Latest Odisha News

BREAKING NEWS

ବିଶ୍ୱରେ ୪୦ କୋଟି ଲୋକ ହେପାଟାଇଟିସ୍‌-ବି ସଂକ୍ରମିତ

ଭୁବନେଶ୍ୱର : ବିଶ୍ୱରେ ୪୦ କୋଟି ଲୋକ ହେପାଟାଇଟିସ୍‌-ବି ସଂକ୍ରମିତ ସେଥିରୁ ୯୫ ପ୍ରତିଶତ ନିଜ ରୋଗକୁ ନେଇ ଅଜ୍ଞ । ହେପାଟାଇଟିସ୍‌-ବି ଏଚ୍‌ଆଇଭି ଠାରୁ ଶତ ପ୍ରତିଶତ ସଂକ୍ରାମକ ଏବଂ ବିଶ୍ୱର ସବୁଠାରୁବଡ ଘାତକ ରୋଗ ଭାବେ ପରିଗଣିତ ହୋଇଛି । ଏହି ରୋଗ ଦ୍ୱାରା ପ୍ରତ୍ୟେକ ବର୍ଷ ପୃଥିବୀରେ ୧୧ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ତେବେ ଏହି ରୋଗର ଏକ ଭୟଙ୍କର ଦିଗ ହେଉଛି ବିଶ୍ୱରେ ୪୦ କୋଟି ଲୋକ ଏଥିରେ ସଂକ୍ରମିତ ହୋଇଥିବା  ବେଳେ ଏମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ନିଜ ରୋଗ ସମ୍ପର୍କରେ ଜାଣନ୍ତି ନାହିଁ । ଔଷଧ ବିଜ୍ଞାନରେ ଅଗ୍ରଗତି ଦ୍ୱାରା ଏଚ୍‌ଆଇଭି, ଯକ୍ଷ୍ମା ଏବଂ ମ୍ୟାଲେରିଆ ଭଳି ରୋଗରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଛି । ତେବେ ୨୦୨୦ ସୁଦ୍ଧା ହେପାଟାଇଟିସ୍‌-ବି ଆକ୍ରାନ୍ତଙ୍କ ମୃତ୍ୟୁ ହାର ୨୨ ପ୍ରତିଶତ ବୃଦ୍ଧି ପାଇଛି ।

ହେପାଟାଇଟିସ୍‌-ଏ ଏବଂ ବି ଖାଦ୍ୟ ଏବଂ ପାଣି ଦ୍ୱାରା ଶରୀରକୁ ଆସିଥାଏ । ମାତ୍ର ଏହି ସଂକ୍ରମଣ ଦୁଇ ମାସ ମଧ୍ୟରେ ଭଲ ହୋଇଥାଏ । ତେବେ ହେପାଟାଇଟିସ୍ ବି, ସି ଏବଂ ଡି ଶରୀରକୁ ଆସୁଥିବା ରକ୍ତ ଦ୍ୱାରା ସଂକ୍ରମିତ ହୋଇଥାଏ ।  କରୋନା ମହାମାରୀ ସମୟରେ ମଧ୍ୟ ହେପାଟାଇଟିସ୍ ସହିତ ଯୁଦ୍ଧ କରିବାକୁ ହେଳା କରିବା ଉଚିତ୍ ନୁହେଁ । ତେବେ ଭଲ କଥା ହେଉଛି ୧୯୮୨ରୁ ହେପାଟାଇଟିସ୍‌-ବି ନିରାକରଣ ପାଇଁ ଭ୍ୟାକ୍ସିନ୍ ଉପଲବ୍ଧ ଅଛି । ଏହା ଯେକୌଣସି ବୟସରେ ଏପରିକି ଗର୍ଭଧାରଣ ସମୟରେ ମଧ୍ୟ ନିଆ ଯାଇପାରିବ । । ଜୀବନରେ ଥରେ ଏହି
ଭ୍ୟାକ୍ସିନ୍ ନେବା ଦ୍ୱାରା ସାରା ଜୀବନ ଆମେ ଏହି ମାରାତ୍ମକ ହେପାଟାଇଟିସ୍ ରୋଗରୁ ମୁକ୍ତ ରହିପାରିବା ।

ସୋଆ ଏନ୍‌ଏସ୍‌ଏସ୍ ଶାଖା ଏବଂ ସୋଆ ୱେଲ୍‌ନେସ୍ ସେଂଟର ଆନୁକୂଲ୍ୟରେ ଆୟୋଜିତ ୱେବିନାର୍‌ରେ ଉପସ୍ଥିତ ଥିବା ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କହିଥିଲେ ଯେ ବର୍ଷକୁ ଅଧିକ ସଂଖ୍ୟକ ମୃତ୍ୟୁ ହେପାଟାଇଟିସ୍ ଯୋଗୁଁ ହେଉଛି । ସୁସ୍ଥ ଜୀବନଶୈଳୀ ଦ୍ୱାରା ହିଁ ଯକୃତ ସୁସ୍ଥ ରହିବ ଯାହାକି  ମଣିଷ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଗ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହେପାଟାଇଟିସ୍‌କୁ ଜନସାଧାରଣଙ୍କ ପାଇଁ ଏକ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ବିବେଚନା କରିବା ସହ ୨୦୩୦ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାର କାର୍ଯ୍ୟ ହାତକୁ ନେଇଛି ।

ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗ ହେଉଛି ଏକମାତ୍ର ସ୍ଥାନ ଯେଉଁଠାରେ କି ହେପାଟାଇଟିସ୍‌-ବି ର ସ୍କ୍ରିନିଂ ଏବଂ ଟୀକାକରଣ ମାଗଣାରେ ବର୍ଷ ତମାମ କରାଯାଇଥାଏ । ଗତ ୯ ବର୍ଷ ଧରି ଏଭଳି କାର୍ଯ୍ୟ ଜାରୀ ରହିଛି । ସୋଆ ପକ୍ଷରୁ ଏହି ରୋଗର ସଚେତନତା ନେଇ ମଧ୍ୟ ଅନେକ କାର୍ଯ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ବିଶ୍ୱ ହେପାଟାଇଟିସ୍ ଆଲିଆନ୍ସ ସହଭାଗିତାରେ ଜାରୀ ରହିଛି ।

Leave A Reply

Your email address will not be published.