ବଢିଚାଲିଛି ମଧୁମେହ: ଜାଣନ୍ତୁ କିପରି ନିଜ ପିଲାଙ୍କୁ ଏଥିରୁ ବଞ୍ଚିତ ରଖିବେ? ପୂର୍ବ ସଙ୍କେତ ଦେଇଥାଏ ଏହି ସବୁ ଲକ୍ଷଣ….
ଭୁବନେଶ୍ବର: ଦିନକୁ ଦିନ ଅନିୟନ୍ତ୍ରିତ ହେବାରେ ଲାଗିଛି ମଧୁମେହ । ଗତ କିଛି ବର୍ଷ ହେଲା ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ଉପରମୁହାଁ ରହିଥିବା ବେଳେ ୨୦୨୩ ସୁଦ୍ଧା ୧୧.୪ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ୨୦୨୧ ଅପେକ୍ଷା ୩୬ ପ୍ରତିଶତ ଅଧିକ । ଏପରିକି ଭାରତକୁ ଏବେ ଡାଏବେଟିକ୍ କ୍ୟାପିଟାଲ ବା ମଧୁମେହର ରାଜଧାନୀ ବୋଲି ମଧ୍ୟ କୁହାଯାଉଛି । ତେବେ ପୂର୍ବରୁ ମୁଖ୍ୟତଃ ୪୦ ବର୍ଷ ପରେ ଲୋକଙ୍କୁ ମଧୁମେହ ହେଉଥିବା ବେଳେ ଆଜିକାଲି ପ୍ରାୟ ଛୋଟ ପିଲାମାନେ ମଧ୍ୟ ଏହାଦ୍ୱାରା ପୀଡ଼ିତ ହେଉଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ରୋଗରେ ପୀଡ଼ିତ ଅଧାରୁ ଅଧିକାଂଶ ବ୍ୟକ୍ତିଙ୍କୁ ମଧୁମେହ ହୋଇଥିବା କଥା ସେମାନେ ଜାଣିପାରନ୍ତି ହିଁ ନାହିଁ।
ଏଭଳି କ୍ଷେତ୍ରରେ ଆଜି ବିଶ୍ବ ମଧୁମେହ ଦିବସ ଅବସରରେ ଆପଣ ନିହାତି ଜାଣିବା ଦରକାର କି ମଧୁମେହ ହେବା ମାତ୍ରେ ଆମ ଶରୀର ଆମକୁ କିଛି ସଙ୍କେତ ଦେଇଥାଏ । ତେବେ ଶରୀରରେ ଅନିୟନ୍ତ୍ରିତ ରକ୍ତ ଶର୍କରା ମଧୁମେହ ସୃଷ୍ଟିକରେ । ଯଦି ଆମ ଶରୀର ଆବଶ୍ୟକ ଅନୁଯାୟୀ ଇନସୁଲିନ୍ ଉତ୍ପାଦନ କରେ ନାହିଁ କିମ୍ବା ସୃଷ୍ଟି ହେଉଥିବା ଇନସୁଲିନକୁ ବ୍ୟବହାର କରେନାହିଁ , ତାହେଲେ ଆମ ଶରୀରରେ ରକ୍ତ ଶର୍କରାର ହାର ବୃଦ୍ଧି ପାଇଥାଏ ।
ତେବେ ମଧୁମେହ ମୁଖ୍ୟତଃ ଦୁଇପ୍ରକାରର ହୋଇଥାଏ, ଟାଇପ୍-୧, ଏହା ଯେକୌଣସି ବୟସର ବ୍ୟକ୍ତିଙ୍କ ଠାରେ ଦେଖାଯାଇପାରେ । ଏମିତିକି ପିଲାବସ୍ଥା କିମ୍ବା ଯୁବାବସ୍ଥାରେ ମଧ୍ୟ । ଅନ୍ୟଟି ହେଲା, ଟାଇପ୍-୨, ଯାହା ମୁଖ୍ୟତଃ ୪୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଖରେ ଦୃଶ୍ୟମାନ ହୋଇଥାଏ । କିନ୍ତୁ ଖାଦ୍ୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଏବେ ଏହା ଯୁବବସ୍ଥାରେ ମଧ୍ୟ ସାଧାରଣତଃ ଦେଖାଯାଉଛି ।
