ଭୁବନେଶ୍ୱର: ରବିବାର ହିନ୍ଦୁ ଧର୍ମର ସଧବା ପତ୍ନୀ ମାନେ ସ୍ୱାମୀର ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥିଲେ । କିନ୍ତୁ ଏହି ପୂଜାର ଦିନକ ପରେ ସ୍ତ୍ରୀ ଦେଖାଇଛି ଅସଲ ରୂପ । ଯମ ପାଖରୁ ସ୍ୱାମୀର ଜୀବନ ଫେରାଇ ଆଣିବା ପରିବର୍ତ୍ତେ ନିଜେ ହତ୍ୟା କରି ଯମ ପାଖକୁ ପଠାଇ ଦେଇଛି ଏହି ନରହନ୍ତା ମହିଳା । ଗଞ୍ଜାମ ଜିଲ୍ଲା ବେଗୁନିଆପଦା ଥାନା ଅଧୀନ ଗୋପାଳପୁର ଗାଁରେ ମଙ୍ଗଳବାର ରାତିରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ।
୪୦ ବର୍ଷୀୟ ନାରାୟଣ ଭୂୟାଁଙ୍କୁ ତାଙ୍କ ୩୫ ବର୍ଷୀୟ ସ୍ତ୍ରୀ ନିଷ୍ଠୁର ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ବୁଧବାର ସକାଳେ ନାରାୟଣଙ୍କ ମୃତଦେହ ଘରୁ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଛି । ପୁରୁଷୋତ୍ତମପୁର ଉପ-ଖଣ୍ଡ ପୋଲିସ ଅଧିକାରୀ (ଏସଡିପିଓ) ଦୀପକ କୁମାର ମିଶ୍ର କହିଛନ୍ତି, ଦୁଇ ସନ୍ତାନର ମାଆ ଥିବା ଏହି ମହିଳାଙ୍କୁ ହେପାଜତରେ ନିଆଯାଇଛି । ହତ୍ୟାରେ ବ୍ୟବହୃତ ଏକ କୁରାଢି ଓ ଇଟା ଖଣ୍ଡ ଜବତ କରାଯାଇଛି ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦମ୍ପତିଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ପରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଠେଲି ଦେଇଥିଲେ । ନାରାୟଣ ଘର ପଛପଟେ ପଡ଼ିଯିବା ପରେ, ସେ ତାଙ୍କ ମୁଣ୍ଡରେ ପଥର ଆଘାତ ଲାଗିଥିଲା । ପରେ ତାଙ୍କୁ ଘର ଭିତରକୁ ଟାଣି ଆଣି କୁରାଢିରେ ଆକ୍ରମଣ କରିଥିଲେ ଏବଂ ଇଟାରେ ଛେଚିଦେଇଥିଲେ ।
ହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ପୋଲିସର ଅନୁମାନ, ନାରାୟଣ ତାଙ୍କ ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିବାରୁ ଏହି ଘଟଣା ଘଟିଥାଇପାରେ । ଏହା ମଧ୍ୟ ସନ୍ଦେହ କରାଯାଉଛି ଯେ, ଏହି ହତ୍ୟାରେ ଅନ୍ୟ କେହି ସମ୍ପୃକ୍ତ ଥାଇପାରନ୍ତି । ଏସଡିପିଓ ମିଶ୍ର କହିଛନ୍ତି, “ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ମହିଳାଙ୍କୁ ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇଛି. ହତ୍ୟାର ମୂଳ କାରଣ ଓ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ତାହା ତଦନ୍ତ ଜାରି ରହିଛି ।”
ନାରାୟଣଙ୍କ ମାଆ ନିଶା ଭୂୟାଁଙ୍କ ଏଫଆଇଆର ଆଧାରରେ ବେଗୁନିଆପଦା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ଏହି ଦମ୍ପତିଙ୍କର ଦୁଇ ସନ୍ତାନ । ଜଣେ ୧୫ ବର୍ଷୀୟ ଝିଅ ଓ ୧୨ ବର୍ଷୀୟ ପୁଅ । ଦୀର୍ଘ ଦିନର ଦାମ୍ପତ୍ୟ କଳହ ଯୋଗୁଁ ସେମାନେ ଅଲଗା ରହୁଥିଲେ । ପୁଅ ତାଙ୍କ ବାପାଙ୍କ ସହ ଏବଂ ଝିଅ ମାଆଙ୍କ ସହ ରହୁଥିଲେ । ମହିଳା ଦିନ ମଜୁରିଆ ଭାବେ କାମ କରୁଥିଲେ । ଆଉ ନାରାୟଣ ସୁରଟରେ କାମ କରୁଥିଲେ ଓ ନିକଟରେ ଗାଁକୁ ଫେରିଥିଲେ ।
Comments are closed.