Latest Odisha News

BREAKING NEWS

ଓଡ଼ିଶା କ୍ଲାଇମେଟ ଚେଞ୍ଜ କନ୍‌କ୍ଲେଭ: ଜଳବାୟୁ ପରିବର୍ତ୍ତନ ଏକ ବିଶ୍ୱବ୍ୟାପୀ ଘଟଣା ପାଲଟିଛି

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଓ ଏଭର ଗ୍ରୀନ୍‌ ଫୋରମ୍‌ ଦ୍ୱାରା ବିଶ୍ୱ ଜଳବାୟୁ ଦିବସ ଉପଲକ୍ଷେ ଆୟୋଜିତ ‘ଓଡ଼ିଶା କ୍ଲାଇମେଟ ଚେଞ୍ଜ କନ୍‌କ୍ଲେଭ’ ଅନୁଷ୍ଠିତ ହୋଇଯାଇଛି। ଜଳବାୟୁ ପରିବର୍ତ୍ତନ ଆଉ କାହାଣୀ ନୁହେଁ ଏହା ଏକ ଭୈାଗଳିକ ତଥା ପ୍ରତ୍ୟକ୍ଷ ଭାବେ ଅନୁଭୂତ ହେଉଥିବା ଘଟଣା ପାଲଟିଛି। ଏହାର ଯଥେଷ୍ଟ ପ୍ରଭାବ ରହିଛି ବୋଲି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି।

ସେ କହିଛନ୍ତି, ଜଳବାୟୁ ପରିବର୍ତ୍ତନର ପ୍ରଭାବ ସବୁଆଡ଼େ ପରିଲକ୍ଷିତ ହେଉଛି । ଭବିଷ୍ୟତରେ ଦୁଇଟି ଋତୁ, ଶୁଷ୍କ ଓ ଆର୍ଦ୍ର ଭବିଷ୍ୟତରେ ଅନୁଭୂତ ହେବ ।  ଫଳରେ ଓଡ଼ିଶାରେ ଗହମ ଚାଷ ହୋଇପାରୁ ନାହିଁ ଏବଂ ଭବିଷ୍ୟତରେ ସୋରିଷ ଚାଷ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ଦେଖାଦେଇଛି ବୋଲି ସେ କହିଛନ୍ତି।

ଏହି କନ୍‌କ୍ଲେଭର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପୁନେ ସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟ୍ରପିକାଲ୍‌ ମେଟିଓରୋଲୋଜିର ନିର୍ଦ୍ଦେଶକ ଡକ୍ଟର ଆର. କ୍ରିଷ୍ଣନ୍‌, ମିଜୋରାମର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଅଶୋକ କୁମାର ବିଶ୍ୱାଳ, ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନ୍‌ସେସ୍‌ (ଆଇଏଏସ୍‌)ର ଡିନ୍‌ ପ୍ରଫେସର ସନ୍ତୋଷ କୁମାର ରାଉତ ଏବଂ ଏଭର ଗ୍ରୀନ୍‌ ଫୋରମ୍‌ର ସଭାପତି ଡକ୍ଟର ପ୍ରକାଶ ଚନ୍ଦ୍ର ଜେନା ବକ୍ତବ୍ୟ ରଖିଥିଲେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ।

ଜଳବାୟୁ ପରିବର୍ତ୍ତନ ମନୁଷ୍ୟକୃତ ବୋଲି ଡକ୍ଟର କ୍ରିଷ୍ଣନ୍‌ କହିଛନ୍ତି।  ପରିବେଶ ସଂରକ୍ଷଣ ନିମନ୍ତେ ଦୃଢ଼ ପଦକ୍ଷେପ ନ ନେଲେ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିହେବ ନାହିଁ ବୋଲି ସେ ମତ ପ୍ରକାଶ କରିଛନ୍ତି। ସେହିପରି ଜଳ ସଂପଦର ଉଚିତ୍‌ ବ୍ୟବହାର ନ କଲେ ଓ ନବୀକରଣକ୍ଷମ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱ ନ ଦେଲେ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ସହଜ ହେବ ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଥିଲେ। ସ୍ଥାନୀୟ ଭାବେ ଉପଲବ୍ଧ ଜ୍ଞାନକୁ ମଧ୍ୟ ଏହି ପ୍ରକାର ସମସ୍ୟାକୁ ପ୍ରତିହତ କରିବା ନିମନ୍ତେ ବ୍ୟବହାର କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଜଳବାୟୁ ପରିବର୍ତ୍ତନ ଏକ ବିଶ୍ୱବ୍ୟାପୀ ଘଟଣା ହୋଇଥିବା ବେଳେ ଏହାକୁ ଏକ ସ୍ଥାନୀୟ ବିଷୟ ବୋଲି ସାଧାରଣ ଭାବେ ମନେ କରାଯାଉଥିଲା । ବିକାଶ ଉପରେ ଆମର ଦୃଷ୍ଟି ନିବଦ୍ଧ ହୋଇଥିବା ବେଳେ ଏହା ଦ୍ୱାରା ପରିବେଶ ଉପରେ ପଡ଼ୁଥିବା ପ୍ରଭାବକୁ ଆମେ ଅଣଦେଖା କରିଥିଲୁ। ଫଳରେ ପ୍ରକୃତି ଆମ ଉପରେ ଦାଉ ସାଧୁଛି ବୋଲି ପ୍ରଫେସର ନନ୍ଦ କହିଥିଲେ।

ଏହି କନ୍‌କ୍ଲେଭ୍‌ର ବିଭିନ୍ନ ଅଧିବେଶନରେ ସୋଆ ପରିଚାଳିତ ସେଣ୍ଟର ଫର କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର (ସିସିଏସ୍‌ଏ)ର ଡିଷ୍ଟିଙ୍ଗୁଇସ୍‌ଡ ପ୍ରଫେସର ଉମା ଚରଣ ମହାନ୍ତି, ଇନ୍‌ଟରନ୍ୟାସ୍‌ନାଲ୍‌ ସୋସାଇଟି ଫର୍‌ ଏଗ୍ରିକଲ୍‌ଚରାଲ୍‌ ମେଟିଓରୋଲୋଜିର ସଭାପତି ଡକ୍ଟର ନବାଂଶୁ ଚଟ୍ଟୋପାଧ୍ୟାୟ, ଆଇଏମ୍‌ଡି ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି, ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ମହାନ୍ତି, ସିସିଏସ୍‌ଏର ନିର୍ଦ୍ଦେଶକ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ଆଇସିଏଆର-ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ୱାଟର ମ୍ୟାନେଜମେଂଟ, ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ପ୍ରମୋଦ କୁମାର ପଣ୍ଡା ଓ ସୋଆର ଡିନ୍‌ (ସ୍ପନ୍ସର୍ଡ ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ କନ୍‌ସଲ୍‌ଟାନ୍ସି) ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Comments are closed.