Latest Odisha News

BREAKING NEWS

କରୋନାରେ ୱାର୍କ ଫ୍ରମ୍ ହୋମ୍ ଟ୍ରେଣ୍ଡ୍‌: ଘରମୁହାଁ ବାହାର ରାଜ୍ୟରେ ରହୁଥିବା ଆଇଟି ପ୍ରଫେସନାଲ

ଭୁବନେଶ୍ୱର: କରୋନା ପାଇଁ ଆଇଟି କମ୍ପାନୀଗୁଡିକ ଆସନ୍ତା ୫ ମାସ ଯାଏଁ ୱାର୍କ ଫ୍ରମ୍ ହୋମ୍ କରିବାକୁ ନିଷ୍ପତ୍ତି ନେଲେଣି । ତେଣୁ ରାଜ୍ୟ ବାହାରେ ଥିବା ଆଇଟି ଇଂଜିନିଅରମାନେ ପରିବାର ସହ ନିଜ ନିଜ ଘରକୁ ଫେରୁ ଥିବା ଦେଖିବାକୁ ମିଳୁଛି । ବର୍ଷକୁ ମାତ୍ର ଥରେ କି ଦୁଇ ଥର ସେ ବି ବେଶୀ ହେଲେ ସପ୍ତାହେ ପାଇଁ ଆସିପାରୁଥିବା ପୁଅ ନିଜ ପିଲା ଛୁଆଙ୍କୁ ଧରି ଏବେ ଘର ମୁହାଁ ।

ହାଇଦ୍ରାବାଦରେ କାମ କରନ୍ତି ସ୍ୱାଧୀନ କୁମାର ମଙ୍ଗରାଜ ଓ ତାଙ୍କ ପତ୍ନୀ ଦୁହେଁ ଆଇଟି କମ୍ପାନିରେ କାମ କରନ୍ତି । ଘରେ ତାଙ୍କର ତିନି ବର୍ଷର ଝିଅ । ଏଇ ସପ୍ତାହରେ ସେମାନେ ତାଙ୍କ ଭୁବନେଶ୍ୱରସ୍ଥିତ ଘରକୁ ଫେରିଛନ୍ତି । ତାଙ୍କ କହିବାନୁଯାୟୀ, ‘ଫେବ୍ରୁଆରୀ ମାସ ଯାଏଁ କମ୍ପାନି ୱାର୍କ ଫ୍ରମ୍ ହୋମ୍ ଘୋଷଣା କରିଛି । ଏତେ ଦିନ ୱାର୍କ ଫ୍ରମ୍ ହୋମ ଥିବାରୁ ଆମେ ଘରକୁ ଫେରି ଆସିବାକୁ ନିଷ୍ପତ୍ତି ନେଲୁ । ଗତ ମାର୍ଚ୍ଚ ମାସରୁ ଝିଅ ଘରେ ରହି ରହି ବୋର୍ ହୋଇଯାଇଥିଲା । ଘରକୁ ଆସିଲେ ପରିବାରର ଅନ୍ୟମାନଙ୍କ ସାଙ୍ଗେ ରହିବାର ସୁଯୋଗ ପାଇବ । ଆମେ ବି ବେଶୀ ଦିନ ଘରେ ରହିବାର ସୁଯୋଗ ପାଇବୁ । ’

ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥାରେ ବିଶେଷ କରି ସେମାନେ ଇଣ୍ଟରନେଟ ଉପରେ ନିର୍ଭର କରୁଛନ୍ତି । ଇଂଟରନେଟ୍ ବ୍ୟବସ୍ଥା ହୋଇଗଲେ ସେମାନେ ସୁରୁଖୁରୁରେ କାମ କରିପାରୁଛନ୍ତି । ପୁଣେରେ ରହୁଥିବା ସନ୍ତୋଷ ବେହେରା କହିବାନୁୟାୟୀ, ‘ମୁଁ ଘରେ ପହଞ୍ଚିବା ପୂର୍ବରୁ ଇଂଟରନେଟ୍ କନେକ୍ସନର ବ୍ୟବସ୍ଥା କରିସାରିଥିଲା । ଅଫିସ କାମରେ ଯେପରି ବାଧା ନ ପହଞ୍ଚେ ସେଥିପାଇଁ ପ୍ରଥମେ ଧ୍ୟାନ ଦେବାକୁ ପଡୁଛି । ତାହା ସୁବିଧାରେ ମିଳିଗଲେ ସବୁ ସମସ୍ୟାର ବାଟ ମିଳିଯାଉଛି ।’

ଅଧିକାଂଶ କମ୍ପାନୀର କର୍ମଚାରୀ ଏବେ ଘର ମୁହାଁ । ଭବାନୀପାଟଣାର ସୁଦୀପ୍ତ ପଣ୍ଡା କହିଛନ୍ତି ଯେ, ‘ମୋ ସହକର୍ମୀଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ଘରକୁ ଫେରିଆସିଛନ୍ତି । ମୋ ପରେ ବି ଅନେକ ଘରକୁ ଫେରିବାର ପ୍ଲାନ ରଖିଛନ୍ତି । ’

ଏସବୁକୁ ଦୃଷ୍ଟିରେ ରଖି ଜିଓ ଫାଇଭର, ୱି ଫି, ରେଲ୍ ଟେଲ୍ ଭଳି ବିଭିନ୍ନ ଇଣ୍ଟରନେଟ୍ ସେବା ପ୍ରଦାନକାରୀ କମ୍ପାନୀ ବ୍ରଡବ୍ୟାଣ୍ଡ ଓ ଫାଇବର ଟୁ ହୋମ୍ ବ୍ୟବସ୍ଥା ରାଜ୍ୟର ବିଭିନ୍ନ ସହରକୁ ସମ୍ପ୍ରସାରିତ କଲେଣି ।

ଏ ଭିତରେ ବେଶ୍ ଖୁସି ଅଛନ୍ତି ଘରେ ବର୍ଷ ବର୍ଷ ଧରି ଏକୁଟିଆ ରହୁଥିବା ବାପାମାଆ । କାର୍ଯ୍ୟବ୍ୟସ୍ତତା ଯୋଗୁଁ ପୁଅ ବୋହୂମାନେ ଘରକୁ ବେଶୀ ଦିନ ପାଇଁ ଆସିପାରୁ ନ ଥିଲେ । ବାପା ମାଆ ଯଦି ବି ପୁଅ ବୋହୂଙ୍କ ପାଖକୁ ଯାଉଥିଲେ ସେଠାରେ ବି କାହାର ସମୟ ନ ଥିଲା ଦି ପଦ କଥାବାର୍ତ୍ତା ପାଇଁ । କାରଣ ସମସ୍ତେ ଯନ୍ତ୍ର ଭଳି କାମ କରିଚାଲୁଥିଲେ । ଏବେ କିନ୍ତୁ ସମୟ ମିଳୁଛି ସମସ୍ତେ ସାଙ୍ଗ ହୋଇ ଖାଇବା ପାଇଁ । ନାତି ନାତୁଣୀଙ୍କ ସହ ବେଶ୍ ସମୟ କାଟିବା ପାଇଁ । ନାତିନାତୁଣୀ ବି ଗାଁ ପରିବେଶରେ ଦିନ ରାତି ହଜିଯିବା ସହ ଜେଜେ ବାପା ଜେଜେ ମାଆଙ୍କ ଗପ ଶୁଣି ବେଶ୍ ଭଲରେ ସମୟ କାଟୁଛନ୍ତି ।

Leave A Reply

Your email address will not be published.