Latest Odisha News

BREAKING NEWS

‘ଭାରତ ଯୋଡୋ ଯାତ୍ରା’ରେ ସୋନିଆ ଗାନ୍ଧୀ

ବେଙ୍ଗାଲୁର: ସଭାପତି ନିର୍ବାଚନ ପାଇଁ କଂଗ୍ରେସ ରାଜନୀତି ସରଗରମ ଥିବାବେଳେ ସଭାପତି ସୋନିଆ ଗାନ୍ଧୀ କର୍ଣ୍ଣାଟକ ଗସ୍ତରେ ଅଛନ୍ତି । ଆଜି ସୋନିଆ ଗାନ୍ଧୀ କର୍ଣ୍ଣାଟକର ମାଣ୍ଡ୍ୟାଠାରେ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇ ସେ ପଦଯାତ୍ରୀଙ୍କ ସହ ମିଶିଥିବା ବେଳେ ନିଜେ ସୁସ୍ଥ ଥିବା ମଧ୍ୟ ଜଣାଇଛନ୍ତି । ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ବାରମ୍ବାର ଆଲୋଚନା ହେଉଥିବା ବେଳେ ସେ ଆଜି ପଦଯାତ୍ରାରେ କିଛି ବାଟ ଚାଲିଥିବା ଦେଖାଯାଇଥିଲା ।

ରାହୁଲ ଗାନ୍ଧୀଙ୍କ ସହ ସେ ଚାଲି ଚାଲି ଯାଉଥିବା ବେଳେ କିଛି କଂଗ୍ରେସ କର୍ମୀଙ୍କ ସହ ଦୁଇ ଘଣ୍ଟା ଧରି କଥା ହୋଇଥିଲେ । ପ୍ରଥମେ 15 ମିନିଟ ଚାଲିଥିଲେ ସୋନିଆ ଗାନ୍ଧୀ ।  ପରେ ସେ କାରରେ କିଛି ସମୟ ବିଶ୍ରାମ ନେଇଥିଲେ । ପୂର୍ବରୁ କର୍ଣ୍ଣାଟକ କଂଗ୍ରେସର ଗଡ଼ ରହିଥିବାରୁ ଏଠାରେ ସୋନିଆ ଗାନ୍ଧୀ ମଧ୍ୟ ନିର୍ବାଚନ ଲଢ଼ିଛନ୍ତି । 1999 ମସିହାରେ ଯେବେ ସେ ଆମେଥିରୁ ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ସେତେବେଳେ ତାଙ୍କର ହାରିବା ଭୟ ରହିଥିଲା । ତେଣୁ ସେ କର୍ଣ୍ଣାଟକର ବେଲାରୀ ଆସନରୁ ମଧ୍ୟ ନିର୍ବାଚନ ଲଢ଼ିଥିଲେ ।

2019ରେ ଯେତେବେଳେ ରାହୁଲ ଗାନ୍ଧୀଙ୍କର ଆମେଥିରୁ ହାରିବା ଭୟ ଥିଲା ସେ କେରଳର ଓ୍ବାଇନାଡ ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ । ତେଣୁ ଦକ୍ଷିଣରେ କଂଗ୍ରେସର ମୂଳ ଭୋଟ ରହିଛି ଯାହା ଗାନ୍ଧୀ ପରିବାର ପାଇଁ ବିପଦ ସମୟରେ ସହାୟକ ହୋଇଥାଏ । ଏପରିକି ଜରୁରୀକାଳୀନ ପରିସ୍ଥିତି ବେଳ ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କ ସରକାର ଚାଲିଯାଇଥିଲା, ଏହା ପରେ 1980 ମସିହାରେ  ଲୋକସଭା ନିର୍ବାଚନରେ ଇନ୍ଦିରା ଗାନ୍ଧୀ ମଧ୍ୟ କର୍ଣ୍ଣାଟକର ଚିକ୍ମଙ୍ଗଲୁର ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।

ସୋନିଆଙ୍କ ପଦଯାତ୍ରାକୁ ନେଇ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଶିବକୁମାର କହିଛନ୍ତି ସୋନିଆ ଗାନ୍ଧୀ କର୍ଣ୍ଣାଟକ ରାସ୍ତାରେ ଚାଲୁଛନ୍ତି ତେଣୁ ଆମେ ଗର୍ବିତ । ସୋନିଆ ଗାନ୍ଧୀଙ୍କ ନେତୃତ୍ବ କଂଗ୍ରେସକୁ ଆଗକୁ ବଢ଼ାଇଛି ।  ଆମେ ରାଜ୍ୟରେ କ୍ଷମତାକୁ ଆସୁଛୁ ବୋଲି କହିଥିଲେ ଶିବ କୁମାର । 21 ଦିନ ପାଇଁ କର୍ଣ୍ଣାଟକରେ ଯାତ୍ରା ଚାଲିବ । ସୋନିଆ ଗାନ୍ଧୀଙ୍କ ସହ  ରାହୁଲ ଗାନ୍ଧୀ ଏବଂ ରାଜ୍ୟର ସମସ୍ତ କଂଗ୍ରେସ ନେତା ଏବଂ କର୍ମୀମାନେ ପଦଯାତ୍ରାରେ ସାମିଲ ହୋଇଥିଲେ  ।   ତେବେ ଏହି ଯାତ୍ରା ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କି ପ୍ରଭାବ ପକାଇବ ତାହା ସମୟ କହିବ ।

Leave A Reply

Your email address will not be published.