ନୁଆଦିଲ୍ଲୀ: ଛାଡ଼ପତ୍ର ବିନା ଅଲଗା ରହୁଥିବା ଗର୍ଭବତୀ ମହିଳାଙ୍କ ପାଇଁ ଆସିଲା ବଡ଼ ରାୟ। ନିକଟରେ ପଞ୍ଜାବ-ହରିୟାଣା ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ଦେଇ ସ୍ୱାମୀଙ୍କଠାରୁ ଅଲଗା ରହୁଥିବା ମହିଳାମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି।ଛାଡ଼ପତ୍ର ବିନା ସ୍ୱାମୀଙ୍କଠାରୁ ଅଲଗା ରହୁଥିବା ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିନା ଅନୁମତିରେ ମଧ୍ୟ ଗର୍ଭପାତ କରାଇପାରିବେ। ଏକ ଆବେଦନର ଶୁଣାଣି କରି ଜଷ୍ଟିସ୍ କୁଲଦୀପ ତିୱାରୀ ଏହି ନିର୍ଦ୍ଦେଶ ଦେଇଛନ୍ତି।
୧୮ ସପ୍ତାହର ଗର୍ଭବତୀ ଥିବା ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିନା ଅନୁମତିରେ ଗର୍ଭପାତ କରିବାକୁ ମୋହାଲୀର ଫୋର୍ଟିସ୍ ହସ୍ପିଟାଲକୁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ରାୟ ଶୁଣାଇଛନ୍ତି। ଆବେଦନକାରୀ କହିଥିଲେ ଯେ, ଗର୍ଭପାତ ପାଇଁ ନିର୍ଦ୍ଧାରିତ ସମୟରୁ ଅଧିକ ହୋଇ ନଥିବାରୁ ଡାକ୍ତରୀ ଚିକିତ୍ସା ଅନୁସାରେ ତାଙ୍କ ଗର୍ଭପାତ କରାଯାଇପାରେ।
ଆବେଦନକାରୀଙ୍କ ଓକିଲ ଯୁକ୍ତି ବାଢିଥିଲେ ଯେ, ମହିଳାଜଣକ କମ୍ ଯୌତୁକ ଆଣିଥିବାରୁ ଶାଶୁଘର ଲୋକଙ୍କ ଦ୍ୱାରା ନିର୍ଯାତିତ ହୋଇଛନ୍ତି ଏବଂ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଏହି ନିର୍ଯାତନା କାରଣରୁ ମହିଳାଜଣକ ଅଲଗା ରହିବା ଆରମ୍ଭ କରିଥିଲେ ଏବଂ ଅନୁଭବ କରିଥିଲେ ଯେ, ଅବାଞ୍ଛିତ ଗର୍ଭ ତାଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ଗଭୀର କ୍ଷତି ପହଞ୍ଚାଇବ।
ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କ ସହିତ ଖରାପ ବ୍ୟବହାର କରୁଥିଲେ। ତାଙ୍କ ସ୍ୱାମୀ ସେମାନଙ୍କର ବ୍ୟକ୍ତିଗତ ମୁହୂର୍ତ୍ତର ଭିଡିଓ ରେକର୍ଡ କରୁଥିଲେ ଏବଂ ଏହାକୁ କ୍ୟାମେରାରେ ରଖୁଥିଲେ। ଏତେ ନିର୍ଯାତନା ପରେ ମଧ୍ୟ, ମହିଳା ଜଣକ ବୋହୂ ଏବଂ ସ୍ତ୍ରୀ ହେବାର ଦାୟିତ୍ୱ ତୁଲାଇଥିଲେ। ବିବାହର ମାତ୍ର ଦେଢ଼ ମାସ ପରେ, ମହିଳା ଜଣକ ତାଙ୍କ ଗର୍ଭଧାରଣ ବିଷୟରେ ଜାଣିପାରି ତାଙ୍କ ସ୍ୱାମୀଙ୍କୁ କହିଥିଲେ। ସେ ତାଙ୍କ ସ୍ୱାମୀଙ୍କୁ ଏହା ମଧ୍ୟ କହିଥିଲେ ଯେ ସେ ଏବେ ପିଲା ପାଳନ କରିବା ସ୍ଥିତିରେ ନାହାଁନ୍ତି। ତଥାପି ତାଙ୍କ ଶ୍ୱଶୁର ଘର ଲୋକଙ୍କ ଦ୍ୱାରା ମହିଳାଙ୍କ ଉପରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଜାରି ରହିଥିଲା।
ଏହି ମାମଲାରେ ଅଦାଲତ କହିଛନ୍ତି ଯେ, ଆବେଦନକାରୀ ଘରୋଇ ହିଂସା କାରଣରୁ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଛନ୍ତି, କିନ୍ତୁ ଆଇନଗତ ଭାବରେ ଛାଡପତ୍ର ହୋଇନାହିଁ। ତଥାପି ବୈବାହିକ ସ୍ଥିତିରେ ପରିବର୍ତ୍ତନ ଆଧାରରେ ତାଙ୍କ ସ୍ୱାମୀଙ୍କ ସହମତି ବିନା ସେ ଗର୍ଭପାତ କରିବାକୁ ଯୋଗ୍ୟ। ହାଇକୋର୍ଟ କହିଛନ୍ତି ଯେ, ଅବାଞ୍ଛିତ ଗର୍ଭଧାରଣ ପାଇଁ ବାଧ୍ୟ ହେବାଦ୍ଵାରା ଜଣେ ମହିଳା ଶାରୀରିକ ତଥା ଭାବଗତ ଆହ୍ବାନର ସମ୍ମୁଖୀନ ହୋଇପାରନ୍ତି। ଶିଶୁ ଜନ୍ମ ପରେ ମଧ୍ୟ ଏପରି ଗର୍ଭାବସ୍ଥାର ପରିଣାମ ସହିତ ମୁକାବିଲା କରିବା ଆବେଦନକାରୀଙ୍କ ଉପରେ ଅତିରିକ୍ତ ବୋଝ ଲଦିଥାଏ। ଏହାଦ୍ଵାରା ଜୀବନର ଅନ୍ୟାନ୍ୟ ସୁଯୋଗ ଯେପରିକି ରୋଜଗାର ଏବଂ ନିଜ ପରିବାରର ଆୟରେ ଯୋଗଦାନ କରିବାର କ୍ଷମତା ଆଦି ପ୍ରଭାବିତ ହୋଇଥାଏ।
ଏସବୁ କଥାକୁ ଦୃଷ୍ଟିରେ ରଖି କୋର୍ଟ ଏହି ଆବେଦନକୁ ଗ୍ରହଣ କରିଛନ୍ତି ଏବଂ ଆଦେଶର ତିନି ଦିନ ମଧ୍ୟରେ ସମ୍ପୃକ୍ତ ମୁଖ୍ୟ ଚିକତ୍ସା ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦିଓ ଆବେଦନକାରୀ ବିଧବା କିମ୍ବା ଛାଡପତ୍ର ବର୍ଗରେ ନାହାଁନ୍ତି, ତଥାପି ସେ ଆଇନଗତ ଛାଡପତ୍ର ନନେଇ ସ୍ୱାମୀଙ୍କଠାରୁ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିବାରୁ ସେ ଗର୍ଭପାତ କରିବାକୁ ଯୋଗ୍ୟ ବୋଲି ଅଦାଲତ କହିଛନ୍ତି।