Latest Odisha News

BREAKING NEWS

ପୋଷ୍ଟାଲ ବାଲାଟ ମାଧ୍ୟମରେ ମତାଦାନ କରିପାରିବେ କାର୍ଯ୍ୟରତ ସାମ୍ବାଦିକ

ଭୁବନେଶ୍ୱର: ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଭାରତ ନିର୍ବାଚନ କମିଶନ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିବାର ଅଧିକାର ପ୍ରଦାନ କରିଛନ୍ତି । ଏହା ଦ୍ୱାରା ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ କାର୍ଯ୍ୟରତ ସାମ୍ବାଦିକମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀରୁ ଦୂରରେ ରହି କର୍ତ୍ତବ୍ୟ ସଂପାଦନ କରିବା ସହିତ ସାଧାରଣ ନିର୍ବାଚନରେ ମତଦାନ ମଧ୍ୟ କରିପାରିବେ ।

ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗଣମାଧ୍ୟମର ଅଗ୍ରଣୀ ଭୂମିକା ରହିଆସିଛି । ନିର୍ବାଚନ ସମୟରେ ଅନେକ କାର୍ଯ୍ୟରତ ସାମ୍ବାଦିକଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀଠୁ ଦୂରରେ ରହି କାର୍ଯ୍ୟ ସଂପାଦନ କରିବାକୁ ପଡ଼ିଥାଏ । ଏଣୁ ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରିପାରୁ ନଥିଲେ । ଏହି ଅସୁବିଧାକୁ ଦୃଷ୍ଟିରେ ରଖି କାର୍ଯ୍ୟରତ ସାମ୍ବାଦିକ ଓ ଗଣତନ୍ତ୍ରର ବୃହତ୍ତର ହିତରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସାଧାରଣ ନିର୍ବାଚନ-୨୦୨୪କୁ ଅଧିକରୁ ଅଧିକ ଅଂଶଗ୍ରହଣକାରୀ କରିବା ପାଇଁ ନିର୍ବାଚନ କମିଶନ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ‘ଜରୁରୀ ସେବା ଯୋଗୁଁ ଅନୁପସ୍ଥିତ ଭୋଟର’ ତାଲିକାରେ ସାମିଲ କରିଛନ୍ତି । ଏହି କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ‘ରିପ୍ରେଜେଣ୍ଟେସନ୍‌ ଅଫ୍‌ ପିପୁଲ ଆକଫ-୧୯୫୧’ର ଧାରା ୬୦ (ଗ) ଅଧିନରେ ‘ପୋଷ୍ଟାଲ ବାଲାଟ୍‌ ମାଧ୍ୟମରେ ଭୋଟ ଦେବାକୁ ଯୋଗ୍ୟ ବ୍ୟକ୍ତି’ଙ୍କ ତାଲିକାରେ ସାମିଲ କରାଯାଇଛି । ଏହାଦ୍ୱାରା କାର୍ଯ୍ୟରତ ସାମ୍ବାଦିକମାନେ ପୋଷ୍ଟାଲ ବାଲାଟ୍‌ ମାଧ୍ୟମରେ ମତଦାନ କରିପାରିବେ।

ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରାଧିକୃତ କାର୍ଯ୍ୟରତ ସାମ୍ବାଦିକମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କଠାରେ ଆବେଦନ କରିବେ । ଉକ୍ତ ରିଟର୍ଣ୍ଣିଂ ଅଫିସର ଆବେଦନ କରିଥିବା କାର୍ଯ୍ୟରତ ସାମ୍ବାଦିକଙ୍କର ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ହୋଇଥିବା ପ୍ରାଧିକୃତ ପତ୍ର କିମ୍ବା କେନ୍ଦ୍ର ବା ରାଜ୍ୟ ସରକାରଙ୍କଠାରୁ ପ୍ରାପ୍ତ ଅଧିସ୍ୱୀକୃତି ପତ୍ର ଯାଞ୍ଚ କଲାପରେ ନିଜେ କିମ୍ବା ଜଣେ ନୋଡାଲ ଅଧିକାରୀଙ୍କ ମାଧ୍ୟମରେ ଅବେଦନକାରୀଙ୍କୁ ଫର୍ମ ୧୨-ଡି (୧୨ଉ) ଦସ୍ତଖତ କରାଇବେ। ଏହା ପରେ ଉକ୍ତ କାର୍ଯ୍ୟରତ ସାମ୍ବାଦିକ ଯଥା ସମୟରେ ପୋଷ୍ଟାଲ ବାଲାଟ୍‌

ପାଇପାରିବେ ଓ ମତଦାନ କରି ପୋଷ୍ଟାଲ ବାଲାଟ ରିଟର୍ଣ୍ଣିଂ ଅଧିକାରୀଙ୍କ ପାଖକୁ ପ୍ରେରଣ କରିବେ ।ଓଡ଼ିଶାରେ ମଧ୍ୟ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ସହ କାର୍ଯ୍ୟରତ ସାମ୍ବାଦିକମାନଙ୍କ ମତଦାନ ପାଇଁ ଉଚିତ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି । ‘କୌଣସି ମତଦାତା ଯେପରି ଛାଡ଼ି ନହେବେ’-ଏହି ଲକ୍ଷ୍ୟ ନେଇ ରାଜ୍ୟରେ ନିର୍ବାଚନ ପରିଚାଳନା ହେଉଛି ବୋଲି ଶ୍ରୀ ଧଳ ମତ ରଖିଛନ୍ତି ।

Comments are closed.