ନୂଆଦିଲ୍ଲୀ: ସଂସଦରେ ପାରିତ ହୋଇଛି ମହିଳା ସଂରକ୍ଷଣ ବିଲ୍ । ବିଲ୍ ସମର୍ଥନରେ ୨୧୫ଟି ଭୋଟ୍ ପଡିଥିବା ବେଳେ ବିପକ୍ଷରେ ଗୋଟିଏ ବି ଭୋଟ୍ ପଡ଼ିନଥିଲା । ଫଳରେ ସଂସଦର ଉଭୟ ଗୃହରେ ବହୁମତରେ ପାସ୍ ହୋଇଛି ମହିଳା ସଂରକ୍ଷଣ ବିଲ୍ । ସେପଟେ ଏନେଇ ସାମ୍ବାଦିକ ସମ୍ମିଳନିରେ ନିଜର ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାତୃଶକ୍ତି ହାତରେ ଦାୟିତ୍ୱ ରହିଲେ, ଏହାର ଉତ୍ତରଦାୟିତ୍ୱ ବଢିଯାଏ ବୋଲି ବିଶ୍ୱର ସବୁ ବିଶେଷଜ୍ଞମାନେ ସାବ୍ୟସ୍ତ କରିଛନ୍ତି । ଉଭୟ ରାଜ୍ୟସଭା ଓ ଲୋକସଭାରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ତଥା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସର୍ବସମ୍ମତି କ୍ରମେ ଗୃହୀତ ହେବା ଫଳରେ ଦେଶର ମାଆ ତଥା ମହିଳା ମାନଙ୍କର ଜନପ୍ରିତିନିଧିତ୍ୱ ବଢିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନୂଆ ସଂସଦ ଭବନରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ଗୃହରେ ଆଗତ କରାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଲକୁ ସମର୍ଥନ ଦେଇଥିବା ସମସ୍ତ ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଭାରତୀୟ ସଭ୍ୟତାରେ ମହିଳା ମାନଙ୍କୁ ସଂରକ୍ଷଣ, ଅଗ୍ରାଧିକାର ଓ ସଶକ୍ତିକରଣ କରିବାର ପରମ୍ପରା ଅନେକ ଆଗରୁ ଅଛି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜନପ୍ରତିନିଧିକୁ ସୁରକ୍ଷିତ କରାଇବା ଓ ମହିଳାଙ୍କୁ ଗୋଟିଏ ରାଜନୈତିକ ଅଧିକାର ଏବଂ ଦାୟିତ୍ୱ ପ୍ରଦାନ କରିବା ଅନେକ ଦିନରୁ ସମାଜ ସାମ୍ନାରେ ଥିଲା । ବିଗତ ୩ ଦଶନ୍ଧି ଧରି ଭାରତୀୟ ସଂସଦ ଏହା ଉପରେ ଚର୍ଚ୍ଚା ଆଲୋଚନା କରୁଥିଲା । ଗଣେଶ ପୂଜାର ଶୁଭ ଅବସରରେ ନୂଆ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପ୍ରଥମ ବିଲ୍ ନାରୀ ଶକ୍ତି ବନ୍ଦନର ୧୨୮ ତମ ସମ୍ବିଧାନ ସଂଶୋଧନ ବିଲ୍ ଗତକାଲି ରାଜ୍ୟସଭାରେ ପାସ ହୋଇଛି । ପୂର୍ବରୁ ଲୋକସଭାରେ ପାରିତ ହୋଇଛି । ଏହା ଦ୍ୱାରା ଦେଶରେ ମହିଳା ନେତୃତ୍ୱ ବିକାଶର ନୂଆ ପରମ୍ପରା ଆରମ୍ଭ ହୋଇଛି । ଭାରତରେ ମହିଳା ମାନଙ୍କୁ ଲୋକସଭା ଓ ରାଜ୍ୟ ବିଧାନସଭାରେ ପ୍ରତିନିଧିତ୍ୱରେ ୩୩ ପ୍ରତିଶତ ସଂରକ୍ଷଣ ମିଳିବାର ସୁନିଶ୍ଚିତ କରାଯାଇଛି । ଏହି ନିଷ୍ପତି ଉପରେ ଭାରତର ସବୁ ରାଜନୈତିକ ଦଳମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅଣାଯାଇଥିବା ପ୍ରସ୍ତାବରେ ସ୍ୱୀକୃତି ଦେବା ଖୁସିର ବିଷୟ ବୋଲି କହିଛନ୍ତି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହା ସମାଜର ଆକାଂକ୍ଷା ଓ ୫୦ ଭାଗ ଜନସଂଖ୍ୟାର ଆକାଂକ୍ଷା ଏବଂ ଅପେକ୍ଷାକୁ ଭାରତ ଭଳି ଦେଶରେ ପୂରଣ କରିବା । ବିଶ୍ୱର ଅନ୍ୟ ଅଞ୍ଚଳ ତୁଳନାରେ ଆମ ଦେଶ ଭାରତରେ ମହିଳା ମାନଙ୍କୁ ଦେଖିବାର ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ଅଲଗା । ମହିଳା ହେଉଛନ୍ତି ସମାଜର ଅବିଚ୍ଛେଦ୍ୟ ଅଙ୍ଗ । ମାଆର ଅର୍ଥ ଅତ୍ୟନ୍ତ ବ୍ୟାପକ । ସେହି ମା’କୁ ତା’ର ସମ୍ମାନ ଦେବା ପାଇଁ ମୋଦିଜୀ ଏଭଳି ଐତିହାସିକ ନିର୍ଣ୍ଣୟ ନେଇଛନ୍ତି । ଏହା ଭାରତର ମାଆ ମାନଙ୍କର ବିଲ୍ । ଆଜି ଏହାକୁ ଉତ୍ସବ ଭାବରେ ପାଳନ କରିବାର ଅବସର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ମୋଦି ସରକାରରେ ବିଗତ ସାଢେ ୯ ବର୍ଷ ଧରି ବିଭିନ୍ନ ମହିଳା କଲ୍ୟାଣକାରୀ ଯୋଜନା ଆପଣାଇଛି । ଏହି ସବୁ ଯୋଜନାର କେନ୍ଦ୍ରବିନ୍ଦୁରେ ମହିଳା ସଶକ୍ତିକରଣ ଓ ସାମାଜିକ ନ୍ୟାୟ ଥିଲା । ମୋଦିଜୀ ପ୍ରଧାନମନ୍ତ୍ରୀର ଦାୟିତ୍ୱ ନେବା ପରେ କହିଥିଲେ କହିଥିଲେ ତାଙ୍କ ସରକାର ଗରିବ, ବଞ୍ଚିତ ଓ ମହିଳା ମାନଙ୍କ ପ୍ରତି ସମର୍ପିତ ରହିବ । ଆମ ସମସ୍ତଙ୍କ ପାଇଁ ଏହା ଏକ ଗୌରବର ଅବସର । ଏହାକୁ ଦେଶ ଉତ୍ସାହର ସହ ପାଳନ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ବିଧାନସଭା ଗୁଡିକରେ ୩୩ ପ୍ରତିଶତ ସଂରକ୍ଷଣ ଦେବାର ଅଧିକାର ଭାରତର ସଂସଦରେ ହିଁ ଅଛି । କେନ୍ଦ୍ରୀୟ ନିର୍ବାଚନ ଆୟୋଗର ନିୟମାବଳୀ ଭାରତୀୟ ସଂସଦରେ ପାସ ହୋଇଥିବା ଆଇନ ଅନୁସାରେ ହେବ । ସେହିଭଳି ଭାବରେ ଲୋକସଭା ଓ ବିଧାନସଭାର ନିର୍ଦ୍ଦିଷ୍ଟ ସଂଖ୍ୟା ଅନୁସାରେ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ମିଳିବ । ଡିଲିମିଟେସନରେ ସେହି ସଂଖ୍ୟା ବଢିଲେ, ବଢୁଥିବା ସଂଖ୍ୟାର ୩୩ ପ୍ରତିଶତ ସଂରକ୍ଷଣ ହେବ । ରାଜ୍ୟ ବିଧାନସଭାର ଏଥିରେ କୌଣସି ଭୂମିକା ନାହିଁ, କାରଣ ନିର୍ବାଚନ କେନ୍ଦ୍ର ସରକାରଙ୍କ ଅନ୍ତର୍ଗତ ବିଷୟ ବୋଲି ସେ କହିଛନ୍ତି ।
Comments are closed.