Latest Odisha News

BREAKING NEWS

ବିଶ୍ୱକପରେ କିପରି ସଭିଙ୍କ ହୃଦୟ ଜିଣିଲେ ୮୭ ବର୍ଷୀୟା କ୍ରିକେଟ୍ ଫ୍ୟାନ୍, ଜାଣନ୍ତୁ

ବର୍ମିଂହାମ୍: ଚଳିତ ବିଶ୍ୱକପରେ ଏବେ ପ୍ରତିଟି ମ୍ୟାଚକୁ ନେଇ ଯେତିକି ଆଲୋଚନା ହେଉଛି ତା’ଠୁଁ ବଳିଯାଇଛି ଜଣେ ୮୭ ବର୍ଷୀୟା ଭାରତୀୟ ଫାନଙ୍କୁ ନେଇ ଚର୍ଚ୍ଚା । ଭାରତୀୟ କ୍ରିକେଟ ଟିମର ବୟୋଜ୍ୟେଷ୍ଠ ଫ୍ୟାନ ହେଲେ ଚାରୁଲତା ପଟେଲ୍ । ଇଂଲଣ୍ଡର କ୍ରିକେଟ ଷ୍ଟାଡ଼ିୟମରେ ମ୍ୟାଚ୍ ଦେଖିବାର ନିଶା ଆଗରେ ବୟସ ମଧ୍ୟ ହାର୍ ମାନିଛି । ବୁଧବାର ଦିନ ଭାରତ ଓ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା କ୍ରିକେଟ ମ୍ୟାଚରେ ଭାରତକୁ ଜିତାଇ ସେମିଫାଇନାଲରେ ପହଞ୍ଚାଇବାକୁ ଏହି ୮୭ ବର୍ଷୀୟା ମହିଳା ଫ୍ୟାନ୍ ଜଣକ ପେଁକାଳୀ ବଜାଇ ଉତ୍ସାହିତ କରୁଥିବାର ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଯାଇଛି । ଶେଷରେ ଭାରତ ଏହି ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଥିଲା ।

ବୟୋଜ୍ୟେଷ୍ଠ ଭାରତୀୟ କ୍ରିକେଟ୍ ଫ୍ୟାନ୍ ଚାରୁଲତା ପଟେଲ ମ୍ୟାଚ୍ ସାରା ବିରାଟ କୋହଲୀ ଏବଂ ତାଙ୍କ ଦଳକୁ ତାଙ୍କର ରଙ୍ଗୀନ ଟ୍ରମ୍ପେଟ୍ ବଜାଇ ଉତ୍ସାହିତ କରୁଥିବା ଦେଖାଯାଇଥିଲା ।


ଟିଭି କ୍ୟାମେରା ବାରମ୍ବାର ତାଙ୍କ ପେଁ’କାଳୀ ବଜାଇବାର ଦୃଶ୍ୟକୁ ଉତ୍ତୋଳିତ କରୁଥିବାରୁ ଏହା ଏବେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକୃତରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରତିଟି ଚୌକା ଓ ଛକାରେ ଏହି ମହିଳା ଜଣକ ଖୁସିରେ ଅଧିରା ହୋଇପଡୁଥିଲେ । ଟ୍ରମ୍ପେଟ୍ ବଜାଇ ଚୌକା/ଛକାର ସେଲେବ୍ରେଟ୍ କରୁଥିଲେ ।

ସେ ତ୍ରିରଙ୍ଗାର ସ୍କାର୍ଫ ପିନ୍ଧି ହାତରେ ଧରିଥିଲେ ଭାରତୀୟ ଜାତୀୟ ପତାକା । ମ୍ୟାଚକୁ ଉପଭୋଗ କରିବା ସହିତ ପ୍ରତି ମୂହୁର୍ତ୍ତରେ ଚାରୁଲତା ନିଜ ଦଳକୁ ଉତ୍ସାହିତ କରୁଥିଲେ ।

ମ୍ୟାଚ ଶେଷରେ ବିଜୟୀ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲୀ ଚାରୁଲତାଙ୍କୁ ଦର୍ଶକଙ୍କ ଷ୍ଟାଣ୍ଡରେ ଭେଟିଥିଲେ । ବିରାଟ ମହିଳାଙ୍କୁ ପ୍ରଥମେ ନମସ୍କାର କରି ତାଙ୍କ ସହିତ କିଛିସମୟ କଥାବାର୍ତ୍ତା ମଧ୍ୟ କରିଥିବାର ଦେଖାଯାଇଥିଲା ।


