Latest Odisha News

BREAKING NEWS

ବିଶ୍ୱକପ ଜିତିବାର ସୁଯୋଗ ଆମେ ହାତଛଡ଼ା କରିବୁନାହିଁ: ବିରାଟ କୋହଲୀ

ଲଣ୍ଡନ: ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲ୍ରେ ଭାରତ ଭେଟୁଛି ନ୍ୟୁଜିଲାଣ୍ଡକୁ । ମଙ୍ଗଳବାର ଦିନ ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଭେଟୁଥିବା ବେଳେ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଦାବିଦାର ଅଷ୍ଟ୍ରେଲିଆ ଭେଟୁଛି ଶକ୍ତିଶାଳୀ ଇଂଲଣ୍ଡ ଦଳକୁ ।

ଭାରତୀୟ ଅଧିନାୟକ ବିରାଟ କୋହଲୀ ସେମିଫାଇନାଲ ଖେଳିବା ପୂର୍ବରୁ କହିଛନ୍ତି ଯେ, ଆମେ ଟୁର୍ଣ୍ଣାମେଣ୍ଟରେ ଲଗାତର ଭଲ ପ୍ରଦର୍ଶନ କରିଆସିଛୁ । ପ୍ରତ୍ୟେକ ମ୍ୟାଚରେ ସମସ୍ତ ଖେଳାଳି ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଭଲ ପ୍ରଦର୍ଶନ କରିଆସୁଛନ୍ତି । ତେଣୁ ଆମେ ସେମିଫାଇନାଲ୍ ଜିତି ଫାଇନାଲ୍ ଖେଳିବାକୁ ସାଧ୍ୟମତେ ଚେଷ୍ଟା କରିବୁ । ମ୍ୟାଚ୍ ଜିତିବା ଲାଗି ସମସ୍ତ କ୍ଷମତା ଆମଦଳରେ ରହିଛି । ବିଶ୍ୱକପ୍ ଜିତିବା ଲାଗି ଏହା ଏକ ଭଲ ସୁଯୋଗ, ଆମେ ଏହାକୁ ହାତଛଡ଼ା କରିବୁ ନାହିଁ, ବୋଲି କହିଛନ୍ତି କପ୍ତାନ ବିରାଟ କୋହଲୀ ।

କିଏ ନେବ ବିଶ୍ୱକପ? ଫାଇନାଲକୁ କେଉଁ ଦୁଇଟି ଦଳ ଯିବେ? ଏମିତି କିଛି ପ୍ରଶ୍ନ କ୍ରିକେଟପ୍ରେମୀମାନେ ସେମିଫାଇନାଲ୍ ପୂର୍ବରୁ ଆଲୋଚନା କରିବା ସ୍ୱଭାବିକ । ମାତ୍ର ଦେଖିବାକୁ ଗଲେ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ ଖେଳିବା ନିଶ୍ଚିତ ବୋଲି ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରୁ ଜଣା ପଡ଼ିସାରିଥିଲା । ଏବେ କ୍ରିକେଟ ବିଶାରଦଙ୍କ ଆକଳନ ଅନୁଯାୟୀ, ବିଶ୍ୱକପ ଫାଇନାଲ୍ ଭାରତ ବନାମ ଇଂଲଣ୍ଡ କିମ୍ବା ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରଥମ ସେମିଫାଇନାଲରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଦଳକୁ ପରାସ୍ତ କରିବାକୁ ସମସ୍ତ କ୍ଷମତା ରଖିଛି । ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ସମେତ ସମସ୍ତ ଦଳକୁ ପରାସ୍ତ କରିଛି ବିରାଟଙ୍କ ଭାରତୀୟ ଟିମ୍ । ଇଂଲଣ୍ଡଠାରୁ ପରାଜୟ ବରଣ କରିଥିଲେ ମଧ୍ୟ ଦଳ ଶୋଚନୀୟ ଭାବେ ପରାସ୍ତ ହୋଇନାହିଁ, କିମ୍ବା ଭାରତ ମ୍ୟାଚରେ ଖରାପ ଖେଳ ପ୍ରଦର୍ଶନ କରିନାହିଁ । ଇଂଲଣ୍ଡ ଦଳ ଘରୋଇ ପିଚର ସଦୁପଯୋଗ କରି ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରି ମ୍ୟାଚ୍ ଭାରତଠୁଁ ଛଡ଼େଇ ନେଇଥିଲା ।

