Latest Odisha News

BREAKING NEWS

ରାଜ୍ୟ ସଭାରେ ପାସ ହେଲା ମହିଳା ସଂରକ୍ଷଣ ବିଲ୍; ବିପକ୍ଷରେ ପଡ଼ିଲା ଶୂନ ଭୋଟ

ନୂଆଦିଲ୍ଲୀ: ଲୋକସଭା ପରେ ଏବେ ରାଜ୍ୟ ସଭାରେ ପାସ ହେଲା ମହିଳା ସଂରକ୍ଷଣ ବିଲ ଅର୍ଥାତ ନାରୀ ଶକ୍ତି ବନ୍ଦନ ଅଧିନିୟମ ।ରାଜ୍ୟସଭାରେ ଏହି ବିଲ ଉପରେ ଆଜି ଚର୍ଚ୍ଚା ହେବା ପରେ ଭୋଟିଂ ହୋଇଥିଲା । ବିଲ ସପକ୍ଷରେ ୨୧୫ ଭୋଟ ପଡିଥିଲା । ସର୍ବ ସମ୍ମତିକ୍ରମେ ଏହି ବିଲ ରାଜ୍ୟ ସଭାରେ ବି ପାସ ହୋଇଗଲା ।  ଏପରିକି ବିଲ ବିରୋଧରେ ଗୋଟିଏ ବି ଭୋଟ ପଡି ନ ଥିଲା । ଗୃହ ସଭାପତି ଜଗଦୀପ ଧନଖଡ ଏହାକୁ ଐତିହାସିକ ବିଜୟ ବୋଲି କହିଥିଲେ ।

ସୂଚନାଥାଉ କି, ଦିନକ ପୂର୍ବରୁ ସଂସଦ ଏବଂ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ନେଇ ବିଲ ଲୋକସଭାରେ ପାସ ହୋଇଥିଲା । ଏହି ବିଧେୟକ ସପକ୍ଷରେ ୪୫୪ ଭୋଟ ପଡିଥିବାବେଳେ ବିରୋଧରେ କେବଳ ଅସଦୁଦ୍ଦିନ ଓବେସୀ ଏବଂ ତାଙ୍କର ଦଳର ଅନ୍ୟଜଣେ ସାଂସଦ ଭୋଟ ଦେଇଥିଲେ । ଲୋକ ସଭାରେ ବିଧେୟକ ପାସ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଜଣାଇଥିଲେ ଏବଂ ଅଭୂଦପୂର୍ଣ୍ଣ ସମର୍ଥନ ସହ ଏହି ବିଲ ଲୋକସଭାରେ ପାସ ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ ।

ତେବେ ରାଜ୍ୟ ସଭାରେ ଏହି ବିଲ ଉପରେ ଆଲୋଚନା ବେଳେ  ମୁହାଁମୁହିଁ ହୋଇଥିଲେ ବିଜେପି ଓ କଂଗ୍ରେସ।   ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଥିବା ଏହି ବିଲରେ ଓବିସି ଓ ଏସସି-ଏସଟି ବର୍ଗଙ୍କୁ  ସାମିଲ କରିବା ପାଇଁ ବିରୋଧୀ ଦାବି କରିଥିଲେ । ସେହିଭଳି ଏହି ବିଲ ଆଇନରେ ପରିଣତ ହେବା ପରେ ଏହାକୁ କେବେ ଲାଗୁ କରାଯିବ, ତାକୁ ବି ନେଇ ବିତର୍କ ହୋଇଥିଲା।

Comments are closed.