ତେବେ ଜାଣନ୍ତୁ କି କି ସଙ୍କେତ ଦିଏ ଶରୀର?:
ତେବେ ମଧୁମେହ ରୋଗ ଶରୀରରେ ସୃଷ୍ଟି ହେବା ମାତ୍ରେ ହିଁ, ବାରମ୍ବାର ପରିସ୍ରା ଲାଗିବା, ଶୋଷ ଲାଗିବା କିମ୍ବା ଅଧିକ ଭୋକ ଲାଗିବା, ହଠାତ୍ ଓଜନ କମିଯିବା, ଆଖିକୁ ଜାଳଜାଳୁଆ ଦିଶିବା, ଘା ଶୀଘ୍ର ନଶୁଖିବା, ଚର୍ମ ରୋଗ ଦେଖାଦେବା, ଥକ୍କା ଲାଗିବା, କ୍ରୋଧ ଏବଂ ଚିଡିଚିଡାପଣ ଅନୁଭବ ହେବା ଭଳି ସଙ୍କେତ ଦେଖା ଦେଇଥାଏ । ଏହି ସବୁ ସଙ୍କେତ ଶରୀରେ ଦେଖାଯିବା ମାତ୍ରେ ସଙ୍ଗେ ସଙ୍ଗେ ରକ୍ତ ପରୀକ୍ଷା କରନ୍ତୁ । ତେବେ ଆମ ଶରୀରର ଖାଲି ପେଟରେ ଥିବା ବେଳେ ରକ୍ତ ଶର୍କରା ସ୍ତର ୭୦-୧୦୦ ହେଉଛି ସାଧାରଣ। ଯଦି ଏହା ୧୨୫ରୁ ଅଧିକ ରହୁଛି ତାହା ହେଲେ ପ୍ରି ଡାଏବେଟିସ୍ ଅବସ୍ଥା। ତା’ ଠାରୁ ଅଧିକ କିମ୍ବା ୧୪୦ ଛୁଇଁଲେ ବ୍ୟକ୍ତି ମଧୁମେହରେ ପୀଡ଼ିତ ବୋଲି ଧରି ନିଆଯାଇଥାଏ।
ତେବେ ମଧୁମେହର ଅନେକ କାରଣ ରହିଛି । ଅନେକ ସମୟରେ ଏହା ବଂଶଗତ ହୋଇଥିବା ବେଳେ ଅନ୍ୟ କିଛି କ୍ଷେତ୍ରରେ ଅନିୟନ୍ତ୍ରିତ ଜୀବନଶୈଳୀ, ଯେମିତିକି ଅତ୍ୟଧିକ ମୋଟାପଣ, ଶାରୀରିକ ପରିଶ୍ରମ ନକରିବା, ଅତ୍ୟଧିକ ଜଙ୍କ୍ ଫୁଡ୍ ତଥା ତେଲ ଜାତୀୟ ଖାଦ୍ୟ ଖାଇବା, ପୋଷକଯୁକ୍ତ ଖାଇବାର ଅଭାବ, ମାନସିକ ଅବସାଦ ସମେତ ଶରୀରରେ ହରମୋନ ଅନିୟନ୍ତ୍ରିତ ହେବା ଦ୍ବାରା ମଧୁମେହ ରୋଗ ହୋଇଥାଏ ।
ତେବେ ଡାଇବେଟିସ କିମ୍ବା ମଧୁମେହ ହେବା ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରି ଏନେଇ ପଦକ୍ଷେପ ନିଅନ୍ତୁ । ଏଥିସହିତ ମଧୁମେହରୁ ବଞ୍ଚିବା ପାଇଁ ନିୟମିତ ବ୍ୟୟାମ କରନ୍ତୁ । ଏଥିପାଇଁ ସକାଳୁ କିଛି ସମୟ ଚାଲିବା ଏବଂ ଦୌଡିବା, ଧନୁରାସନ, କପାଳଭାତି, ପଶ୍ଚିମୋତ୍ତାନାଶନ ଏବଂ ଶବାସନ ଭଳି ଯୋଗ ଅଭ୍ୟାସ କରିବେ ଉଚିତ୍ । ଏତିସହିତ ପୋଷକ ଯୁକ୍ତି ଖାଦ୍ୟ ଖାଇବା ଉଚିତ୍ ।