Latest Odisha News

BREAKING NEWS

ଇଂଲଣ୍ଡ ସହ ଆଜି ଭାରତର ଟକ୍କର୍: ଜିତିଲେ ସେମିଫାଇନାଲ୍, ହାରିଲେ ପାକିସ୍ତାନକୁ କାଳ

ବର୍ମିଂହାମ: କ୍ରିକେଟର ମହାକୁମ୍ଭ ବିଶ୍ୱକପରେ ଆଜି ହେଉଛି ମହାମୁକାବିଲା । ସମଗ୍ର ବିଶ୍ୱର କ୍ରିକେଟପ୍ରେମୀ ଆଜି ଏହି ଜବରଦସ୍ତ ମ୍ୟାଚଟିକୁ ଅପେକ୍ଷା କରି ରହିଛନ୍ତି । କାରଣ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚର ଫଳାଫଳ ଉପରେ ବିଶ୍ୱକପର ସେମିଫାଇନାଲ୍ ନିର୍ଭର କରୁଛି । ଅଷ୍ଟ୍ରେଲିଆ ୧୪ ପଏଣ୍ଟ ସହିତ ତାଲିକାର ଶୀର୍ଷରେ ରହିଥିବା ବେଳେ ଆଉ ଗୋଟଏ ମ୍ୟାଚ ବାକି ରହିଛି ।


ମାତ୍ର ଭାରତ ଏଯାଏଁ ୫ଟି ବିଜୟ ସହିତ ୧୧ ପଏଣ୍ଟ ସହିତ ତାଲିକାର ୨ୟ ସ୍ଥାନରେ ରହିଛି । ଭାରତର ଆଉ ୩ଟି ମ୍ୟାଚ ଖେଳିବାକୁ ବାକି ରହିଥିବା ବେଳେ ସେମିଫାଇନାଲ୍ ଯିବାକୁ ଗୋଟିଏ ବିଜୟ ଆବଶ୍ୟକ ପଡୁଛି । ଆଜି ଶକ୍ତିଶାଳୀ ଇଂଲଣ୍ଡ ବିରୋଧରେ ମ୍ୟାଚ ରହିଥିବା ବେଳେ ଶ୍ରୀଲଙ୍କା ଏବଂ ବାଂଲାଦେଶ ପରି ଅପେକ୍ଷାକୃତ ଦୁର୍ବଳ ଦଳ ସହିତ ମ୍ୟାଚ ମଧ୍ୟ ବାକି ରହିଛି । ଯଦି ଇଂଲଣ୍ଡ ଆଜି ଭାରତକୁ ପରାସ୍ତ କରେ ତେବେ ପଏଣ୍ଟତାଲିକାରେ ପାକିସ୍ତାନକୁ ଟପିଯିବାର ସମ୍ଭାବନା ରହିଛି । ଫଳରେ ପାକିସ୍ତାନ ଖେଳିବାକୁ ଥିବା ଏକମାତ୍ର ମ୍ୟାଚରେ ବିଜୟ ହାସଲ କଲେ ମଧ୍ୟ ସେମିଫାଇନାଲ୍ ଯାଇପାରିବ ନାହିଁ ।

ତେଣୁ ଆଜି ଇଂଲଣ୍ଡ ଲାଗି ଏହି ମ୍ୟାଚ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଇଂଲଣ୍ଡ ଏହି ମ୍ୟାଚକୁ ଯେନତେନ ପ୍ରକାରେଣ ଜିତିବାକୁ ଚେଷ୍ଟା କରିବ । ଇଂଲଣ୍ଡ ୭ଟି ମ୍ୟାଚ ଏଯାଏଁ ଖେଳିଥିବା ବେଳେ ଆଜିକୁ ଲଗାଇ ଆଉ ଦୁଇଟି ମ୍ୟାଚ ଖେଳିବ । ଇଂଲଣ୍ଡ ଏହି ଦୁଇଟି ମ୍ୟାଚ ଜିତି ସେମିଫାଇନାଲ୍ ଖେଳିବାକୁ ମନସ୍ଥ କରିସାରିଛି ।

