Latest Odisha News

ଭାରତରେ ଆଇନ ଅନ୍ଧ ନୁହେଁ; ନ୍ୟାୟ ଦେବୀଙ୍କ ଆଖିରୁ ହଟିଲା କଳାପଟି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନ୍ୟାୟ ଦେବୀଙ୍କ ଏକ ନୂତନ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହି ପ୍ରତିମୂର୍ତ୍ତିରେ କିଛି ପରିବର୍ତ୍ତନ କରାଯାଇଥିବା ଦେଖିବାକୁ ମିଳିଛି। ନ୍ୟାୟର ଦେବୀଙ୍କ ଆଖିରୁ କଳାପଟି ହଟାଇ ଦିଆଯାଇଥିବା ବେଳେ ତାଙ୍କ ହାତରେ ଖଣ୍ଡା ବଦଳରେ ସମ୍ବିଧାନର ପୁସ୍ତକ ରହିଥିବା ଦେଖାଯାଇଛି।

ଭାରତର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏହି ପରିବର୍ତ୍ତନ କରାଇଛନ୍ତି। ଏହାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି, ଜନତା ଜାଣିବା ଆବଶ୍ଯକ ଯେ ଭାରତରେ ଆଇନ ଅନ୍ଧ ନୁହେଁ। ସୁପ୍ରିମକୋର୍ଟର ବିଚାରପତିଙ୍କ ଲାଇବ୍ରେରୀରେ ଏହି ନୂତନ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ପ୍ରଧାନ ବିଚାରପତି ନିଜେ ଏହି ପ୍ରତିମୂର୍ତ୍ତି ତିଆରି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହାର ପ୍ରଥମ ଝଲକ ପଦାକୁ ଆସିଛି। କୋର୍ଟ ସବୁବେଳେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ନ୍ୟାୟ ପ୍ରଦାନ କରିଥାନ୍ତି। ପ୍ରଧାନ ବିଚାରପତିଙ୍କ ବିଚାରରେ ଖଣ୍ଡା ହେଉଛି ହିଂସାର ପ୍ରତୀକ। କିନ୍ତୁ ଅଦାଲତଙ୍କ କାର୍ଯ୍ୟ ହିଂସାତ୍ମକ ନୁହେଁ।

ତେବେ ପୂର୍ବରୁ ନ୍ୟାୟ ଦେବୀଙ୍କ ବାମ ହାତରେ ନ୍ୟାୟ ତରାଜୁ ରହିଥିଲା। ସେହିପରି ଡାହାଣ ହାତରେ ଖଣ୍ଡା ଧରିଥିଲା ବେଳେ ତାଙ୍କ ଆଖିରେ କଳା ପଟି ବନ୍ଧା ଯାଇଥିଲା । ହେଲେ ଏହାକୁ ବଦଳା ଯାଇଛି। ନୂଆ ପ୍ରତିମୂର୍ତ୍ତିରେ ନ୍ୟାୟ ଦେବୀ ବାମ ହାତରେ ସମ୍ବିଧାନ ଧରିଛନ୍ତି। ଡାହାଣ ହାତରେ ନ୍ୟାୟର ତରାଜୁ ରହିଛି।

Leave A Reply

Your email address will not be published.