନୁମାନ କରି ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Comments are closed.