ଭାରତୀୟ ଦଳ ଏକ ହାଇ-ଭୋଲଟେଜ୍ ମ୍ୟାଚ୍ ଖେଳି ପାକିସ୍ତାନଠୁଁ ଜିତିପାରିଛି । ଯାହାକି ଦଳର ମନୋବଳ ବୃଦ୍ଧି ପାଇପାରିଛି । ବ୍ୟାଟିଂରେ ରୋହିତ ଶର୍ମା, କେ ଏଲ ରାହୁଲ, କପ୍ତାନ କୋହଲୀ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଧୋନୀଙ୍କ ସମେତ ଅନ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ଆବଶ୍ୟକସ୍ଥଳରେ ଭଲ ପ୍ରଦର୍ଶନ କରିଛନ୍ତି । ରୋହିତ ଶର୍ମା ଲଗାତର ଭଲ ଫର୍ମରେ ରହି ୫ଟି ଶତକୀୟ ଇନିଂସ ଖେଳିଛନ୍ତି ଯାହାକି ଦଳର ପ୍ଲସ୍ ପଏଣ୍ଟ । ଅନ୍ୟପକ୍ଷରେ ଭୁବନେଶ୍ୱର କୁମାର, ବୁମରା, ମହମ୍ମଦ ସାମି, ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ସମସ୍ତ ଲିଗ୍ ମ୍ୟାଚରେ ମାପଚୁପ ବୋଲିଂ ପ୍ରଦର୍ଶନ କରିଛନ୍ତି । ସେହିପରି ଚହଲ୍ ଏବଂ କୁଲଦୀପ ଯାଦବ ସ୍ପିନ୍ ବିଭାଗ ଠିକ୍ ଭାବେ ତୁଲାଇ ବୋଲିଂ ବିଭାଗର ସନ୍ତୁଳନ ରକ୍ଷା କରିପାରିଛନ୍ତି ।

ନ୍ୟୁଜିଲାଣ୍ଡ ଏହି ସେମିଫାଇନାଲରେ ଭାରତ ଅପେକ୍ଷା ଅଧିକ ଚାପରେ ରହିବାର ସମ୍ଭାବନା ରହିଛି । କିୱି ଦଳର ସାମର୍ଥ୍ୟ ତା’ର ବ୍ୟାଟିଂ ଅପେକ୍ଷା ବୋଲିଂ ଉପରେ ଅଧିକ ନିର୍ଭରଶୀଳ । ଦଳରେ ଅନେକ ବିଶ୍ୱସ୍ତରୀୟ ଫାଷ୍ଟ ବୋଲର୍ ରହିଛନ୍ତି । ଦଳର ୧ ନଂ ବୋଲର୍ ଟ୍ରେଣ୍ଟ୍ ବୋଲ୍ଟ ଏବଂ ଅନୁଭବୀ ବୋଲର୍ ଲକ୍କି ଫର୍ଗୁସନ ଏବଂ ହେନେରୀଙ୍କ ଉପରେ ବୋଲିଂ ବିଭାଗ ଅନେକ କିଛି ଆଶା କରୁଛି । ସେହିପରି ମାଟ୍ ହେନେରୀ ଏବଂ ଟିମ୍ ସାଉଦିଙ୍କ ପରି ବିଶ୍ୱସ୍ତରୀୟ ବୋଲରଙ୍କଠାରୁ ଦଳ କିଛି ଚମତ୍କାରିତା ଆଶା କରୁଛି ।

କିୱି କପ୍ତାନ କେନ୍ ୱିଲିୟମସନଙ୍କ ସମେତ ରୋସ୍ ଟେଲର୍, ଗ୍ରାଣ୍ଡହୋମ, ମାର୍ଟିନ୍ ଗୁପ୍ତିଲ ଏବଂ ୱିକେଟ ରକ୍ଷକ ଟମ୍ ଲାଥାମ ଦଳର ବ୍ୟାଟିଂ ଦାୟିତ୍ୱ ସମ୍ଭାଳିବେ ।

ଭାରତୀୟ ଦଳର ୫ ଜଣ ବ୍ୟାଟ୍ସମ୍ୟାନ ଏବେ ଭଲ ଫର୍ମରେ ରହିଛନ୍ତି, ଯାହାକି ବିପକ୍ଷ ଦଳର ଚିନ୍ତାର ବିଷୟ ପାଲଟିଛି । କିୱି ଦଳର ମ୍ୟାଚ୍ ରଣନୀତି ଅନୁଯାୟୀ ରୋହିତ ଶର୍ମା ଓ ବିରାଟ କୋହଲୀଙ୍କୁ ସହଳ ଆଉଟ କରିବା ଲକ୍ଷ୍ୟରେ ରହିଛନ୍ତି କପ୍ତାନ ୱିଲିୟମସନ । କପ୍ତାନ ବିରାଟ କୋହଲୀ ଏହି ମ୍ୟାଚରେ ରୋହିତ, ରାହୁଲ, ରିଷଭ, ହାର୍ଦ୍ଦିକ ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ଠାରୁ ବ୍ୟାଟିଂରେ ଭଲ ପ୍ରଦର୍ଶନ ଆଶା ରଖିଛନ୍ତି । ବିରାଟ କୋହଲୀ ଏବେ ପୂର୍ବାପେକ୍ଷା ଅଧିକ ଚାପରେ ରହୁନଥିବା ଦଳ ଲାଗି ଏକ ଶୁଭ ଲକ୍ଷଣ, କାରଣ ତାଙ୍କର ସମସ୍ତ ବ୍ୟାଟ୍ସମ୍ୟାନ ଆଶାନୁରୂପ ବ୍ୟାଟିଂ ପ୍ରଦର୍ଶନ କରୁଛନ୍ତି । ଏବେ ଦେଖିବାକୁ ବାକି ରହିଲା, ବର୍ଷା ଯୋଗୁଁ ନ୍ୟୁଜିଲାଣ୍ଡ ସହିତ ମ୍ୟାଚ ଖେଳିପାରିନଥିବା ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ଜିତିବାକୁ କେଉଁ ରଣନୀତି ଅବଲମ୍ବନ କରୁଛି ।

Leave A Reply

Your email address will not be published.