ପାଟନା: ସୋସିଆଲ ମିଡିଆ ପାଇଁ ପାଗଳ ମହିଳା । ବୁଝାଇ ବୁଝାଇ, ନୟାନ୍ତ ହେଲେ ପୋଲିସ୍, ହେଲେ ବୁଝିଲେନି ମହିଳା… ରୋକ୍ ଠୋକ୍ ଶୁଣାଇଦେଲେ, କହିଲେ..ସ୍ବାମୀ ଛାଡିଦେବି, ହେଲେ ସୋସିଆଲ ମିଡିଆ ଛାଡିପାରିବିନି । ବିହାରର କଟିହାର ଜିଲ୍ଲାରୁ ଏଭଳି କିଛି, ଅନନ୍ୟ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ ତାଙ୍କ ସ୍ୱାମୀଙ୍କୁ ଛାଡିପାରନ୍ତି, କିନ୍ତୁ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ବନ୍ଦ କରିବେ ନାହିଁ ।
ଖାଲି ଏତିକିରେ କଥା ସରିନି, ପୋଲିସ ମାଧ୍ୟମରେ ମାମଲାଟି ଯାଇ ପହଞ୍ଚିଛି ପରିବାର ପରାମର୍ଶ କେନ୍ଦ୍ରରେ । ହେଲେ ସ୍ତ୍ରୀ ସେଠି ବି ସମାନ କଥା କହିଛନ୍ତି । କାହା କଥା ଶୁଣିବାକୁ ନାରାଜ୍ । ଯାହାକୁ ନେଇ ସ୍ୱାମୀ ଅଭିଯୋଗ କରିଛନ୍ତି, ତାଙ୍କ ସ୍ତ୍ରୀ ସାରା ଦିନ ସୋସିଆଲ ମିଡିଆରେ ବ୍ୟସ୍ତ ରୁହନ୍ତି । ତାଙ୍କ ପାରିବାରିକ ଦାୟିତ୍ୱକୁ ଅଣଦେଖା କରୁଛନ୍ତି । ଯାହା ଏବେ ସୋସିଆଲ ମିଡିଆର ବର୍ଦ୍ଧିତ ପ୍ରଭାବ କିଭଳି ଆମ ପାରିବାରିକ ସମ୍ପର୍କକୁ ଦୁର୍ବଳ କରୁଛି, ତାହାର ଏକ ନଗ୍ନ ଚିତ୍ର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ସ୍ବାମୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ତ୍ରୀ ତାଙ୍କ ସହିତ କେବେ ବି ସମୟ ବିତାଇ ନାହାଁନ୍ତି । ସବୁବେଳେ ଅନଲାଇନରେ ରୁହନ୍ତି । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ତାଙ୍କ ସ୍ତ୍ରୀ ଅଜଣା ଲୋକଙ୍କ ସହ ସୋସିଆଲ ମିଡିଆରେ କଥା ହୁଅନ୍ତି । ସେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ଫଟୋ ପୋଷ୍ଟ କରନ୍ତି । ସେ ତାଙ୍କ ପରିବାର ବିଷୟରେ ଚିନ୍ତା କରନ୍ତି ନାହିଁ, ବରଂ ସେ ତାଙ୍କର ଅଧିକାଂଶ ସମୟ ସୋସିଆଲ ମିଡିଆରେ ବିତାଇଥାନ୍ତି ।
ଯାହାକୁ ନେଇ ଯେତେବେଳେ କାଉନସିଲର ସ୍ତ୍ରୀଙ୍କୁ ପଚାରିଥିଲେ, ସେ କହିଥିଲେ, ଯେ ସୋସିଆଲ ମିଡିଆ ମୋର ବ୍ୟକ୍ତିଗତ ବିଷୟ । ମୋର ଫଟୋ ପୋଷ୍ଟ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି । ଏମିତିକି ସେ କହିଦେଇଥିଲେ, ତାଙ୍କ ସ୍ୱାମୀଙ୍କୁ ଛାଡିପାରିବେ, କିନ୍ତୁ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଫଟୋ ପୋଷ୍ଟ କରିବା ବନ୍ଦ କରିବେ ନାହିଁ । ଏଥିପାଇଁ କାଉନସିଲର ଯେତେ ବୁଝାଇଥିଲେ, ମଧ୍ୟ ମହିଳା ଜଣଙ୍କ, କିଛି ବି ଶୁଣିବାକୁ ନାରାଜ ଥିଲେ । ଆଉ ଉଭୟଙ୍କ ମଧ୍ୟରେ କୌଣସି ସମାଧାନ ନହେବାରୁ, କାଉନସିଲିଂ ସେଣ୍ଟର ସେମାନଙ୍ମକୁ ଫେରାଇ ଦେଇଥିଲା ।
Comments are closed.