Latest Odisha News

BREAKING NEWS

ବିଜେଡି ପାଇଁ ଦେଶରେ ମହିଳାଙ୍କୁ ମିଳିଲା ସଂରକ୍ଷଣ !

ଭୁବନେଶ୍ୱର: ସଂସଦରେ ମହିଳା ସଂରକ୍ଷଣ ବିଲ ପାସ ହେବା ପରେ ଏହାକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ଜାତୀୟ ସ୍ତରରେ ଏହାକୁ ନେଇ ବିବାଦ ଓ ଶ୍ରେୟର ଲଢେଇ ଆରମ୍ଭ ହୋଇଥିବାବେଳେ ଓଡ଼ିଶାରେ ଶାସକ ଦଳ ବିଜେଡି ଏହି ପ୍ରସଙ୍ଗକୁ ନେଇ ମାହୋଲ ତିଆରି କରିବା ଆରମ୍ଭ କରିଛି।

ବିଶେଷ କରି ସାମାଜିକ ଗଣମାଧ୍ୟମରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି। ଦଳୀୟ ନେତାମାନେ ସାମାଜିକ ଗଣମାଧ୍ୟମରେ ମହିଳା ସଂରକ୍ଷଣ ବିଲର ଶ୍ରେୟ ବିଜେଡିର ବୋଲି ପ୍ରଚାର ପ୍ରସାର କରିବା ଆରମ୍ଭ କରିଛନ୍ତି।

ନବୀନ ପଟ୍ଟନାୟକଙ୍କ ପଛରେ ମହିଳାମାନେ ଛିଡା ହୋଇଥିବା ଏକ ପୋଷ୍ଟରରେ ମାଆଙ୍କ ପାଇଁ ବିଜେଡି ଲଢିଲା ଜିତିଲା ବୋଲି ଲେଖାଯାଇଛି। ଏପରିକି ରାଜନୀତିରେ ସର୍ବୋଚ୍ଚ ସ୍ତରରେ ନିଷ୍ପତ୍ତି ନେବାର ଅଧିକାର ଦେଲା ବୋଲି ପୋଷ୍ଟରରେ ଲେଖାଯିବା ସହ ୩୩ ପ୍ରତିଶତ ଆସନ ସଂରକ୍ଷିତ କରି ଦେଖାଇଲା ବୋଲି ଲେଖାଯାଇଛି।

ଏଥିସହିତ ଏହାକୁ ପାୱାର ଅଫ ନବୀନ ଓଡିଶା ବୋଲି ବିଜେଡି ପକ୍ଷରୁ କରାଯାଇଥିବା ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ମହିଳା ସଂରକ୍ଷଣ ବିଲକୁ ନେଇ ଜାତୀୟ ସ୍ତରରେ ଲଢେଇ ଦେଖିବାକୁ ମିଳିଥିବା ବେଳେ ଏବେ ଓଡ଼ିଶାରେ ଏହାର ଶ୍ରେୟ ନେବାକୁ ଶାସକ ଦଳ ପ୍ରଚାରକୁ ଜୋରଦାର କରିଛି।

ରାଜ୍ୟରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ଜରିଆରେ ବିଜେଡି ସରକାର ବ୍ୟାପକ ପଦକ୍ଷେପ ନେଉଛି ବୋଲି କୁହାଯିବା ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଇ ସେମାନଙ୍କ ପରିସର ବୃଦ୍ଧି କରାଯାଉଛି।

ସେହିପରି ରାଜନୈତିକ କ୍ଷେତ୍ରରେ ମଧ୍ୟ ବିଜେଡି ଅଧିକ ମହିଳାଙ୍କୁ ଗୁରୁତ୍ୱ ଦେବା କଥା କହିବା ସହ ଜାତୀୟ ସ୍ତରରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ଦାବି କରି ଆସୁଥିଲା। ଏପରିକି ଏହି ପ୍ରସଙ୍ଗକୁ ନେଇ ଦେଶବ୍ୟାପୀ ବିଜେଡି ଏକ ଅଭିଯାନ ଆରମ୍ଭ କରିଥିଲା।

ଏବେ ସଂସଦରେ ବିଲ ପାସ ହେବା ପରେ ଏହାକୁ ଦଳର ବିଜୟ ବୋଲି କୁହାଯାଉଛି। ଯାହାକୁ ନେଇ ଦଳୀୟ ନେତା ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି ।ଏପରିକି ଅନ୍ୟ ଏକ ପୋଷ୍ଟରରେ ନେତା ହେବ ତ ନବୀନଙ୍କ ପରି ବୋଲି ଲେଖାଯିବା ସହ ତାଙ୍କର ପ୍ରତିଟି ନିଷ୍ପତ୍ତି ରାଷ୍ଟ୍ର ଉଦ୍ଦେଶ୍ୟରେ ବୋଲି ଦର୍ଶାଯାଇଛି ।

ଏହି ପୋଷ୍ଟରରେ ନବୀନଙ୍କ ପ୍ରତିଟି ମଡେଲକୁ ଦେଶ ଆପଣାଉଛି ବୋଲି କୁହାଯାଇଛି । ଯାହା ଆଗେ ଭାବନ୍ତି ନବୀନ ତାହା ପରେ ଭାବେ ଦେଶ ବୋଲି ପୋଷ୍ଟରରେ ଲେଖାଯାଇଛି ।ଏପରିକି ଏହି ବ୍ୟବସ୍ଥା ଜାତୀୟ ସ୍ତରରେ ସୀମା ପୁନଃ ନିର୍ଧାରଣ ପରେ କରାଯିବ ବୋଲି ବ୍ୟବସ୍ଥା ରହିଥିବା ବେଳେ ବିଜେଡି କିନ୍ତୁ ଆଗାମୀ ନିର୍ବାଚନରେ ଅଧିକ ମହିଳାଙ୍କୁ ଟିକେଟ ଦେଇ ସାରା ଦେଶରେ ଉଦାହରଣ ସୃଷ୍ଟି କରିବାକୁ ଯୋଜନା କରିଥିବା ଆଲୋଚନା ହେଉଛି।

ରାଜ୍ୟର ସଂଖ୍ୟାଧିକ ମହିଳା ଭୋଟ ବିଜେଡିକୁ ଯାଏ ବୋଲି କୁହାଯାଉଥିବାବେଳେ ଆଗକୁ ନିର୍ବାଚନ ଥିବାରୁ ଦଳ ପକ୍ଷରୁ ଏଭଳି ମାହୋଲ ପ୍ରସ୍ତୁତ କରାଯିବା ଦଳକୁ ଆହୁରି ଲାଭ ଦେବ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.