Latest Odisha News

BREAKING NEWS

ଉତ୍କଟ ହେଲାଣି ଜଳ ସମସ୍ୟା: ଗରା, ବାଲଟି ଧରି ରାସ୍ତାରେ ମହିଳା

ନବରଙ୍ଗପୁର: ଜଳ ଯନ୍ତ୍ରଣା ପ୍ରତିବାଦରେ ରାସ୍ତାରୋକ । ପ୍ରଚଣ୍ଡ ରୌଦ୍ର ତାପ ସହ ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରୁଥିବାରୁ ପାଣି ସମସ୍ୟାର ସମାଧାନ ଦାବିରେ ରାସ୍ତାରୋକ କରିଛନ୍ତି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ବିକ୍ରମପୁର ପଞ୍ଚାୟତ ଅନ୍ତର୍ଗତ ଦେଉଳା ଗ୍ରାମର ହରିଜନ ସାହିର ଲୋକେ । ଫଳରେ ଉକ୍ତ ରାସ୍ତା ଦେଇ ନବରଙ୍ଗପୁର ଠାରୁ କୋଷଗୁମୁଡ଼ା ବ୍ଲକ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।

ଗ୍ରାମର ହରିଜନ ସାହିରେ ପ୍ରାୟ ତିରିଶି ଗୋଟି ପରିବାର ଥିବା ବେଳେ ସହିବାସିନ୍ଦାଙ୍କ ପାଇଁ ଏକ ମାତ୍ର ନଳକୂପ ଥିବା ବେଳେ ତାହା ଦୀର୍ଘଦିନ ଧରି ଅଚଳ ହୋଇପଡିଛି । ଅପରପକ୍ଷରେ ଗ୍ରାମରେ ଥିବା ଜଳଯୋଗାଣ କେନ୍ଦ୍ରରୁ କେବଳ ସକାଳ ସମୟରେ ହିଁ ଅଧଘଣ୍ଟା ପାଇଁ ହିଁ ଜଳଯୋଗାଣ କରାଯାଉଥିବା ରୁ ଅଳ୍ପ ସମୟ ମଧ୍ୟରେ ସମସ୍ତ ସାହି ବାସିନ୍ଦାଙ୍କ ପାଇଁ ପାଣି ଯୋଗାଇବା ସମ୍ଭବପର ହୋଇପାରୁନାହିଁ । ଫଳରେ ପିଇବା ପାଣି ପାଇଁ ଗ୍ରାମ ଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଥିବା ନଦୀରୁ ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ ।

ବର୍ତ୍ତମାନ ଖରା ଦିନରେ ଜଳକଷ୍ଟ ଦ୍ବିଗୁଣିତ ହୋଇଯାଇଥିବାରୁ ତାହାର ସମାଧାନ ନେଇ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି ସାହିର ଶତାଧିକ ମହିଳା । ବାଲଟି, ଗରା ରଖି ରାସ୍ତା ଅବରୋଧ କରିଛନ୍ତି ମହିଳାମାନେ । ନବରଙ୍ଗପୁର ଠାରୁ କୋଷଗୁମୁଡ଼ା ବ୍ଲକକୁ ସଂଯୋଗ କରୁଥିବା ରାସ୍ତାକୁ ଦେଉଳା ଠାରେ ଅବରୋଧ କରିଥିବାରୁ ଉକ୍ତ ରାସ୍ତା ଦେଇ କୋଡ଼ିଙ୍ଗା ଓ କୋଷଗୁମୁଡ଼ା ଠାରୁ ନବରଙ୍ଗପୁର ସଦର ମହକୁମାକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।

Leave A Reply

Your email address will not be published.