Latest Odisha News

BREAKING NEWS

ରାଜଧାନୀରୁ ପିଲା ଚୋରି, ମୟୂରଭଞ୍ଜରୁ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଧରା ପଡ଼ିଲା ପିଲା ଚୋରଣୀ । ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରୁ ମୟୂରଭଞ୍ଜ ରାଇରଙ୍ଗପୁରର ୫୦ ବର୍ଷୀୟ ମହିଳା ୩ ବର୍ଷର ପୁଅକୁ ଚୋରାଇ ନେଇ ଯାଇଥିଲେ । ଏହି ମାମଲାର ତଦନ୍ତ କରି ପିଲାକୁ ଉଦ୍ଧାର କରିବା ସହ ମହିଳା ପଦ୍ମାବତୀ ନାଗଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ସୂଚନା ଅନୁସାରେ, ଛୁଆଟିର ମାଆ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ପିଲାଟି ନୟାପଲ୍ଲୀରେ ତାଙ୍କ ମାଉସୀଙ୍କ ପାଖରେ ରହୁଥିଲା ।  ଗତ ସୋମବାର କେହି ଛୁଆଟିକୁ ନେଇ ଯାଇଥିବା ନେଇ ସମ୍ପର୍କୀୟ ମାଉସୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଯାଞ୍ଚ ବେଳେ ଜଣାପଡ଼ିଥିଲା ରାଇରଙ୍ଗପୁରର ମହିଳା ଅନେକ ସମୟରେ ସାଲିଆସାହି ଆସନ୍ତି ।

ଆଉ ଛୁଆଟି ତାର ସମ୍ପର୍କୀୟ ମାଉସୀ ପାଖରେ ଥିବା ବେଳେ ରାତି ଅଧରେ ଚୋରି କରି ନେଇ ଯାଇଥିଲେ ମହିଳା ଜଣଙ୍କ । ପୋଲିସ ରାଇରଙ୍ଗପୁର ବହଲଦାରୁ ଛୁଆକୁ ଉଦ୍ଧାର କରିବା ସହ ମହିଳାଙ୍କୁ ଗିରଫ କରିଛି । ତେବେ ଗିରଫ ପଦ୍ମାବତୀଙ୍କ ପିଲାପିଲି ଥିବା ସତ୍ତ୍ୱେ ସେ କାହିଁକି ଛୁଆ ଚୋରି କରିଥିଲେ ଜଣା ପଡ଼ିନାହିଁ ।

ପୂର୍ବରୁ ମଧ୍ୟ ଖଣ୍ଡଗିରି ଥାନା ଅଞ୍ଚଳରେ ଚିକେନ୍ ଓ ଆଇସିକ୍ରିମ ଦେଇ ଏକ ୬ ବର୍ଷର ଛୁଆକୁ ଚୋରି କରି ନେଇଥିଲେ ନୟାଗଡ଼ର କିଛି ଦୁର୍ବୃତ୍ତ । ସେହିପରି ଇନଫୋସିଟି ଥାନା ଅଞ୍ଚଳରେ ଶିଖରଚଣ୍ଡି ବସ୍ତିରେ ମଧ୍ୟ ଏକ ପିଲାକୁ ଚୋରି କରି ନେବା ଜଣାପଡ଼ିବା ପରେ ପୋଲିସ ପିଲାଟିକୁ ଠାବ କରିଥିଲା ।

Leave A Reply

Your email address will not be published.