ନୂଆଦିଲ୍ଲୀ: ବିଶ୍ବ ଜାଣିଛି ଆତଙ୍କବାଦର କେନ୍ଦ୍ର କିଏ?, ତେଣୁ ପର ଉପରେ ଦୋଷ ନ ଲଦି ନିଜ ଦୋଷ ଦେଖିୁ ପାକିସ୍ତାନ । ଭାରତ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା, ନେଇ ପାକିସ୍ତାନ ଅଭିଯୋଗ କରିବା ପରେ, ଏବେ ଏହାକୁ ପ୍ରତ୍ୟାଖ୍ୟାନ କରି କିଛି ଏପରି କହି ବର୍ଷିଛି ଭାରତ ।
ଏନେଇ ଭାରତର ବୈଦିଶିକ ବ୍ୟାପାର ମନ୍ତ୍ରାଳୟ. ପାକିସ୍ତାନ ଦେଇଥିବା ମନ୍ତବ୍ୟକୁ ଦୃଢ ପ୍ରତ୍ୟାଖ୍ୟାନ କରିବା ସହ ପାକିସ୍ତାନକୁ କଡା ନିନ୍ଦା କରିଛି । କହିଛି, ଆମେ ପାକିସ୍ତାନ ଦ୍ୱାରା କରାଯାଇଥିବା ଭିତ୍ତିହୀନ ଅଭିଯୋଗକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରୁଛୁ। ବିଶ୍ୱ ଭଲ ଭାବରେ ଜାଣିଛି ଯେ, ଆତଙ୍କବାଦର ପ୍ରକୃତ କେନ୍ଦ୍ର କେଉଁଠାରେ ରହିଛି । ଇସଲାମାବାଦ ଭାରତକୁ ଆତଙ୍କବାଦ କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ଦାୟୀ କରୁଛି, ହେଲେ ପାକିସ୍ତାନ ନିଜ ଆଭ୍ୟନ୍ତରୀଣ ସମସ୍ୟା ଏବଂ ବିଫଳତାର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା ପରିବର୍ତ୍ତେ ନିଜ ଦୋଷ ଉପରେ ବିଶେଷ ଗୁରୁତ୍ବ ଦେବା ଉଚିତ୍ ।
ତେବେ ସାମ୍ପ୍ରତିକ ବେଲୁଚିସ୍ତାନ ଟ୍ରେନ ହାଇଜାକ ପରେ ଭାରତକୁ ଆତଙ୍କବାଦ ସମର୍ଥକ ବୋଲି କହିଥିଲା ପାକିସ୍ତାନ । ଯେଉଁଥିରେ ପ୍ରାୟ ୨୧ ଜଣ ଯାତ୍ରୀଙ୍କ ଜୀବନ ଯାଇଛି । ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର, ଶଫକତ ଅଲି ଖାନ ଦାବି କରିଥିଲେ, ଜାଫର ଏକ୍ସପ୍ରେସ୍ ଉପରେ ଆକ୍ରମଣରେ ସମ୍ପୃକ୍ତ ବିଦ୍ରୋହୀମାନେ ଆଫଗାନିସ୍ତାନର ରିଙ୍ଗ୍ ନେତାମାନଙ୍କ ସହିତ ଯୋଗାଯୋଗରେ ଥିଲେ । ଯଦିଓ ପାକିସ୍ତାନ ପ୍ରାୟତଃ ଭାରତକୁ ବାଲୁଚି ବିଚ୍ଛିନ୍ନତାବାଦୀ ଗୋଷ୍ଠୀଗୁଡ଼ିକୁ ସମର୍ଥନ କରିବା ପାଇଁ ଦାୟୀ କରିଆସୁଛି, ଏଥର କିନ୍ତୁ ଏହାର ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ଶଫକତ ଅଲି ଖାନ ଆକ୍ରମଣର ସମନ୍ୱୟର ଉତ୍ସ ଭାବରେ ଆଫଗାନିସ୍ତାନକୁ ସୂଚାଇଛନ୍ତି । କହିଛନ୍ତି, ଆମର ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଭାରତ ପାକିସ୍ତାନ ବିରୁଦ୍ଧରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବାରେ ସାମିଲ ଅଛି ।
ଖାନ ଆହୁରି ମଧ୍ୟ ଭାରତକୁ ବିଶ୍ୱବ୍ୟାପୀ ହତ୍ୟା ଅଭିଯାନ ଚଳାଇବା ଏବଂ ଏହାର ପଡ଼ୋଶୀ ଦେଶଗୁଡ଼ିକୁ ଅସ୍ଥିର କରିବା ଭଳି ଅଭିଯୋଗ କରିଥିଲେ । ସେ ଭାରତୀୟ ଗଣମାଧ୍ୟମକୁ ମଧ୍ୟ ଟାର୍ଗେଟ କରି ଦାବି କରିଥିଲେ ଯେ, ଭାରତ ପାକିସ୍ତାନ ଆତଙ୍କବାଦୀ ସଂସ୍ଥା, ବେଲୁଚିସ୍ତାନ ଲିବରେସନ ଆର୍ମି(ବିଏଲଏ)କୁ ଅଧିକ ବଢେଇ ଚଢେଇ ମହିମା ପ୍ରଦାନ କରୁଛି ।