ଏସମ୍ପର୍କରେ ଟ୍ୱିିଟ୍ କରି ବିରାଟ ଲେଖିଛନ୍ତି, “ମୁଁ ସମସ୍ତ ଭାରତୀୟ ଫ୍ୟାନଙ୍କୁ ଅଜସ୍ର ଧନ୍ୟବାଦ ଜଣାଉଛି । ମୁଁ ସ୍ୱତନ୍ତ୍ର ଭାବେ ଚାରୁଲତାଜୀଙ୍କୁ ମୋର ସମ୍ମାନ ଓ ଧନ୍ୟବାଦ ଜ୍ଞାପନ କରୁଛି । ୮୭ ବର୍ଷୀୟା ଚାରୁଲତାଜୀଙ୍କ ପରି ଜଣେ ସମର୍ପିତ ଭାବନାର ଭାରତୀୟ ଫ୍ୟାନଙ୍କୁ ମୋ ଜୀବନରେ ପ୍ରଥମଥର ଲାଗି ଦେଖିଲି । ପ୍ରକୃତରେ ବୟସରେ କେବଳ ସଂଖ୍ୟା ଥାଏ, ମାତ୍ର ଖେଳ ପ୍ରତି ଆଗ୍ରହ ଏବଂ ସମର୍ପଣ ଅନେକ ଯୋଜନକୁ ନେଇଯାଇଥାଏ । ଆଗାମୀ ମ୍ୟାଚ ନିମନ୍ତେ ମୁଁ ତାଙ୍କଠୁଁ ଆଶୀର୍ବାଦ କାମନା କରୁଛି ।”

ଖାଲି ସେତିକିନୁହେଁ, ଚାରୁଲତାଙ୍କ କ୍ରିକେଟ ପ୍ରତି ସମର୍ପଣ ଭାବନା ତଥା ଭାରତୀୟ ଦଳକୁ ସେ କରୁଥିବା ସମର୍ଥନରେ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରାଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଭାରତୀୟ ଦଳ ପ୍ରତି ଚାରୁଲତାଙ୍କ ସମର୍ଥନ ଏବଂ ଭାରତୀୟ ଦଳ ପ୍ରତି ଉତ୍ସର୍ଗୀକୃତ ଭାବନାକୁ ଟ୍ୱିଟ୍ କରି ବେଶ୍ ପ୍ରଶଂସା କରିଛନ୍ତି ।

ଆନନ୍ଦ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ମୋ ବିଶ୍ୱାସ ଅନୁଯାୟୀ, ମୁଁ ଖେଳ ଦେଖୁନଥିଲି । ମାତ୍ର, ଏହି ମହିଳାଙ୍କ ପରି ଫ୍ୟାନଙ୍କୁ ଦେଖିବାକୁ ମୁଁ ଏବେ ନିଶ୍ଚିତ ଭାବେ ଭାରତ ଆଗାମୀ ସମସ୍ତ ମ୍ୟାଚ୍ ଦେଖିବି । ସେ ମୋତେ ମ୍ୟାଚ୍ ବିଜୟିନୀ ପରି ଲାଗୁଛନ୍ତି ।

ସେ ଭାରତୀୟ ଦଳକୁ କହିଛନ୍ତି ଯେ, ଏହି ମହିଳା ଯେପରି ଆଗାମୀ ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚରେ ଚାରୁଲତା ଉପସ୍ଥିତ ରହି ଭାରତକୁ ସମର୍ଥନ କରନ୍ତି । ସେ ଆହୁରି ମଧ୍ୟ ଟ୍ୱିଟ୍ କରି କହିଛନ୍ତି, ମୁଁ କଥା ଦେଉଛି, ସେ କିଏ ତାଙ୍କୁ ଖୋଜି ବାହାର କର, ବାକି ସମସ୍ତ ମ୍ୟାଚ ଗୁଡ଼ିକ ଦେଖିବା ଲାଗି ମୁଁ ତାଙ୍କର ଟିକେଟ ମୂଲ୍ୟ ଦେଇଦେବି ।

Leave A Reply

Your email address will not be published.