ଭାରତୀୟ ଦଳ ଆଜିର ଏହି ଇଂଲଣ୍ଡ ବିପକ୍ଷ ମ୍ୟାଚକୁ ବେଶ୍ ଗୁରୁତ୍ୱର ସହିତ ନେବ । କାରଣ ଆଫଗାନିସ୍ତାନ ବିପକ୍ଷରେ ଯେଉଁ ଭୁଲ ଭାରତ କରିଛି ତାହାକୁ କୌଣସି ମ୍ୟାଚରେ ଦୋହରାଇବ ନାହିଁ । ତେଣୁ ଭାରତ ମଧ୍ୟ ଏହି ମ୍ୟାଚ ଜିତି ସେମିଫାଇନାଲ ଚାପରୁ ମୁକ୍ତ ହେବାକୁ ଚେଷ୍ଟା କରିବ । କାରଣ ଭାରତ ଆଗାମୀ ମ୍ୟାଚ ବାଂଲାଦେଶ ଓ ଶ୍ରଲଙ୍କା ଦଳ ସହିତ ଖେଳିବ । ବିଶ୍ୱକପରେ ଏହି ଦୁଇଟି ଦଳ ଯେକୌଣସି ଦଳକୁ ପରାଜିତ କରିବାର କ୍ଷମତା ରଖିଛନ୍ତି ।

ଭାରତୀୟ ଦଳ:

ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନୀ, ରିଷଭ ପନ୍ଥ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦର୍ ଚହଲ୍, ଯଶପ୍ରୀତ ବୁମରା, ମହମ୍ମଦ ସାମି ।

ଇଂଲଣ୍ଡ ଦଳ:

ଇୟାନ ମୋର୍ଗାନ (ଅଧିନାୟକ), ବେୟାରଷ୍ଟୋ, ଜାଶନ ରଏ, ଜୋଏ ରୁଟ, ବଟଲର୍, ମୋଇନ ଅଲ୍ଲୀ, ମାର୍କ ଉଡ୍, ପ୍ଲଙ୍କେଟ, ଜୋଫ୍ରା ଆର୍ଚର, ଆଦିଲ୍ ରସିଦ ।

ଟିମ୍ ଇଣ୍ଡିଆର ବ୍ୟାଟିଂ ଉପରେ ଆଜି ଦଳର ବିଜୟ ନିର୍ଭର କରୁଛି । ଦଳର ବୋଲିଂ ବିଭାଗ ଏବେ ସମ୍ପୂର୍ଣ୍ଣ ଭାବେ ସନ୍ତୁଳିତ ରହିଛି । ମହମ୍ମଦ ସାମିଙ୍କୁ ଯଶପ୍ରୀତ ବୁମରା ସାଥ ଦେବେ । କୁଲଦୀପ ଯାଦବ ଓ ଚହଲ ସ୍ପିନ ବିଭାଗ ସମ୍ଭାଳିବେ । ତେବେ ରୋହିତ ଶର୍ମା, ନିଜେ କପ୍ତାନ କୋହଲୀ ଏବଂ ଧୋନୀଙ୍କ ସହିତ ହାର୍ଦ୍ଦିକ ପାଣ୍ଡ୍ୟା ଯଦି ଏହି ମ୍ୟାଚରେ ଭଲ ଖେଳନ୍ତି ତେବେ ଇଂଲଣ୍ଡ ଲାଗି ମ୍ୟାଚ ଜିତିବା କଷ୍ଟକର ହୋଇ ପଡ଼ିବ ।

ଘରୋଇ ଦର୍ଶକଙ୍କ ସମ୍ମୁଖରେ ଆୟୋଜକ ଇଂଲଣ୍ଡ ବେଶ୍ ଉତ୍ସାହର ସହିତ ମ୍ୟାଚ ଖେଳିବ । କିନ୍ତୁ ଆଜିର ମ୍ୟାଚରେ ଭାରତୀୟ ଦର୍ଶକ ଏହି ଷ୍ଟାଡ଼ିୟମରେ ଟିମ୍ ଇଣ୍ଡିଆକୁ ଅଧିକ ଉତ୍ସାହିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ମ୍ୟାଚ ନସରିବା ପର୍ଯ୍ୟନ୍ତ ଭାରତ-ପାକିସ୍ତାନ ଏବଂ ଇଂଲଣ୍ଡର ସେମିଫାଇନାଲ ଖେଳିବାର ନିଶ୍ଚିତତା ସମ୍ପର୍କରେ ଆକଳନ କରିବା କଷ୍ଟକର ।

Leave A Reply

Your email address will not be published.